ରଂଗାରଂଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହେଲା ହକି ବିଶ୍ବକପ୍, ଭୁବନେଶ୍ବର ଓ ରାଉରକେଲାରେ ୧୩ରୁ ୨୯ ଯାଏଁ ମ୍ୟାଚ୍
କଟକ: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ରଂଗାରଂଗ କାର୍ଯ୍ୟକ୍ରମ ଭିତରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ବକପ୍-୨୦୨୩ ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ହକି ବିଶ୍ବକପ୍କୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଛନ୍ତି, ଓଡ଼ିଶା ପୁରୁଷ ହକି ବିଶ୍ବକପ୍ର ଆୟୋଜନ କରୁଛି। ଆତିଥ୍ୟ ପ୍ରଦାନରେ ଓଡ଼ିଶାର ନାମ ରହିଛି। ଓଡ଼ିଶାରେ ହକି ବିଶ୍ବକପ୍ର ଆୟୋଜନ ହେଉଥିବାରୁ ମୁଁ ବହୁତ ଖୁସି ଅନୁଭବ କରୁଛି। କଟକରେ ହକି ବିଶ୍ବକପର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାର ସବୁ ପ୍ରକାରର ସମର୍ଥନ ଯୋଗାଇଥିବାରୁ ଧନ୍ୟବାଦ ଜଣାଉଛି।
ଲକ୍ଷାଧିକ ଦର୍ଶକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେଉଥିବା ଉଦଘାଟନୀ ସମାରୋହରେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ହକି (ଏଫ୍ଆଇଏଚ୍) ସଭାପତି ତୟା ବିକ୍ରମ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ରହିଛନ୍ତି। ଏତଦ୍ ବ୍ୟତୀତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଅଛନ୍ତି। ହକି ବିଶ୍ବକପ୍-୨୦୨୩ର ମ୍ୟାଚଗୁଡ଼ିକ ଜାନୁଆରି ୧୩ ତାରିଖ ଠାରୁ ଆରମ୍ଭ ହେବ। ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡ଼ିୟମରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍ ଜାନୁଆରି ୨୯ ତାରିଖରେ ହେବ।
ବିଶ୍ବରେ ଯେତେ ସବୁ ବିଶ୍ବକପ ହକିର ଆୟୋଜନ ହୋଇଛି ସେଥିରୁ ଭାରତ ତଥା ଓଡ଼ିଶାରେ ସବୁଠାରୁ ଭବ୍ୟ ହୋଇପାରିଛି। ଭାରତକୁ କ୍ରମାଗତ ଭାବେ ୨ ଥର ହକି ବିଶ୍ବକପର ଆୟୋଜନ କରିବାର ସୁଯୋଗ ମିଳିଛି। ଏହା ଓଡ଼ିଶା ସରକାରଙ୍କ ଯୋଗୁଁ ସଫଳ ହୋଇପାରିଛି।
-ଅନୁରାଗ ଠାକୁର, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ
ଓଡ଼ିଶା ଓ ଓଡ଼ିଶା ବାହାରର ଶିଳ୍ପୀମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶଣରେ ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ଆନନ୍ଦମୁଖର ହୋଇଉଠିଛି । ଏହି ମନଲୋଭା ସଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବାକୁ ଦର୍ଶକମାନେ ଅପରାହ୍ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ଅପରାହ୍ଣ ୩ଟାରୁ ନୃତ୍ୟ-ସଂଗୀତର ତାଳେତାଳେ ଝୁମି ଉଠିଥିଲେ ଦର୍ଶକ। ଉଦଘାଟନୀ ଉତ୍ସବ ପାଇଁ ଉଭୟ ବଲିଉଡ ଓ ଓଲିଉଡର ପ୍ରତିଷ୍ଠିତ କଳାକାର ଅଂଶଗ୍ରହଣ କରିଥିଲେ। ଆଜିର ମୁଖ୍ୟ ଆକର୍ଷଣ ଥିଲେ ଅଭିନେତା ରଣବୀର ସିଂହ, ଅଭିନେତ୍ରୀ ଦିଶା ପଟାନୀ ଓ ସଂଗୀତ ନିର୍ଦ୍ଦେଶକ ପ୍ରିତମ୍। ସେହିପରି ସବ୍ୟସାଚୀ, ଅର୍ଚ୍ଚିତା, ଲିସା ମିଶ୍ର ପ୍ରମୁଖ ଓଲିଉଡ କଳାକାର କାର୍ଯ୍ୟକ୍ରମ ପରିବେଶଣ କରିଥିଲେ।
ସମ୍ପୂର୍ଣ୍ଣ ବାରବାଟୀ ଷ୍ଟାଡିୟମ ପରିସର ସରଗରମ ହୋଇ ଉଠିଛି। ଦର୍ଶକମାନେ ଅପରାହ୍ଣ ସାଢ଼େ ୨ଟାରେ ଷ୍ଟାଡିୟମ ଭିତରକୁ ପ୍ରବେଶ କରିଥିଲେ। ପ୍ରଥମେ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ଆଦିବାସୀ ନୃତ୍ୟ ପରିବେଷଣ କରାଯାଇଥିଲା। ପରେ କଣ୍ଠଶିଳ୍ପୀ ସ୍ନିତି ମିଶ୍ରଙ୍କ ଦ୍ୱାରା ସଂଗୀତ ପରିବେଶ ଓ ପରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇଥିଲା। ଋତୁରାଜ ମହାନ୍ତି, ସବ୍ୟସାଜୀ ମିଶ୍ର, ଅର୍ଚ୍ଚିତା ସାହୁ, ଲିସା ମିଶ୍ର ପ୍ରସ୍ତୁତି ଦେଇଥିଲେ।
ଅପରାହ୍ଣ ୩ଟାରୁ ଆରମ୍ଭ ହୋଇଥିବା ହକି ବିଶ୍ବକପ୍ର ଉଦଘାଟନୀ ଉତ୍ସବ ପ୍ରାୟ ୯ଟା ଯାଏଁ ଜାରି ରହିବ। ବାରବାଟୀ ଷ୍ଟାଡିୟମକୁ ପୂରା ସଜା ଯାଇଛି। ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଛାତ୍ରଛାତ୍ରୀ ଦେଖିପାରିଛନ୍ତି। ଏଥିପାଇଁ ରାଜ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ସ୍କୁଲଗୁଡିକୁ ଅପରାହ୍ନ ୧ଟାରୁ ଛୁଟି ଘୋଷଣା କରାଯାଇଛି । କଟକ ମହାନଗର ନିଗମ ଅଧୀନରେ ଆସୁଥିବା ସମସ୍ତ ସରକାରୀ ଅଫିସ, ବିଶ୍ୱବିଦ୍ୟାଳୟ, କଲେଜ, ସ୍କୁଲକୁ ଦିନ ଗୋଟାଏରୁ ଛୁଟି ଘୋଷଣା କରାଯାଇଛି ।
ହକି ବିଶ୍ୱକପ୍ ପାଇଁ ବାରବାଟୀ ଷ୍ଟାଡିୟମରେ ଗ୍ରାଣ୍ଡ ଉଦଘାଟନୀ ଉତ୍ସବର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରେ ମଧ୍ୟରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ଯାଜପୁରରେ ଥିବା ହକି ଷ୍ଟାଡିୟମକୁ ସୁସଜ୍ଜିତ କରାଯାଇଛି। ଗ୍ୟାଲେରୀର ଦର୍ଶକ ବସିବାର ବ୍ୟବସ୍ଥା କରାଯାଇଛି । ଲୋକେ ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଏହି ଷ୍ଟାଡିୟମରେ ବସି ଦେଖିପାରିବେ। ଏଥିପାଇଁ ବଡ଼ବଡ଼ ଏଲଇଡି ଷ୍ଟାଡିୟମରେ ଲଗାଯାଇଛି। ଭିଡକୁ ଦୃଷ୍ଟିରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ସେହିପରି ଗ୍ରାମାଂଚଳରେ ଲୋକମାନଙ୍କ ଏନେଇ ସଚେତନ କରିବାକୁ ଗ୍ରାମ ସଭାର ଆୟୋଜନ କରାଯାଇଛି । ଗ୍ରାମସଭାରେ ଲେକେ ଏଲଇଡି ଟିଭି ମାଧ୍ୟମରେ ବାରବାଟୀରେ ହେବାକୁ ଥିବା ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ଦେଖିବାକୁ ବ୍ୟବସ୍ଥା କରାଯାଇଛି।