ଶିଷ୍ୟଙ୍କ ‌ଯୋଗ୍ୟତା

ଶିଷ୍ୟଙ୍କ ‌ଯୋଗ୍ୟତା

ଜଣେ ପ୍ରସିଦ୍ଧ ଜେନ୍ ଗୁରୁ ଥିଲେ। ତାଙ୍କ ନାମ ଥିଲା ନି ଥଙ୍ଗ। ନି ଥଙ୍ଗ ପିଲା ଦିନରୁ ଥିଲେ ଅତି ବିଚକ୍ଷଣ। ତାଙ୍କୁ ଆଠ ବର୍ଷ ବୟସ ବେଳକୁ ସେ ପ୍ରାୟ ସବୁ ଧର୍ମଶାସ୍ତ୍ର ପଢ଼ି ସାରିଥିଲେ। ପନ୍ଦର ବର୍ଷ ବୟସ ବେଳକୁ ଏମିତି କିଛି ବିଷୟ ନ ଥିଲା, ଯାହା ଉପରେ ତାଙ୍କର ପାଣ୍ଡିତ୍ୟ ନ ଥିଲା। ଏବେ ସେ ଗୁରୁ ଖୋଜି ବାହାରିଲେ। ଅତୁଳନୀୟ ଜ୍ଞାନୀ ହୋଇଥିବାରୁ ତାଙ୍କ ମନରେ ଧାରଣା ଜନ୍ମିଲା ଯେ ସେ ସମୟର ଅନ୍ୟତମ ଶ୍ରେଷ୍ଠ ଗୁରୁ ହା ହୁଇ ତାଙ୍କୁ ଅବିଳମ୍ବେ ଶିଷ୍ୟ ଭାବେ ଗ୍ରହଣ କରିନେବେ। ତେଣୁ ସେ ହା ହୁଇଙ୍କ କୁଟୀରରେ ପହଞ୍ଚିଗଲେ।

ନି ଥଙ୍ଗଙ୍କ ସହିତ ପଦୁଟିଏ କଥା ହେବା ପରେ ହା ହୁଇ ତାଙ୍କୁ ଘର ପଛ ପଟ ବଗିଚାକୁ ଡାକିନେଲେ। ହାତରେ କୁରାଢ଼ିଟିଏ ଧରାଇ ଦେଇ ବଗିଚାର କିଛି ଗଛ କାଟିବାକୁ କହିଲେ। ଅତି ସୁକୁମାରିଆ ଗ୍ରନ୍ଥକୀଟ ନି ଥଙ୍ଗ କୁରାଢ଼ି ଧରି ଗଛ କାଟି କାଟି ହାଲିଆ ହୋଇଗଲେ। ତାଙ୍କ ହାତ ଫାଟି ରକ୍ତ ଝରିଲା। କିନ୍ତୁ ହା ହୁଇ ସେ ଅାଡ଼କୁ ଚାହିଁଲେ ସୁଦ୍ଧା ନାହିଁ। ପ୍ରତି ଦିନ ଏଭଳି ଚାଲିଲା। କେଉଁ ଦିନ ନି ଥଙ୍ଗଙ୍କୁ ଗଛ ଚଢ଼ି ଫଳ ତୋଳିବାକୁ ପଡ଼ିଲା ତ କେଉଁ ଦିନ ନଈରୁ ମାଛ ମାରିବାକୁ ପଡ଼ିଲା। ହା ହୁଇ ଦିନେ ହେଲେ ବି ତାଙ୍କୁ ଶାସ୍ତ୍ର ଜ୍ଞାନ ବାବଦରେ ପଚାରିଲେ ନାହିଁ।
ଏମିତି ଅନେକ ଦିନ ଗଡ଼ି ଗଲା ପରେ ନି ଥଙ୍ଗଙ୍କୁ ହା ହୁଇ ପଚାରିଲେ- କ’ଣ ସବୁ ପଢ଼ାପଢ଼ି କରିଛ?

ଏବେ ନି ଥଙ୍ଗ କେବଳ ବୋକାଙ୍କ ଭଳି ଚାହିଁ ରହିଲେ। ତାଙ୍କ ପାଟିରୁ କଥା ବାହାରିଲା ନାହିଁ।

ହା ହୁଇ କହିଲେ- ଏବେ ତୁମେ ଯୋଗ୍ୟ ହେଲ। ତୁମେ ଯେଉଁ ଜ୍ଞାନ ଆହରଣ କରି ଆସିଥିଲ, ତାହା ତୁମକୁ ଅକାରଣରେ ଫୁଲେଇ ଦେଇଥିଲା। ତୁମ ଅହଂକାରକୁ ବଢ଼ାଇଥିଲା। ଏବେ ଯେଉଁ ଜ୍ଞାନ ତୁମେ ପାଇଲ, ତାହା ତୁମକୁ ନିଜ ସହ ପରିଚିତ କରାଇଲା।

The post ଶିଷ୍ୟଙ୍କ ‌ଯୋଗ୍ୟତା first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp