ରାଜ୍ୟରେ ଆଉ ୪୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ଗତକାଲି କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ଆଜି ପୁଣିଥରେ ବଢିଛି । ସେପଟେ ମୃତ୍ୟୁ ସଂଖ୍ୟା ଏବେ ବି ଚିନ୍ତାର ବିଷୟ ପାଲଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୧୭କୁ ବୃଦ୍ଧି ପାଇଛି ।
ଖୋର୍ଦ୍ଧାରୁ ସର୍ବାଧିକ ୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ବରଗଡ଼, କଟକ, ପୁରୀରୁ ୫ ଲେଖାଏ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ସେହିପରି ଝାରସୁଗୁଡ଼ା, ସମ୍ବଲପୁରରୁ ୪ ଲେଖାଏ , ଜଗତସିଂହପୁର, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଗଂଜାମ, କଳାହାଣ୍ଡି, ମୟୂରଭଂଜରୁ ୨ ଜଣ ଲେଖାଏ କରୋନା ସଂକ୍ରମିତ ପ୍ରାଣ ହରାଇଥିବା ବେଳେ କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୮୬୯୪୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୭୧୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କର ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୩୨୮୩୬୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି । ୩୪୨୧୬ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୪୮୯୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।