ମହାମାରୀ ଓ ଅପ୍ରମିତ ଦୁଃଖ
ଏବେ ସାରା ବିଶ୍ୱରେ କରୋନା ମହାମାରୀ ଯେଉଁ ଭଳି ବିଭୀଷିକା ସୃଷ୍ଟି କରି ଚାଲିଛି ଏବଂ ଜାତି, ଧର୍ମ, ବର୍ଣ୍ଣ, ଦେଶ ନିର୍ବିଶେଷରେ ଲକ୍ଷ ଲକ୍ଷ ଲୋକ ଯେପରି ଭାବେ ଏହା ଦ୍ବାରା କବଳିତ ହେଉଛନ୍ତି, ତାହା ହୃଦୟବିଦାରକ। ଏବର ମହାମାରୀର ବ୍ୟାପକତା ଓ ବିଭୀଷିକା ସନ୍ଦର୍ଭରେ ମୋର ମନେପଡ଼େ ପିଲାଦିନେ ପଲ୍ଲୀଗାଁରେ ଜନ୍ମ ନେଇ ଦେଖିଥିବା ମହାମାରୀ ବସନ୍ତ ରୋଗର ବିଭୀଷିକା କଥା। ସେତେବେଳେ କୌଣସି ଚିକିତ୍ସା ବା ଔଷଧର ବ୍ୟବସ୍ଥା ନ ଥିଲା। ଏକମାତ୍ର ଭରସା ଥିଲା ଗାଁ ମୁଣ୍ଡ ଠାକୁରାଣୀଙ୍କ ପୀଠରେ ପଣା ଢାଳିବା। ମା’ ଭଉଣୀମାନେ ଅସହାୟ ହୋଇ ପଣା ଅର୍ପଣ କରୁଥିଲେ; ଅସହାୟ ଭାବେ ସଂପୂର୍ଣ୍ଣ ସମର୍ପିତ ଚିତ୍ତରେ ଗାଁ ଠାକୁରାଣୀଙ୍କ ଠାରୁ ଅପାର କରୁଣା ଭିକ୍ଷା କରୁଥିଲେ। ସେଇ ସମୟରେ ଆବିଷ୍କୃତ ହେଲା ଗୋବୀଜ ଟିକା। ତତ୍କାଳୀନ ସରକାର ବହୁ ସଂଖ୍ୟାରେ ଟିକାଦାରମାନଙ୍କୁ ନିଯୁକ୍ତ କରି ଘରେ ଘରେ ଆବାଳ ବୃଦ୍ଧବନିତାଙ୍କୁ ଗୋବୀଜ ଟିକା ଦିଆଇଥିଲେ। ଆମ ଗାଁର ମୋର ଦିବଂଗତ ପିତୃବ୍ୟ ସେତେବେଳେ ଟିକାଦାର ଭାବରେ ସାଇେକଲ ଖଣ୍ଡେ ଧରି ନିଜ ଜୀବନକୁ ବିପନ୍ନ କରି ଗାଁ ଗାଁ ବୁଲି ଟିକା ଦେଉଥିଲେ। ମୁଁ ବି ପିଲାଦିନେ ହାତରେ ଟିକା ନେଇଥିଲି। ସେଇ ଟିକା ଚିହ୍ନ ଭବିଷ୍ୟତ୍ରେ ଆମର ସନ୍ତକ ଭାବରେ ଗ୍ରହଣ କରାଯାଉଥିଲା। କ୍ରମେ ବସନ୍ତ ମହାମାରୀର ବିଭୀଷିକା ହ୍ରାସ ପାଇଲା।
ଏବେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍ ଦାୟିତ୍ବ ନେବା ପରେ ମନ ପ୍ରାଣ ଦେଇ ଆମେରିକାର ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ଟିକାଦାନ ବ୍ୟବସ୍ଥା କଲେ। ତାଙ୍କ ସାଫଲ୍ୟର ପ୍ରତୀକ ସ୍ବରୂପ ମୁହଁରୁ ମୁଖା ଓହ୍ଲାଇ ଦେଇ ହସ ହସ ମୁହଁରେ ସେ ଦେଶବାସୀଙ୍କୁ ଉଦ୍ବୋଧନ ଦେଲେ। ତେବେ, ଯାହା ଆମେରିକାରେ ସମ୍ଭବ ହେଲା, ତାହା ଆମେ ଚାହିଁଲେ ଆମ ଦେଶରେ ମଧ୍ୟ କରିପାରିବା। ଏଥି ପାଇଁ ଆବଶ୍ୟକ ଜାତୀୟ ସଂକଳ୍ପ, ପ୍ରାଶାସନିକ ଦକ୍ଷତା, ଦୂରଦୃଷ୍ଟି ଓ ଜନହିତ ପାଇଁ ଉତ୍ସର୍ଗୀକୃତ ମନୋଭାବ। ମହାମାରୀର ପ୍ରାଦୁର୍ଭାବକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଦେଶରେ ଜରୁରୀକାଳୀନ ଭିତ୍ତିରେ ସାର୍ବଜନୀନ ଟିକାକରଣ ଲାଗି ଆମର ସମସ୍ତ ଧନ ଓ ଜନ ସମ୍ବଳ ଉପଯୋଗ କରିବାର ସମୟ ଉପନୀତ। ସେହି ଦିଗରେ ମଧ୍ୟ ଗଲା ସୋମବାର ଠାରୁ କାର୍ଯ୍ୟ ଆରମ୍ଭ ହୋଇସାରିଲାଣି। ତେବେ ତହିଁରେ ଶିଥିଳତା ଆସିବା ଅନୁଚିତ। ତେବେ, ସେଥି ପାଇଁ ପ୍ରଥମେ ଦେଶରେ ପର୍ଯ୍ୟାପ୍ତ ପରିମାଣରେ ଟିକା ଉତ୍ପାଦନ କରାଯିବା ବା ଅନ୍ୟାନ୍ୟ ସୂତ୍ରରୁ ଉପଲବ୍ଧ ହେବା ଜରୁରୀ। କେବଳ ସେତିକି ନୁହେଁ, ସେଥି ସକାଶେ ଭିତ୍ତିଭୂମି ଯୋଗାଇବା ସହିତ ଦରକାର ପଡ଼ିଲେ ଭ୍ରାମ୍ୟମାଣ ଟିକାକରଣ ବ୍ୟବସ୍ଥା କରାଯାଇ ପାରିଲେ ଯଥା ସମ୍ଭବ ଅଧିକ ସଂଖ୍ୟକ ଲୋକଙ୍କୁ ଅଳ୍ପ କାଳ ମଧ୍ୟରେ ଟିକା ଦିଆଯାଇପାରିବ।
ଏବେ ଦେଖିବାକୁ ମିଳୁଛି ଯେ ଅନେକ ଗାଁରେ ଟିକାଦାନ କରିବା ସରକାରଙ୍କ ଲାଗି ଆହ୍ବାନ ସୃଷ୍ଟି କରିଛି। ଏହାର କାରଣ ମିଛ ଗୁଜବ ଦ୍ବାରା ପ୍ରଭାବିତ ଗାଁ ଲୋକେ ଟିକା ନେବାକୁ ଭୟ କରୁଛନ୍ତି। ଏହି ଟିକା କୁଣ୍ଠାକୁ ପ୍ରଥମେ ଦୂର କରିବାକୁ ହେବ। କୋଭିଡ୍ ପରିଚାଳନା ପରିପ୍ରେକ୍ଷୀରେ ଓଡ଼ିଶା ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି। ସୁତରାଂ, ଟିକା କୁଣ୍ଠା ଦୂର କରିବାର ଦାୟିତ୍ବ ସରପଞ୍ଚ ଓ ନେତାମାନେ ନିଅନ୍ତୁ। ଟିକାକରଣ ବ୍ୟବସ୍ଥାରେ ପ୍ରତି ପଞ୍ଚାୟତ ପାଇଁ ଗୋଟିଏ ବା ଏକାଧିକ ଭ୍ରାମ୍ୟମାଣ ଟିକାଦାନ ୟୁନିଟ୍ ରହିଲେ ଏହି କାର୍ଯ୍ୟ ଦ୍ରୁତ ଗତିରେ ହୋଇପାରିବ। ନିର୍ବାଚନ ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଯେଉଁ ଭଳି ସରକାର ସମସ୍ତ ସରକାରୀ ଓ ବେସରକାରୀ ଯାନ ଓ କର୍ମୀମାନଙ୍କୁ ଏକତ୍ର କରି କାର୍ଯ୍ୟ ସମ୍ପାଦନ କରନ୍ତି, ଟିକାକରଣ ବେଳେ ସେଭଳି ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଏ ଦିଗରେ ସମ୍ବଳ ଅଭାବକୁ ଦୂର କରିବାକୁ ହେଲେ ସମସ୍ତ ଅଦରକାରୀ ସରକାରୀ ଖର୍ଚ୍ଚ କାଟ କରିବାକୁ ହେବ। ଏ କାମରେ ଏନ୍.ଜି.ଓ., ବେସରକାରୀ ସଂସ୍ଥା, କର୍ପୋରେଟ୍ ସେକ୍ଟର ଆଦିକୁ ମଧ୍ୟ ନିୟୋଜିତ କରିବାକୁ ହେବ। ଆମ ଦେଶ ତଥା ପୃଥିବୀର ବିଶିଷ୍ଟ ବୈଜ୍ଞାନିକମାନେ କହୁଛନ୍ତି ଯେ ବ୍ୟାପକ ଟିକାଦାନ ହିଁ ଏହି ମହାମାରୀକୁ ରୋକିବାର ଏକମାତ୍ର ବାଟ। ତେଣୁ ବ୍ୟାପକ ଟିକାକରଣକୁ ନଜରଅନ୍ଦାଜ କରାଯାଇ ନ ପାରେ।
ପ୍ରାଣୀଙ୍କ ଆରତ (ଆର୍ତ୍ତ) ଓ ଅପ୍ରମିତ ଦୁଃଖ ଦେଖି ସନ୍ଥ କବି ଭୀମ ଭୋଇ ଗାଇଥିଲେ ଯେ ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ।’ କରୋନା ମହାମାରୀ କବଳରେ ଅଦ୍ୟାବଧି ଆଗ ଧାଡ଼ିର ଯେଉଁ କରୋନା ଯୋଦ୍ଧାମାନେ ସେବା କାର୍ଯ୍ୟ କରି ପ୍ରାଣ ହରାଇଛନ୍ତି, ସେମାନେ ସମସ୍ତେ ନିଶ୍ଚିତ ଭାବେ ସନ୍ଥ କବିଙ୍କ ଏହି ଅମୃତ ବାଣୀକୁ ହୃଦୟରେ ବହନ କରି ସେମାନଙ୍କ ଦାୟିତ୍ବ ସଂପାଦନ କରିଥିେବ। ପୂର୍ବେ ଗ୍ରାମାଞ୍ଚଳରେ ମହାମାରୀ ବିପତ୍ତି ବେଳେ ଗାଁ ଠାକୁରାଣୀଙ୍କୁ (ସେ ଶୁଣନ୍ତୁ ବା ନ ଶୁଣନ୍ତୁ) ଗ୍ରାମବାସୀମାନେ ଗୁହାରି କରୁଥିଲେ। ଏବେ ବିଶ୍ୱବ୍ୟାପୀ ମହାମାରୀ ବେଳେ ଯଦିଓ ଚିକିତ୍ସକ ଓ ଚିକିତ୍ସା ବିଜ୍ଞାନ ଉପରେ ସମସ୍ତେ ଆପଣା ବିଶ୍ବାସ ସ୍ଥାପନ କରିଛନ୍ତି, ତଥାପି ସର୍ବତ୍ର ବିଶ୍ବ ନିୟନ୍ତା ଓ ଜଗନ୍ମାତାଙ୍କୁ ପ୍ରାର୍ଥନା କରିବା ମଧ୍ୟ ଜାରି ରହିଛି। ଅସହାୟମାନେ ଗାଇ ଉଠୁଛନ୍ତି ‘ଜୟ ତ୍ବଂ ଦେବୀ ଚାମୁଣ୍ଡେ ଜୟ ଭୂତାରିହାରିଣୀ, (ଅର୍ଗଳା ସ୍ତୋତ୍ର)। କୁମ୍ଭୀର କବଳିତ ଅସହାୟ ଗଜେନ୍ଦ୍ର ବିକଳ ହୋଇ ନାରାୟଣଙ୍କୁ ଯେପରି ସଂପୂର୍ଣ୍ଣ ଶରଣାଗତ ହୋଇ ସ୍ତୁତି କରିଥିଲା, ସେଭଳି ପ୍ରାର୍ଥନା ମହାମାରୀଗ୍ରସ୍ତ ପରିବାର କରି ଚାଲିଛନ୍ତି। ଓଡ଼ିଅା ପରିବାର ସେହି ଭାଗବତ ବାଣୀକୁ ଅତି କରୁଣ ଭାବେ ଉଚ୍ଚାରଣ କରି ଚାଲିଛି:
ରଖୁ ନ ରଖୁ ସେ ଜାଣଇ
ତା’ ବିନୁ ଅନ୍ୟ ଗତି ନାହିଁ।
ପ୍ରାକ୍ତନ ଅତିରିକ୍ତ ସଚିବ
ମୋ- ୯୮୫୩୩୩୫୯୬୨
The post ମହାମାରୀ ଓ ଅପ୍ରମିତ ଦୁଃଖ first appeared on Sambad.