ସାନଭାଇ ହତ୍ୟା ଅଭିଯୋଗରେ ବଡ଼ଭାଇ ଗିରଫ
ଆସିକା: ସାନଭାଇ ହତ୍ୟା ଅଭିଯୋଗରେ ବଡ଼ଭାଇ ଗିରଫ, ରକ୍ତଭିଜା ଖଣ୍ଡା ଜବତ । ପାରିବାରିକ ଗଣ୍ଡଗୋଳରୁ ସାନଭାଇକୁ ଖଣ୍ଡାରେ ହତ୍ୟା କରିଥିଲା ବଡ଼ଭାଇ! ଏହି ଅଭିଯୋଗରେ ଆଜି ଆସିକା ପୁଲିସ ବଡ଼ଭାଇକୁ ବାନ୍ଧିଛି।
ଗତ ଶୁକ୍ରବାର ଦିନ ଆସିକା ଥାନା ଅନ୍ତର୍ଗତ ମଙ୍ଗଳପୁର ଗାଁରେ ପାରିବାରିକ କଳହକୁ ଘଟିଥିଲା ହତ୍ୟା କାଣ୍ଡ। ଉକ୍ତ ଗାଁର ରାମଚନ୍ଦ୍ର ପ୍ରଧାନଙ୍କ ବଡ଼ପୁଅ ହରିବନ୍ଧୁ ପ୍ରଧାନ ବିବାହ ପାଇଁ ଅମଙ୍ଗ ହେବାରୁ ଦ୍ୱିତୀୟ ପୁଅ ସଂଜୟକୁ ବାହା କରାଇଥିଲେ। ଏହି ଘଟଣାକୁ ନେଇ ଘରେ ଅଶାନ୍ତି ଲାଗି ରହିଥିଲା। ଯାହାଫଳରେ ୨୦ ଦିନ ତଳେ ବିବାହ କରିଥିବା ସଞ୍ଜୟ ଘର ଛାଡ଼ି କବିସୂର୍ଯ୍ୟନଗରରେ ରହୁଥିଲେ।
ତେବେ ଗତ ଶୁକ୍ରବାର ଦିନ ସଞ୍ଜୟ ଗାଁକୁ ଆସି ଦାଦା ପିତାମ୍ବର ପ୍ରଧାନଙ୍କ ଘରେ ରହୁଥିଲେ । ଏହି ସମୟରେ ଏକ ଖଣ୍ଡା ଧରି ସେଠାରେ ପହଞ୍ଚିଥିଲେ ତାଙ୍କ ବଡ଼ଭାଇ ହରିବନ୍ଧୁ। କିଛି ବୁଝିବା ଆଗରୁ ସଞ୍ଜୟଙ୍କୁ ହରିବନ୍ଧୁ ଚୋଟ ପରେ ଚୋଟ ପକାଇଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ସାନ ଭାଇକୁ ହତ୍ୟା କରିବା ପରେ ବଡ଼ ଭାଇ ହରିବନ୍ଧୁ ସେଠାରୁ ଚମ୍ପଟ ମାରିଥିଲା।
ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇ ହରିବନ୍ଧୁକୁ ବଡଗଡ଼ ଥାନା ଅନ୍ତର୍ଗତ ମାଣିକପୁରଠାରୁ ଗିରଫ କରିଛି। ପରେ ହତ୍ୟା କାଣ୍ଡରେ ବ୍ୟବହୃତ ରକ୍ତ ଭିଜା ଖଣ୍ଡାକୁ ପୁଲିସ ଜବତ କରିଛି ବୋଲି ଆସିକା ଏସ୍ଡିପିଓ ଉମାଶଙ୍କର ସିଂ କହିଛନ୍ତି ।