ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ପ୍ରତିବନ୍ଧକ କୋହଳ କଲା ଦୁବାଇ
ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମଣର ହ୍ରାସ ପାଇବା ପରେ ପୁଣି ଥରେ ପରିବହନ ଉପରୁ ପ୍ରତିବନ୍ଧକକୁ କୋହଳ କରାଯାଉଛି । ଏହି ପର୍ଯ୍ୟାୟରେ, ଭାରତ ସମେତ ଅନ୍ୟାନ୍ୟ ଦେଶରୁ ଦୁବାଇକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଯାତ୍ରା ପ୍ରତିବନ୍ଧକକୁ କୋହଳ କରିବାକୁ ଘୋଷଣା କରିଛି ଦୁବାଇ । ତେବେ ଦୁବାଇ ଯାଉଥିବା ଲୋକଙ୍କ ପାଇଁ ଅନେକ ସର୍ତ୍ତ ରଖାଯାଇଛି ।
ସର୍ତ୍ତ ଅନୁଯାୟୀ, ଦୁବାଇ ଯାଉଥିବା ଯାତ୍ରୀଙ୍କ ପାଇଁ କରୋନା ଟିକାର ଉଭୟ ଡୋଜ ନେବା ବାଧ୍ୟତାମୂଳକ । ଏହାସହ ଏହି ଟିକା ୟୁଏଇ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଦରକାର । ସୂଚନା ଅନୁଯାୟୀ, ଦୁବାଇରେ ସଙ୍କଟ ଏବଂ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବୋଚ୍ଚ କମିଟି, ଦକ୍ଷିଣ ଆଫ୍ରିକା, ନାଇଜେରିଆ ଏବଂ ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ବିଷୟରେ ଦୁବାଇର ଟ୍ରାଭେଲ୍ ପ୍ରୋଟୋକଲର ଘୋଷଣା କରିଛି। ଏହି କମିଟିର ନେତୃତ୍ୱ ନେଉଛନ୍ତି ଶେଖ ମଂସୁର ବିନ୍ ମହମ୍ମଦ ଓ ବିନ୍ ରସିଦ ମଖତୁମ୍।
ଏହି ଟିକାଗୁଡିକ ଅନୁମୋଦିତ ହୋଇଛି
ଭାରତରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବୈଧ ଆବାସିକ ଭିସା ରହିବା ଆବଶ୍ୟକ | ଏହା ବ୍ୟତୀତ କେବଳ ଏଭଳି ଲୋକଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ଯେଉଁମାନେ କରୋନା ଟିକା ନେଇଛନ୍ତି। ୟୁଏଇ ସରକାର ସ୍ୱୀକୃତି ଦେଇଥିବା ଚାରୋଟି ଟିକା ମଧ୍ୟରେ ସିନୋଫାର୍ମା, ଫାଇଜର-ବାୟୋଣ୍ଟେକ୍, ସ୍ପୁଟନିକ୍-ଭି ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରା ଜେନେଙ୍କା ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଦକ୍ଷିଣ ଆଫ୍ରିକା ଏବଂ ନାଇଜେରିଆରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଟିକା ସହିତ PCR ପରୀକ୍ଷା ମଧ୍ୟ ଆବଶ୍ୟକ । କେବଳ ୪୮ ଘଣ୍ଟା ପୂର୍ବରୁ କରାଯାଇଥିବା ପରୀକ୍ଷା ବୈଧ ହେବ । ପରୀକ୍ଷା ରିପୋର୍ଟ ମଧ୍ୟ ନେଗେଟିଭ୍ ହେବା ଆବଶ୍ୟକ ।
କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡ଼ିବ
ଭାରତରୁ ଆସୁଥିବା ଯାତ୍ରୀମାନଙ୍କୁ ଚାରି ଘଣ୍ଟା ପୂର୍ବରୁ ରାପିଡ PCR ପରୀକ୍ଷା କରାଯିବ । ତେବେ ଦୁବାଇରେ ଅବତରଣ କରିବା ପରେ ମଧ୍ୟ PCR ପରୀକ୍ଷା କରାଯିବ । ଯାତ୍ରୀମାନଙ୍କୁ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାକୁ ପଡ଼ିବ । ପରୀକ୍ଷା ରିପୋର୍ଟ ୨୪ ଘଣ୍ଟା ମଧ୍ୟରେ ଦିଆଯିବ । ସୂଚନାଯୋଗ୍ୟ ଯେ, କରୋନାର ଦ୍ୱିତୀୟ ଲହର ଚଳିତ ବର୍ଷ ଏପ୍ରିଲରେ ପହଞ୍ଚିବା ପରେ ଦୁବାଇ ଭାରତରୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।
The post ଭାରତରୁ ଯାଉଥିବା ଯାତ୍ରୀମାନଙ୍କ ପାଇଁ ପ୍ରତିବନ୍ଧକ କୋହଳ କଲା ଦୁବାଇ appeared first on .