୯୧ ଦିନ ପରେ ଦେଶରେ ସର୍ବନିମ୍ନ କରୋନା ସଂକ୍ରମିତ ଚିହ୍ନଟ, ୧୧୬୭ ମୃତ
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଉଛି । ୯୧ ଦିନ ପରେ ଦେଶରେ ସର୍ବନିମ୍ନ ସଂଖ୍ୟକ କରୋନା ସଂକ୍ରମଣ ମାମଲା ରିପୋର୍ଟ ହୋଇଛି। ଦୀର୍ଘ ମାସ ପରେ ଆଜି ଦୈନିକ ସଂକ୍ରମଣ ୫୦ ହଜାର ତଳକୁ ଖସିଛି। ମୃତ୍ୟୁସଂଖ୍ୟା ମଧ୍ୟ ପୂର୍ବ ଅପେକ୍ଷା ହ୍ରାସ ପାଉଛି । ସେପଟେ କ୍ରମାଗତ ଭାବେ ସଂକ୍ରମିତଙ୍କ ତୁଳନାରେ ଅଧିକ ଲୋକ ସୁସ୍ଥ ହେଉଥିବାରୁ ସକ୍ରିୟ ମାମଲାରେ ହ୍ରାସ ଦେଖିବାକୁ ମିଳୁଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମଣ ୨,୯୯,୭୭,୮୬୧ କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୬୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୮୯,୩୦୨ ରେ ପହଞ୍ଚିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦିନକରେ ୮୧,୮୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ସୁସ୍ଥତା ସଂଖ୍ୟା ୨,୮୯,୨୬,୦୩୮ କୁ ବୃଦ୍ଧି ପାଇଛି। ଏବେ ଆକ୍ଟିଭେ କେସ୍ ସଂଖ୍ୟା ୬,୬୨,୫୨୧ ରହିଛି। ଦୀର୍ଘ ୭୯ ଦିନ ପରେ ଦେଶରେ ସକ୍ରିୟ ମାମଲା ୭ ଲକ୍ଷରୁ ତଳକୁ ଖସିଛି। ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨୮,୮୭,୬୬,୨୦୧ ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।