ୟୁଟ୍ୟୁବରେ ଦୁର୍ଗମ ଅଂଚଳରେ ଫେଲ ମାରିଲା ଅନଲାଇନ ପାଠ ପଢା
ମାଲକାନଗିରି: ରାଜ୍ୟରେ ଆଜି ଠାରୁ ୟୁଟ୍ୟୁବରେ ପାଠ ପଢା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାରେ ମଧ୍ୟ ପିଲାମାନେ ଅନଲାଇନରେ ପାଠ ପଢୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ସଦର ମହକୁମା ଏବଂ ବ୍ଲକର ସଦର ମହକୁମାକୁ ଛାଡିଦେଲେ ଜିଲ୍ଲାର ଅନ୍ୟ ଦୁର୍ଗମ ସ୍ଥାନଗୁଡିକରେ ଅନଲାଇନ ପାଠ ପଢା ଏକ ପ୍ରକାର ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ ୟୁଟ୍ୟୁବରେ ପାଠ ପଢା ଆରମ୍ଭ ହୋଇଥିବା ବେଳେ ସ୍ଥାନୀୟ ସ୍କୁଲ ଗୁଡିକର ଶିକ୍ଷକମାନେ ଏନେଇ ପିଲାଙ୍କୁ ଅବଗତ କରାଉଥିବା ଦେଖିବାକୁ ମିଳିଛି। ଯେଉଁ ପିଲାମାନେ ପାଠ ପଢାରେ କିଛି ବୁଝିପାରିନଥିବା କିମ୍ବା କୌଣସି ପ୍ରଶ୍ନ ଥିବ ତେବେ ନିଜ ସ୍କୁଲର ଶିକ୍ଷକଙ୍କୁ ପଚାରି ବୁଝିନେବାକୁ କୁହାଯାଇଛି।
ତେବେ ମାଲକାନଗିରି ଭଳି ଉପାନ୍ତ ଅଂଚଳରେ ପିଲାମାନେ ଅନଲାଇନରେ ପାଠ ପଢିବା ଏକ ପ୍ରକାର ସମସ୍ୟା ସୃଷ୍ଟି କରିଛି। ବହୁ ଅଭିଭାବକଙ୍କ ଆଣ୍ଡରଏଡ ମୋବାଇଲ ଫୋନ ନଥିବା ବେଳେ ଘରେ ଦୁଇ ତିନି ଜଣ ପିଲାଙ୍କୁ କିପରି ଯୋଗାଇବେ ସେନେଇ ଚିନ୍ତାରେ ପଡିଛନ୍ତି।
ଦୁର୍ଗମ ଅଂଚଳର ବହୁ ପିଲା ଏହି ଶିକ୍ଷାର ବଂଚିତ ହୋଇଛନ୍ତି। ପ୍ରୟାତଃ ଜିଲ୍ଲାରେ ବହୁ ଗରିବ ପିଲା ରହୁଥିବା ବେଳେ ସମସ୍ତଙ୍କ ପାଖରେ ଫୋନ ସେବା ନାହିଁ। ତେଣୁ ପାଠ ପଢିବାରୁନଥିବା ବହୁ ଅଭିଭାବକ ପ୍ରକାଶ କରିଛନ୍ତି। କରୋନା ଯୋଗୁଁ ପିଲାଙ୍କ ପାଠ ପଢାରେ ଏକ ପ୍ରକାର ଡୋରି ଲାଗିଯାଇଛି। ଆଦିବାସୀ ପିଲାମାନେ ନିଜର ଜମିରେ ହଳ କରୁଥିବା ଦେଖିବାକୁ ମିଳୁଥିବା ବେଳେ ଝିଅମାନେ କାମ କରିବା ପାଇଁ ଚାଲିଯାଉଛନ୍ତି। ଅନଲାଇନ ପାଠ ଏମାନଙ୍କ ପାଇଁ ସ୍ବପ୍ନ।ତେବେ ମାଲକାନଗିରି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନ୍ୟ କୌଣସି ବ୍ୟବସ୍ଥା କରିବା ପାଇଁ ଅଭିଭାବକ ଏବଂ ସ୍ଥାନୀୟ ଅଂଚଳର ଜନସାଧାରଣ ଦାବି କରିଛନ୍ତି।
The post ୟୁଟ୍ୟୁବରେ ଦୁର୍ଗମ ଅଂଚଳରେ ଫେଲ ମାରିଲା ଅନଲାଇନ ପାଠ ପଢା first appeared on Sambad.