ମିଳୁନି କାମଧନ୍ଦା, ସୁରତ ଲେଉଟିଲେଣି ପ୍ରବାସୀ
ଫେରିଛନ୍ତି ୫୦ ହଜାର, ଦୈନିକ ଯାଉଛନ୍ତି ହଜାରେ
ବ୍ରହ୍ମପୁର ରେଳଷ୍ଟେସନ୍ରେ ଅସମ୍ଭାଳ ଭିଡ଼
ବ୍ରହ୍ମପୁର : କରୋନାର ଭୟାବହତାକୁ ଦେଖି ସୁରତରୁ ଗାଁକୁ ଚାଲି ଆସିଥିଲେ। ଦେଢ଼ରୁ ଦୁଇମାସ ହେଲା ଘରେ ବସି ରହିଥିଲେ। ଯାହାକିଛି ଅର୍ଜନ କରି ଆଣିଥିଲେ ସବୁ ସରିଗଲା। କାମଧନ୍ଦା ନଥିବାରୁ ଏବେ ବେକାର। ଏପରିସ୍ଥଳେ ପରିବାରର ଭରଣପୋଷଣ ଚିନ୍ତା ଘାରିଲା। ଶେଷରେ ନିରୁପାୟ ହୋଇ ପୁଣିଥରେ ସୁରତ ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ। ପେଟପାଟଣା ପାଇଁ ପିଲାଛୁଆ, ପରିବାରବର୍ଗଙ୍କୁ ଛାଡ଼ି ସୁରତ ଅଭିମୁଖେ ଲେଉଟାଣି ଆରମ୍ଭ କଲେଣି ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ। ଏଥିପାଇଁ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଅସମ୍ଭବ ଭିଡ଼। ସୁରତ ଟ୍ରେନ୍ରେ ଦୈନିକ ପ୍ରାୟ ହଜାରେ ଯାତ୍ରୀ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ଚଢ଼ୁଥିବା ସୂଚନା ମିଳିଛି। ସୁରତରେ କରୋନା କଟକଣା କୋହଳ ହେବାପରେ ସୂତାକଳଗୁଡ଼ିକ ଆରମ୍ଭ ହେଲାଣି।
କରୋନାର ଦ୍ବିତୀୟ ଲହରରେ ଗଞ୍ଜାମ ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୫୦ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଫେରିଥିବା ସୂଚନା ମିଳିଛି। ଏହି ଶ୍ରମିକମାନେ ଗୁଜରାତ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରୁ ଆସିଛନ୍ତି। ବ୍ରହ୍ମପୁର ମହାନଗର ଓ ଏନ୍ଏନ୍ସିଗୁଡ଼ିକୁ ମୋଟ ୩ହଜାର ୭୬୧ଜଣ ପ୍ରବାସୀ ଫେରିଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକକୁ ୪୬ହଜାର ୩୦୪ଜଣ ପ୍ରବାସୀ ଫେରିଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍ ସୂଚନା ଦେଇଛନ୍ତି। ମାର୍ଚ୍ଚ ମାସରୁ ମହାରାଷ୍ଟ୍ର, ଗୁଜରାତ ଭଳି ରାଜ୍ୟରେ କରୋନାର ଦ୍ବିତୀୟ ଲହର ଯୋଗୁଁ କଟକଣା ଜାରି କରାଯାଇଥିଲା। ବହୁ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯିବାରୁ ଲୋକେ ରୋଜଗାର ହରାଇଥିଲେ। ଏଣୁ ସେଠାରେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ଶ୍ରମିକମାନେ ଘରମୁହାଁ ହୋଇଥିଲେ। ମାର୍ଚ୍ଚ ମାସ ଦ୍ବିତୀୟ ସପ୍ତାହରୁ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଫେରିଥିଲେ। ବର୍ତ୍ତମାନ ସୁଦ୍ଧା ୫୦ହଜାରରୁ ଅଧିକ ଶ୍ରମିକ ଆସି ସାରିଛନ୍ତି।
ଆଗକୁ କରୋନାର ତୃତୀୟ ଲହର ଆସିବ ବୋଲି ଆଶଙ୍କା କରାଯାଉଛି। ଏହାସତ୍ତ୍ବେ ଗଞ୍ଜାମ ଜିଲ୍ଲାରୁ ହଜାର ହଜାର ଶ୍ରମିକ ବିଭିନ୍ନ ରାଜ୍ୟକୁ ଯାଉଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ଲୋକମାନଙ୍କୁ ସଚେତନ କରାଯାଉଛି। ଟିକା ନେବା ସହିତ କୋଭିଡ୍ ନିୟମ ପାଳନ କରି ଯାତ୍ରା କରିବାକୁ କୁହାଯାଉଥିବା ବ୍ରହ୍ମପୁର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି।
The post ମିଳୁନି କାମଧନ୍ଦା, ସୁରତ ଲେଉଟିଲେଣି ପ୍ରବାସୀ first appeared on Sambad.