୨୭ରୁ ରାଜ୍ୟରାଣୀ, ୨୮ରୁ ଗଡ଼ିବ ରାଉରକେଲା-ଜଗଦଲପୁର
ରାୟଗଡ଼ା: କରୋନା ସଂକ୍ରମଣ ବୃଦ୍ଧି ପରେ ଦେଢ଼ ବର୍ଷ ହେଲା ବନ୍ଦ ଥିବା ଦୁଇ ଏକ୍ସପ୍ରେସ୍ ଟ୍ରେନକୁ ଚଳାଚଳ ପାଇଁ ସବୁଜ ସଂକେତ ଦେଇଛି ରେଲୱେ ବୋର୍ଡ। ଆସନ୍ତା ୨୭ ତାରିଖରୁ ରାଉରକେଲା-ଗୁଣପୁର ମଧ୍ୟରେ ଭାୟା ପାରଳାଖେମୁଣ୍ଡି, ବ୍ରହ୍ମପୁର ଦେଇ ଯାତାୟାତ କରିବ ରାଜ୍ୟରାଣୀ ଏକ୍ସପ୍ରେସ୍। ରାଉରକେଲାରୁ ଗୁଣପୁର ଅଭିମୁଖେ ସପ୍ତାହର ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଗୁଣପୁରରୁ ରାଉରକେଲା ଅଭିମୁଖେ ସପ୍ତାହର ସୋମବାର, ବୁଧବାର ଓ ଶୁକ୍ରବାର ଚଳାଚଳ କରିବ ଟ୍ରେନ୍। ରାଜ୍ୟରାଣୀ ଏକ୍ସପ୍ରେସ୍ ଚଳାଚଳ ନେଇ ରେଳ ବିଭାଗ ଘୋଷଣା କରିବା ପରେ ଗୁଣପୁର ସମେତ ଗଜପତି, ଗଞ୍ଜାମ ଜିଲ୍ଲାବାସୀ ଖୁସି ପ୍ରକାଶ କରିଛନ୍ତି।
ଉଚ୍ଚଶିକ୍ଷା ପାଇଁ ଗୁଣପୁରର ଗାନ୍ଧୀ ଯାନ୍ତ୍ରିକ ବିଶ୍ବବିଦ୍ୟାଳୟରେ ଓଡ଼ିଶା ସମେତ ବାହାର ରାଜ୍ୟର ଛାତ୍ରଛାତ୍ରୀ ନିର୍ଭର କରୁଛନ୍ତି। ରାଜଧାନୀ ଭୁବନେଶ୍ବରରୁ ଗୁଣପୁରକୁ ରେଳପଥରେ ରାଜ୍ୟରାଣୀ ଏକ ମାତ୍ର ଟ୍ରେନ୍ ଚଳାଚଳ କରୁଥିବାରୁ ଶହ ଶହ ଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ୩ ଜିଲ୍ଲାର ଜନସାଧାରଣ ମଧ୍ୟ ଉପକୃତ ହୋଇପାରୁଛନ୍ତି। କରୋନା ଯୋଗୁ ୨୦୨୦ ମାର୍ଚ୍ଚ ୨୫ ତାରିଖରୁ ଏହି ଟ୍ରେନ୍ ଚଳାଚଳକୁ ବନ୍ଦ ରଖିଥିଲା ବିଭାଗ। ସ୍ଥିତି ସ୍ବାଭାବିକ ପରେ ୨୦୨୧ ପହିଲାରେ ପୁରୀ-ଗୁଣପୁର, ଗୁଣପୁର-ପାଲାସା ଏବଂ ଗୁଣପୁର-ବିଶାଖାପାଟଣା ଟ୍ରେନ୍ ଚଳାଚଳକୁ ବିଭାଗ ଅନୁମତି ଦେଇଥିଲା। କିନ୍ତୁ ଏପ୍ରିଲରେ ପୁଣି ସଂକ୍ରମଣ ବୃଦ୍ଧି ପାଇବା ପରେ ସମସ୍ତ ଟ୍ରେନ ବନ୍ଦ ରହିଛି। କରୋନା ଲହରୀର ଦ୍ବିତୀୟ ପର୍ଯ୍ୟାୟରେ ପ୍ରଥମ ଟ୍ରେନ୍ ଭାବେ ରାଜ୍ୟରାଣୀ ଗୁଣପୁରରୁ ଗଡ଼ିବା ଆରମ୍ଭ କରିବ। ସେହିପରି ଦୀର୍ଘ ଦେଢ଼ ବର୍ଷ ହେଲା ବନ୍ଦ ଥିବା ଜଗଦଲପୁରରୁ ରାଉରକେଲା ଏକ୍ସପ୍ରେସ୍ ମଧ୍ୟ ୨୮ ତାରିଖରୁ ଚଳାଚଳ କରିବା ନେଇ ଘୋଷଣା କରିଛି ରେଲୱେ ବୋର୍ଡ। ପ୍ରତିଦିନ ଏହି ଟ୍ରେନ୍ ଚାଲିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି।
୨୮ ତାରିଖରେ ଏହି ଟ୍ରେନ୍ ରାଉରକେଲାରୁ ବାହାରି ୨୯ ତାରିଖ ସକାଳ ୧୦ଟା ୧୦ ମିନିଟରେ ଜଗଦଲପୁରରେ ପହଞ୍ଚିବ। ସେହିପରି ୨୯ ତାରିଖ ମଧ୍ୟାହଣ୍ ୨ଟା ୧୦ ମିନିଟରେ ବାହାରି କୋରାପୁଟରେ ଅପରାହଣ୍ ୪ଟା ୩୫ ମିନିଟରେ ପହଞ୍ଚି। ସେଠାରୁ ସଂଧ୍ୟା ୫ଟାରେ ଛାଡ଼ି ରାୟଗଡ଼ାରେ ରାତି ୮ଟା ୫୫ ଏବଂ ସକାଳ ୬ଟା ୧୫ ମିନିଟରେ ରାଉରକେଲାରେ ପହଞ୍ଚିବ। ଏହି ଟ୍ରେନ୍ ଚଳାଚଳ ଦ୍ବାରା କୋରାପୁଟ, ରାୟଗଡ଼ା ସମେତ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ। କରୋନା ଯୋଗୁ କୋରାପୁଟରୁ ଅନ୍ୟ ସମସ୍ତ ସ୍ଥାନକୁ ଟ୍ରେନ୍ ଚଳାଚଳ ଏବେ ବନ୍ଦ ରହିଛି। ବସ୍ ଚଳାଚଳ ମଧ୍ୟ ଥିବାରୁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
The post ୨୭ରୁ ରାଜ୍ୟରାଣୀ, ୨୮ରୁ ଗଡ଼ିବ ରାଉରକେଲା-ଜଗଦଲପୁର first appeared on Sambad.