ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହି ପରିବାର ଲୋକ ପାଇଥିଲେ ଚାକିରି, ୧୧ବର୍ଷ ପରେ ଜୀବିତ ମିଳିଲେ ବ୍ୟକ୍ତି
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗର ରେଳ ବିଭାଗ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ୨୦୧୦ ମସିହାରେ ଜାନେଶ୍ୱରୀ ଏକ୍ସପ୍ରେସ୍ ସହିତ ଏକ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କୁ ମୃତ ବୋଲି କହି ତାଙ୍କ ପରିବାର ଲୋକ କ୍ଷତିପୂରଣ ଓ ଚାକିରି ପାଇଥିଲେ।
୧୧ ବର୍ଷ ପରେ ଏବେ ଖବର ମିଳିଛି କି ଜାନେଶ୍ୱରୀ ଏକ୍ସପ୍ରେସ୍ ସହିତ ଦୁର୍ଘଟଣା ଘଟି ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା ସେ ଏବେ ଜୀବିତ ଅଛନ୍ତି । ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ସିବିଆଇ ଉକ୍ତ ବ୍ୟକ୍ତିଙ୍କ ଭଉଣୀ ଓ ତାଙ୍କ ପିତାଙ୍କୁ ଡାକି ପଚରାଉଚରା କରୁଛି ।
ପ୍ରକାଶିତ ରିପୋର୍ଟ ମୁତାବକ, ମେ ୨୦୧୦ରେ ଝାରବାହୀ ନିକଟରେ ମାଲବାହୀ ଗାଡି ସହ ହାଓ୍ୱଡା-ମୁମ୍ବାଇ ଜାନେଶ୍ୱରୀ ଏକ୍ସପ୍ରେସ ଧକ୍କା ହୋଇଥିଲା। ଫଳରେ ଏହି ଦୁର୍ଘଟଣାରେ ୧୪୮ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ଅନେକ ବଗି ଲାଇନଚ୍ୟୁତ ବି ହୋଇଥିଲା । ଏହାପରେ ଜଣେ ବ୍ୟକ୍ତି ଦାବି କରି କହିଥିଲେ ଯେ ଏହି ଟ୍ରେନ ଦୁର୍ଘଟଣାରେ ତାଙ୍କ ପୁଅର ମୃତ୍ୟୁ ହୋଇଛି ।
ଏହାପରେ ରେଳବାଇ ମୃତକଙ୍କ ପରିବାର ସଦସ୍ୟଙ୍କୁ ଚାକିରି ଏବଂ କ୍ଷତିପୂରଣ ପ୍ରଦାନ କରିଥିଲା । ଫଳରେ ଉକ୍ତ ମୃତ ବ୍ୟକ୍ତିଙ୍କ ଭଉଣୀ ପୂର୍ବ ରେଳବାଇର ସିଗନାଲ୍ ବିଭାଗରେ ଚାକିରି ପାଇଥିଲେ । କିନ୍ତୁ ନିକଟରେ ଏକ ଖବର ଆସିଛି କି ମୃତ ବ୍ୟକ୍ତି ଜଣକ ଜୀବିତ ଅଛନ୍ତି।
The post ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା କହି ପରିବାର ଲୋକ ପାଇଥିଲେ ଚାକିରି, ୧୧ବର୍ଷ ପରେ ଜୀବିତ ମିଳିଲେ ବ୍ୟକ୍ତି first appeared on Sambad.