ରାଜ୍ୟରେ ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡରେ ଟିକାକରଣ
ଭୁବନେଶ୍ଵର: କୋଭିଡ ଟୀକାକରଣ ଡ୍ରାଇଭକୁ ତ୍ୱରାନ୍ୱିତ କରିବା ପାଇଁ ଓଡିଶା ସରକାର ଆସନ୍ତାକାଲିଠାରୁ ସାରା ରାଜ୍ୟରେ କ୍ୟାମ୍ପେନ ମୋଡରେ ଟିକାକରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ସାରା ରାଜ୍ୟରେ କ୍ୟାମ୍ପେନ ମୋଡରେ ଟିକାକରଣ ହେବ। ଏନେଇ ସବୁ ଜିଲ୍ଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ ।ଏହା କରୋନା ଭାଇରସ ବିରୋଧରେ ଚାଲିଥିବା ଲଢେଇରେ ନିଶ୍ଚିତ ଭାବରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।
ତେବେ ଏଥିରେ ପ୍ରତିଦିନ ୩ ଲକ୍ଷ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ଉଭୟ କେନ୍ଦ୍ର ପଠାଇଥିବା ଓ ରାଜ୍ୟ କିଣିଥିବା ଟିକାରେ ଏହି ଟିକାକରଣ ହେବ । ପ୍ରତି ବ୍ଲକ ଓ ଏନଏସିରେ ଅତିକମରେ ୫ଟି ଲେଖାଏ ସେସନ କରାଯିବ । ସେହିପରି ପୌର ପରିଷଦରେ ୧୦ଟି ଓ ମହାନଗର ନିଗମରେ ୨୦ ଟି ସେସନ କରାଯିବ । ଉଭୟ ଅନଲାଇନ୍ ଏବଂ ଅନ-ସାଇଟ୍ ଅଧିବେଶନ ପାଇଁ ଯୋଜନା କରିବାକୁ ମଧ୍ୟ ରାଜ୍ୟ ସରକାର ଜିଲ୍ଲା ଅଧିକାରୀମାନଙ୍କୁ କହିଛନ୍ତି।
ଆଗାମୀ ଦିନରେ ୧୮ରୁ ୪୪ ବର୍ଷ ବୟସ ବର୍ଗ ଏବଂ ୪୫ ବର୍ଷରୁ ଉର୍ଦ୍ଧ ବୟସ ବର୍ଗଙ୍କ ଟୀକାକରଣ ବୃଦ୍ଧି କରିବାକୁ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସପାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜାନୁୟାରୀ ୧୬ ଠାରୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ୯୩.୭୩ ଲକ୍ଷ ଡୋଜ ଟିକା ଦେଇଛନ୍ତି। ସେଥିମଧ୍ୟରୁ ୧୭.୯୭ ଲକ୍ଷ ହିତାଧିକାରୀ ଉଭୟ ଡୋଜ ଟିକା ନେଇଛନ୍ତି।
ତେବେ ଟିକା ବ୍ୟବହାର ଏବଂ ଟିକା ଅପଚୟ ହାରକୁ ଆଧାର କରି ଭାରତ ସରକାର ଓଡିଶାକୁ ଟିକା ଯୋଗାଇ ଦେବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି।