ରାଜଧାନୀରେ କରୋନା କମୁଛି, ଅଣକୋଭିଡ୍ ‌ରୋଗୀଙ୍କୁ ସ୍ବାସ୍ଥ୍ୟସେବା କେବେ?

ରାଜଧାନୀରେ କରୋନା କମୁଛି, ଅଣକୋଭିଡ୍ ‌ରୋଗୀଙ୍କୁ ସ୍ବାସ୍ଥ୍ୟସେବା କେବେ?

ଭୁବନେଶ୍ବର : ରାଜଧାନୀରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି। ତଥାପି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଅଣକୋଭିଡ୍ ରୋଗୀଙ୍କୁ ସ୍ବାସ୍ଥ୍ୟସେବା ମିଳିବା ଆହୁରି ବିଳମ୍ବିତ ହେବ। ସ୍ଥିତି ସମ୍ପୂର୍ଣ୍ଣ ସ୍ବାଭାବିକ ନ ହେବା ଯାଏ କ୍ୟାପିଟାଲ ହସ୍ପିଟାଲରେ ଗୋଟିଏ ବେଳା ଓପିଡି ବା ବହିର୍ବିଭାଗ ଜାରି ରହିବ। ରାଜ୍ୟ ସରକାର ଚଳିତମାସ ଶେଷ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କରୋନା କଟକଣାକୁ ଜାରି ରଖିବା ଲାଗି ନିଷ୍ପତ୍ତି ନେଇଛନ୍ତି। ତେଣୁ ଲକ୍‌ଡାଉନ୍‌ ହଟିବା ପରେ ହିଁ ଦୁଇବେଳା ଓପିଡି ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ହସ୍ପିଟାଲର ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ।

ଡା.ସାହୁ କହିଛନ୍ତି, କ୍ୟାପିଟାଲ ହସ୍ପିଟାଲରେ ଏବେ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଛ। ଯଦିଓ ରାଜ୍ୟ ସରକାର କଟକଣାରେ ସାମାନ୍ୟ କୋହଳ କରିଛନ୍ତି। ତଥାପି ଓପିଡି ଉପରେ ଏବେ ଚାପ ପଡ଼ିନାହିଁ। ତେଣୁ ରୋଗୀ ସଂଖ୍ୟାକୁ ନଜରରେ ରଖି ଦୁଇବେଳା ଓପିଡି ଖୋଲିବା ନେବା ସଂପର୍କ‌ରେ ଆଲୋଚନା କରାଯିବ। ସ‌େ ପର୍ଯ୍ୟନ୍ତ ଗୋଟିଏ ବେଳା ଓପିଡି ଜାରି ରହିବ ବୋଲି ସେ କହିଛନ୍ତି। ପ୍ରଥମ ଲହର‌ରେ କ୍ୟାପିଟାଲ ହସ୍ପିଟାଲରେ ବହୁ ସଂଖ୍ୟାରେ ଡାକ୍ତର, ନର୍ସ ଓ କର୍ମଚାରୀମାନେ କରୋନାରେ ସଂକ୍ରମିତ ହୋଇଥିଲେ। ଯାହାଫଳରେ ରୋଗୀ ସେବାଠାରୁ ଆରମ୍ଭ କରି ପ୍ରଶାସନିକ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଯାହାଫଳ‌ରେ ହସ୍ପିଟାଲ କର୍ତୃପକ୍ଷ ବାଧ୍ୟହୋଇ ଦୁଇବେଳା ଓପିଡିକୁ ଗୋଟିଏ ବେଳାରେ ସୀମିତ ରଖିଥିଲେ। ଦ୍ବିତୀୟ ଲହରରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କେବଳ ଜରୁରୀ ଅସ୍ତ୍ରୋପଚାରକୁ ବାଦ୍ ଦେଲେ ଅନ୍ୟ ଅସ୍ତ୍ରେପଚାରକୁ ବନ୍ଦ ରଖିବା ଲାଗି ନିର୍ଦେଶ ରହିଛି। ଯାହାଫଳରେ ହସ୍ପିଟାଲରେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା। ବିକଳ୍ପ ଭାବେ ଟେଲିମେଡିସିନ୍‌ ଜରିଆରେ ରୋଗୀଙ୍କୁ ସେବା ଉପଲବ୍ଧ ହେଉଛି।

ଘରୋଇ ହସ୍ପିଟାଲରେ ଓପିଡି ଫାଙ୍କା
କରୋନା ଭୟରେ ନିୟମିତ ଚିକିତ୍ସା ପାଇଁ ହସ୍ପିଟାଲକୁ ଯାଉଥିବା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି। କେବଳ ସରକାରୀ ହସ୍ପିଟାଲ ନୁହେଁ, ରାଜଧାନୀର ବଡ଼ ବଡ଼ ଘରୋଇ ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସଂଖ୍ୟା ଯଥେଷ୍ଟ କମ୍ ରହିଛି। ଘରୋଇ ହସ୍ପିଟାଲରେ ଓପିଡିରେ ବିଶେଷ କଟକଣା ନ ଥିଲେ ମଧ୍ୟ ସଂକ୍ରମଣ ଭୟରେ ରୋଗୀମାନେ ହସ୍ପିଟାଲକୁ ଆସୁ ନ ଥିବା ସୂଚନା ମିଳିଛି। ପ୍ରଥମ ଲହରରେ ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ ଗୋଟିଏ ଗୋଟିଏ ହଟସ୍ପଟ୍‌ ଜୋନ୍ ପାଲଟି ଯାଇଥିଲା। ହସ୍ପିଟାଲରୁ ପୁଳାପୁଳା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚଳିତ ଲହରରେ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସ୍ବତନ୍ତ୍ରଭାବେ ଫିଭର କ୍ଲିନିକ୍, ପ୍ରବେଶ ସମୟରେ ତାପମାତ୍ରା ଯାଞ୍ଚ ଓ ଅନ୍ୟାନ୍ୟ କୋଭିଡ ସତର୍କତା ଅବଲମ୍ବନ କରାଯାଉଛି। ତଥାପି ଓପିଡିରେ ରୋଗୀଙ୍କ ସଂଖ୍ୟା କମ୍ ରହିଥିବା ଦେଖିବାକୁ ମିଳିଛି।

ଲକ୍‌ଡାଉନ୍‌ ପରେ ଖୋଲିବ ଏମ୍ସ ଓପିଡି
ଭୁବନେଶ୍ବର : କରୋନାର ଦ୍ବିତୀୟ ଲହର ଆରମ୍ଭ ହେବା ପରେ ଭୁବନେଶ୍ବର ଏମ୍ସରେ ଓପିଡିକୁ ବନ୍ଦ କରାଯାଇଥିଲା। ଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଅଣକୋଭିଡ୍ ରୋଗୀମାନେ ଚିକିତ୍ସା ସେବାରୁ ବଞ୍ଚିତ ହୋଇ ଆସୁଛନ୍ତି। ତେବେ ରାଜଧାନୀରେ କୋଭିଡ ସଂକ୍ରମଣ କିଛିଟା ହ୍ରାସ ପାଇଥିଲେ ମଧ୍ୟ ଲକ୍‌ଡାଉନ୍‌ କୋହଳ ନ ହେବା ପର୍ଯ୍ୟନ୍ତ ଏମ୍ସ ଓପିଡି ଖୋଲିବ ନାହିଁ ବୋଲି ଜଣାପଡ଼ିଛି। ଗତ କିଛିଦିନ ହେଲା ଏମ୍ସରେ କୋଭିଡ ରୋଗୀଙ୍କ ସଂଖ୍ୟା ହ୍ରାସ ପାଉଛି। ଏଥିଯୋଗୁଁ ଶୀଘ୍ର ଓପିଡି ଖୋଲିବା ନେଇ ଆଶା କରାଯାଉଥିଲା। ମାତ୍ର ଏ ନେଇ ଏମ୍ସ ନିର୍ଦେଶକ କହିଛନ୍ତି, ଲକ୍‌ଡାଉନ୍‌ କୋହଳ ନ ହେବା ପର୍ଯ୍ୟନ୍ତ ସାଧାରଣ ରୋଗୀଙ୍କୁ ଓପିଡି ଆସିବାକୁ ସମସ୍ୟା ହେବ। ଅତ୍ୟ‌ାବଶ୍ୟକ ସ୍ଥିତିରେ ଏଠାରେ ରୋଗୀଙ୍କ ଚିକିତ୍ସା କରାଯାଉଛି ଏବଂ ଟେଲିମେଡିସିନ୍ ଜରିଆରେ ଅଭିଜ୍ଞ ଡାକ୍ତରମାନେ ରୋଗୀଙ୍କୁ ପରାମର୍ଶ ଦେଉଛନ୍ତି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି।

The post ରାଜଧାନୀରେ କରୋନା କମୁଛି, ଅଣକୋଭିଡ୍ ‌ରୋଗୀଙ୍କୁ ସ୍ବାସ୍ଥ୍ୟସେବା କେବେ? first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp