ରାଜ୍ୟରେ କରୋନା ସଂକ୍ରମଣ ହାର ୭୧ ଦିନ ପରେ ୫% ତଳକୁ ଖସିଲା
ଭୁବନେଶ୍ବର : ଦୀର୍ଘ ୭୧ଦିନ ପରେ ରାଜ୍ୟରେ କରୋନା ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସି ଆସିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୬୧ହଜାର କୋଭିଡ୍ ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରେ ୩୦୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ ହାର ରହିଛି ୪.୯୭ ପ୍ରତିଶତ। ଏପ୍ରିଲ ୧୦ତାରିଖରେ ରାଜ୍ୟରେ ଶେଷଥର ଲାଗି ସଂକ୍ରମଣ ହାର ୪.୩୫ ପ୍ରତିଶତ ରହିଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓ ବିଶେଷଜ୍ଞଙ୍କ ମତରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସି ଆସିଲେ ସଂକ୍ରମଣ ନିୟନ୍ତ୍ରଣାଧୀନ ବୋଲି ବିଚାର କରାଯାଇଥାଏ। ତେଣୁ ସଂକ୍ରମଣ ହାରରେ ହ୍ରାସ ରାଜ୍ୟବାସୀଙ୍କୁ ଆଶ୍ବସ୍ତ କରିଛି। ହେଲେ ଏବେ ବି ରାଜ୍ୟର ୫ଟି ଜିଲ୍ଲାରେ ସଂକ୍ରମଣ ହାର ୯ ପ୍ରତିଶତ ଉପରେ ରହିଛି।
ଯାଜପୁରରେ ସର୍ବାଧିକ ୧୦.୬, ପୁରୀ ଓ ଖୋର୍ଧାରେ ୧୦.୧, ନୟାଗଡ଼ ୯.୯, ବାଲେଶ୍ବରରେ ୯.୨ ପ୍ରତିଶତ ରେକର୍ଡ କରାଯାଇଛି। କଟକ ଜିଲ୍ଲାରେ ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ରାଜ୍ୟର ହାରଠାରୁ ଅଧିକ ରହିଛି। କଟକରେ ସଂକ୍ରମଣ ହାର ୬.୯ ପ୍ରତିଶତ ନଜରକୁ ଆସିଛି। ରାଜ୍ୟର ବଳକା ୨୨ ଜିଲ୍ଲାରେ ସଂକ୍ରମଣ ହାର ୫ କିମ୍ବା ୫ ପ୍ରତିଶତ ତଳେ ରହିଛି। ଝାରସୁଗୁଡ଼ାରେ ସର୍ବନିମ୍ନ ୦.୬ ପ୍ରତିଶତ ରହିଛି।
ଲଗାତାର ସପ୍ତମ ଦିନ ପାଇଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହିଛି। ଏଥିରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଖୋର୍ଧା ଜିଲ୍ଲାରୁ। ଖୋର୍ଧାରେ ୩୮୧ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାସହ କଟକ ୨୯୫, ବାଲେଶ୍ବର ୨୯୦, ଯାଜପୁର ୨୨୬, ପୁରୀ ୧୮୦, ମୟୂରଭଞ୍ଜ ୧୬୭, ନୟାଗଡ଼ ୧୪୦, ଭଦ୍ରକ ୧୩୫, କେନ୍ଦ୍ରାପଡ଼ା ୧୧୮, ଅନୁଗୁଳ ୧୨୧, ଜଗତସିଂହପୁର ୧୦୭ ଓ ଷ୍ଟେଟ୍ ପୁଲରୁ ୭୮ଜଣ ଚିହ୍ନଟ ହୋଇଛନ୍ତି। ୧୯ଟି ଜିଲ୍ଲାରୁ ଶହେରୁ କମ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୮୦ହଜାର ୫୩୩କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆଉ ୪୩ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଖୋର୍ଧାରୁ ୭, ବରଗଡ଼, କଟକ ୫ ଲେଖାଏଁ, ପୁରୀ, ଝାରସୁଗୁଡ଼ାରେ ୪ ଲେଖାଏଁ, ଗଞ୍ଜାମ, କୋରାପୁଟରେ ୩ ଲେଖାଏଁ, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ବଲାଙ୍ଗୀରରେ ୨ଲେଖାଏଁ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ରାୟଗଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସମୁଦାୟ ମୃତ୍ୟୁ ସଂଖ୍ୟା ୩୬୩୩ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାରେ ସର୍ବାଧିକ ୬୭୧ଜଣ କରୋନାରେ ପ୍ରାଣ ହରାଇଛନ୍ତି।
ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ଆଉ ୪୫୮୭ଜଣ କରୋନାରୁ ସୁସ୍ଥ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୪୪ହଜାର ୮୦୧କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୩୨,୦୪୬କୁ ଖସି ଆସିଛି। ରାଜ୍ୟରେ କରୋନା ରୋଗୀଙ୍କ ସୁସ୍ଥ ହାର ୯୫ ପ୍ରତିଶତକୁ ବୃଦ୍ଧି ପାଇଛି।
The post ରାଜ୍ୟରେ କରୋନା ସଂକ୍ରମଣ ହାର ୭୧ ଦିନ ପରେ ୫% ତଳକୁ ଖସିଲା first appeared on Sambad.