ୟୁପି ଝିଅ ଓଡ଼ିଶା ପୁଅଙ୍କ ପ୍ରେମବିବାହକୁ ନେଇ ୟୁପି ପୋଲିସ, ଓଡ଼ିଶା ପୋଲିସ ମୁହାଁମୁହିଁ । କୋର୍ଟରେ ଯୁବତୀଙ୍କ ବୟାନ ରେକର୍ଡ, ମାମଲା ଖାରଜ, ଖାଲି ହାତରେ ଫେରିଲା ୟୁପି ପୋଲିସ ।
କନକ ବ୍ୟୁରୋ : ପ୍ରେମ ଜିତିଲା, ପୁଲିସ ହାରିଲା । ଓଡିଶା-ଉତରପ୍ରଦେଶ ପୁଲିସର ଟଣାଓଟରା ଭିତରେ ପ୍ରେମର ବାଜିମାତ ହୋଇଛି । ପ୍ରେମ ପାଇଁ ୟୁପିରୁ ଓଡିଶା ଚାଲିଆସିଥିବା ଝିଅ ସାବାଳିକା ବୋଲି ପ୍ରମାଣ ପତ୍ର ଦେଖାଇବା ପରେ ସ୍ୱାମୀ ସହ ରହିବାକୁ କୋର୍ଟ ଅନୁମତି ଦେଇଛନ୍ତି । ଆଉ ଅପହରଣର ଅଭିଯୋଗ ନେଇ ଓଡିଶା ଆସିଥିବା ୟୁପି ପୁଲିସ ଶେଷରେ ଖାଲି ହାତରେ ଫେରି ଯାଇଛି ।
ଯୁବତୀଙ୍କ ପ୍ରେମବିବାହ । ଓଡ଼ିଶା ପୋଲିସ ଓ ୟୁପି ପୋଲିସ ମୁହାଁମୁହିଁ । କୋର୍ଟରେ ମାମଲା ଖାରଜ, ଖାଲି ହାତରେ ଫେରିଲା ୟୁପି ପୋଲିସ । ୟୁପି ଝିଅ, ଓଡ଼ିଶା ପୁଅଙ୍କ ପ୍ରେମ ବିବାହର ଏହି କାହାଣୀ ପହଁଚିଥିଲା କୋର୍ଟରେ । ମାମଲାକୁ କୋର୍ଟ ଖାରଜ କରିବା ପରେ ଖାଲି ହାତରେ ଫେରିଛି ୟୁପି ପୋଲିସ । ଉତରପ୍ରଦେଶର ଗୋରଖପୁର ଅଂଚଳର ଯୁବତୀ ଆକାଂକ୍ଷା ସିଂଙ୍କୁ ନିଜ ସ୍ୱାମୀଙ୍କ ନିକଟରେ ଅନୁମତି ଦେଇଛନ୍ତି କୋର୍ଟ ।
ପ୍ରେମିକଙ୍କୁ ବିବାହ ପାଇଁ ଆକାଂକ୍ଷା ଭୁବନେଶ୍ୱର ଆସିବା ପରେ ତାଙ୍କୁ ଖୋଜିଖୋଜି ପାଇଁ ଓଡ଼ିଶା ପହଁଚିଥିଲା ୟୁପି ପୋଲିସ । ପୋଲିସର ଯୁକ୍ତି ଥିଲା ଆକାଂକ୍ଷା ନାବାଳିକା, ତାଙ୍କୁ ଅପହରଣ କରି ଅଣାଯାଇଛି । ଏପଟେ ନିଜକୁ ସାବାଳିକା ଦର୍ଶାଇବା ସହ ପ୍ରମାଣପତ୍ର ଦେଖାଇ ଏୟାରଫିଲ୍ଡ ଥାନାର ଦ୍ୱାରସ୍ଥ ହୋଇଥିଲେ ଆକାଂକ୍ଷା । ଆକାଂକ୍ଷା କହିଥିଲେ ସେ ନିଜ ଇଚ୍ଛାରେ ବିବାହ କରି ଓଡ଼ିଶାରେ ରହିଛନ୍ତି, ଅପହରଣ ମାମଲା ରୁଜୁ କରି ତାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଚାହୁଁଛି ୟୁପି ପୋଲିସ । ଏହାପରେ ୟୁପି ପୋଲିସ ସହ ମୁହାଁମୁହିଁ ହୋଇଥିଲେ ଏୟାରଫିଲ୍ଡ ଥାନା ପୋଲିସ । ଆକାଂକ୍ଷାଙ୍କୁ ସ୍ୱଧାର ଗୃହରେ ରଖା ଯାଇଥିଲା ଏବଂ କୋର୍ଟରେ ପହଁଚିଥିଲା ମାମଲା ।
ଆକାଂକ୍ଷାଙ୍କୁ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର କରାଯିବା ପରେ ୧୬୪ ଧାରାରେ ତାଙ୍କ ବୟାନ ରେକର୍ଡ କରାଯାଇଥିଲା । ତାଙ୍କ ବୟସ ୧୮ ବର୍ଷରୁ ଅଧିକ, ନିଜ ଇଚ୍ଛାରେ ଓଡ଼ିଶାରେ ବାହା ହୋଇଛନ୍ତି ଏବଂ ସେ ସୁରକ୍ଷିତ ଥିବା କୋର୍ଟଙ୍କୁ କହିଥିଲେ ଆକାଂକ୍ଷା । ସାବାଳିକା ପ୍ରମାଣ ପାଇଁ ଆଧାର କାର୍ଡ ଓ ସ୍କୁଲ ସାର୍ଟିଫିକେଟ ମଧ୍ୟ କୋର୍ଟରେ ଦେଖାଇଥିଲେ । ଏହାପରେ ମାମଲାକୁ ଖାରଜ କରି ଆକାଂକ୍ଷାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ରହିବାକୁ ଅନୁମତି ଦେଇଛନ୍ତି କୋର୍ଟ ।
ଦୁଇ ଦିନ ତଳେ କନକ ନ୍ୟୁଜକୁ ଆକାଂକ୍ଷା ଜଣାଇଥିଲେ, ଘର ଲୋକଙ୍କ ନିର୍ଯାତନା ସହି ନପାରି ପ୍ରେମିକଙ୍କୁ ବିବାହ କରିବାକୁ ଓଡ଼ିଶା ଚାଲି ଆସିଛନ୍ତି । ପରିବାର ଲୋକଙ୍କୁ ମଧ୍ୟ ସେ ଏନେଇ ଚିଠି ଲେଖି ଜଣାଇଥିଲେ । ତେବେ ତାଙ୍କୁ ନାବାଳିକା ଦର୍ଶାଇ ଅପହରଣ ମାମଲା ରୁଜୁ କରାଯାଇଛି । ତାଙ୍କୁ ୟୁପି ନେଇଯିବା ସହ ତାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଚାହୁଁଛି ୟୁପି ପୋଲିସ । ଆକାଂକ୍ଷା ତାଙ୍କର ଆଧାର କାର୍ଡ, ସ୍କୁଲ ସାର୍ଟିଫିକେଟର ପ୍ରମାଣପତ୍ରର ନକଲ ମଧ୍ୟ ଦେଇଥିଲେ ।