ହାତୀ ଆକ୍ରମଣରେ ଶ୍ରମିକ ମୃତ, ୨ ଆହତ
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମରେ ହାତୀ ଆତଙ୍କ । ଏକ କେନ୍ଦୁ ପତ୍ର ଫଡିରେ ହାତୀ ଆକ୍ରମଣ କରିବା ଫଳରେ ଜଣେ ପତ୍ର ବନ୍ଧାଳିର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ମୃତକ ଜଣକ ଅନୁଗୋଳ ଜିଲ୍ଲା ବାମୁର ଥାନା ବାଦିବାହାଳ ଗ୍ରାମର ବିମ୍ବାଧର ମହାକୁଡ । ଏହି ଆକ୍ରମଣରେ ଆହତ ହୋଇଥିବା ଅନ୍ୟ ଦୁଇ ଜଣ ବିନାୟକ ଦେହୁରୀ ଏବଂ ପବିତ୍ର ଦେହୁରୀ । ସେମାନଙ୍କୁ ପ୍ରଥମେ ରେଢାଖୋଲ ଡାକ୍ତରଖାନା ନିଆଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ବୁର୍ଲାସ୍ଥିତ ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା।
ସୂଚନା ମୁତାବକ, ଗାଡୁମୁଣ୍ଡା ଗ୍ରାମରେ ପ୍ରାୟ ୬ ଜଣ ଶ୍ରମିକ କେନ୍ଦୁପତ୍ର ଫଡିରେ କାମ କରୁଥିଲେ। ସମସ୍ତେ ରାତ୍ରୀ ଭୋଜନ ପରେ ଫଡି ଭିତରେ ଶୋଇଥିବା ବେଳେ ଏକ ହାତୀ ସେଠାରେ ପଶି ସେମାନଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ବିମ୍ବାଧରଙ୍କ ମୃତ୍ୟୁ ହୋଇଥିବା ବେଳେ ବିନାୟକ ଏବଂ ପବିତ୍ର ଆହତ ହୋଇଥିଲେ। ଫଡିରେ ଉପସ୍ଥିତ ଥିବା ଅନ୍ୟ ତିନିଜଣ ଶ୍ରମିକ ଖସିଯିବାରେ ସଫଳ ହୋଇଥିଲେ ।