ମୋଦିଙ୍କ ସହ ହେବାକୁ ଥିବା ବୈଠକରେ ସାମିଲ ନ ହୋଇପାରନ୍ତି ମେହବୁବା ମୁଫତି
ନୂଆଦିଲ୍ଲୀ: ମୋଦିଙ୍କ ବୈଠକରେ ସାମିଲ ହେବାକୁ ଚାହୁଁ ନାହାଁନ୍ତି ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । ଜାମ୍ମୁ କାଶ୍ମୀରର ରାଜନୈତିକ ଦଳର ନେତାମାନଙ୍କସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୨୪ ରେ ଦିଲ୍ଲୀରେ ଏକ ବୈଠକ କରିବାକୁ ଯାଉଛନ୍ତି। ଏହି ବୈଠକ ପାଇଁ ୧୪ ଜଣ ନେତାଙ୍କୁ ନିମନ୍ତ୍ରଣ ମଧ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ଖବର ଆସିଛି ଯେ, ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଏହି ବୈଠକରୁ ନିଜକୁ ଦୂରେଇ ରଖିପାରନ୍ତି। ଯଦିଓ ଦଳୀୟ ବୈଠକରେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଜାମ୍ମୁ କାଶ୍ମୀରରେ ରାଜନୈତିକ ଅନିଶ୍ଚିତତାର ପରିସ୍ଥିତିକୁ ହଟାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୪ରେ ସର୍ବଦଳୀୟ ବୈଠକ ଡାକିଛନ୍ତି । ଏହି ବୈଠକ ଜୁନ୍ ୨୪ରେ ଦିଲ୍ଲୀରେ ହେବାକୁ ଯାଉଛି। ଏଥିପାଇଁ ୧୪ ଜଣ ନେତାଙ୍କୁ ଡକାଯାଇଛି। ତେବେ ମେହବୁବା ମୁଫତି ଏହି ବୈଠକରେ ସାମିଲ ନହେବା ନେଇ ଚର୍ଚ୍ଚା ଜୋର ଧରିଛି ।
ସୂଚନା ଅନୁସାରେ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି)ର ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛନ୍ତି । ଯଦିଓ ରବିବାର ଦିନ ପିଡିପି ସଂସଦ ବ୍ୟାପାର କମିଟି (ପିଏସି)ର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହି ବୈଠକରେ ମେହବୁବା ପ୍ରଧାନମନ୍ତ୍ରୀଙ୍କ ସହ ଭେଟିବେ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ।
ସୂତ୍ରରୁ ପ୍ରକାଶ ଯେ, ଯଦି ମେହବୁବା ମୁଫତି ଏହି ବୈଠକରେ ଯୋଗ ନ ଦିଅନ୍ତି, ତେବେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କୁ ୭ଟି ଦଳର ମେଣ୍ଟ (ଗୁପକର ଘୋଷଣା)ର ପ୍ରତିନିଧିତ୍ୱ କରିବାକୁ ମନୋନୀତ କରିପାରିବେ । ୫ ଅଗଷ୍ଟ ୨୦୧୯ ରେ ଜମ୍ମୁ-କଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଇଥିବା ଧାରା ୩୭୦କୁ ହଟାଇ ଦିଆଯାଇଥିଲା । ସେବେଠାରୁ ଏଠାରେ ରାଜନୈତିକ ଅସ୍ଥିରତାର ଦେଖାଦେଇଛି। ଧାରା ୩୭୦ ରଦ୍ଦ ହେବା ପରେ ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଆଲୋଚନା କରିବା କେନ୍ଦ୍ରର ଏକ ବଡ ପଦକ୍ଷେପ ।
The post ମୋଦିଙ୍କ ସହ ହେବାକୁ ଥିବା ବୈଠକରେ ସାମିଲ ନ ହୋଇପାରନ୍ତି ମେହବୁବା ମୁଫତି appeared first on .