ଭାଣ୍ଡିଆ ହେଲା ୟୁପି ପୁଲିସ; ଜିତିଗଲା ଆକାଂକ୍ଷାଙ୍କ ପ୍ରେମ, ସ୍ବାମୀ ସହ ଶାଶୂଘର ଗଲେ

ଭାଣ୍ଡିଆ ହେଲା ୟୁପି ପୁଲିସ; ଜିତିଗଲା ଆକାଂକ୍ଷାଙ୍କ ପ୍ରେମ, ସ୍ବାମୀ ସହ ଶାଶୂଘର ଗଲେ

ଭୁବନେଶ୍ୱର : ପ୍ରେମିକ ପାଇଁ ନିଜ ପରିବାରକୁ ପର କରି ଉତ୍ତରପ୍ରଦେଶର ଜଣେ ଯୁବତୀ ଗୋରଖପୁରରୁ ଭୁବନେଶ୍ବର ଲୁଚି ପଳାଇ ଆସିବା ଘଟଣା ଆଜି ରୋଚକ ମୋଡ଼ ନେବା ପରେ ରାଜଧାନୀରେ ଏହା ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି। କମିସନରେଟ୍‌ ପୁଲିସର ତତ୍ପରତା ଯୋଗୁଁ ନୂଆ କରି ସଂସାର କରିଥିବା ଏକ ପ୍ରେମୀଯୁଗଳ ପରସ୍ପରଠାରୁ ଅଲଗା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଯୁବତୀ ଜଣଙ୍କ ସାବାଳିକା ଓ ସେ ନିଜ ଇଚ୍ଛା‌ରେ ନିଜ ପ୍ରେମିକଙ୍କୁ ବିବାହ କରିଛନ୍ତି ବୋଲି ସୋମବାର ଭୁବନେଶ୍ୱର ସିଜେଏମ୍‌ଙ୍କ କୋର୍ଟରେ ପ୍ରମାଣିତ ହେବା ପରେ ଉତ୍ତରପ୍ରଦେଶ ପୁଲିସକୁ ନିରାଶ ହୋଇ ଖାଲି ହାତରେ ଫେରିବାକୁ ପଡ଼ିଛି। ଅପରପକ୍ଷେ କୋର୍ଟଙ୍କ ରାୟ ଆସିବା ପରେ ଗତକାଲି ସ୍ବାଧାର ଗୃହରେ ଥିବା ଯୁବତୀ ଜଣକ ସୋମବାର ତାଙ୍କ ସ୍ବାମୀଙ୍କ ସହ ଖୁସିଖୁସିରେ ଶାଶୂଘରକୁ ଫେରିଛନ୍ତି।

ଭୁବନେଶ୍ୱର ହାଇଟେକ୍‌ ଅଞ୍ଚଳର ପୃଥ୍ବୀରାଜ ପଣ୍ଡା ଓ ଉତ୍ତରପ୍ରଦେଶ ଗୋରଖପୁର ଦେଓରିଆ ଅଞ୍ଚଳର ଆକାଂକ୍ଷା ସିଂହଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ତେଣୁ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଉତ୍ତରପ୍ରଦେଶ ଯାଇ ବିବାହ କରିବା ପୃଥ୍ବୀରାଜଙ୍କ ପକ୍ଷେ ବିପଦପୂର୍ଣ୍ଣ ଥିବାରୁ ଆକାଂକ୍ଷା ଗତ ୧୫ତାରିଖ ଦିନ ଘରୁ ଲୁଚି ପଳାଇ ଆସିଥିଲେ। ଲକ୍‌ଡାଉନ୍ ସତ୍ତ୍ବେ ସେ ଗୋରଖପୁରରୁ ଦିଲ୍ଲୀ ହୋଇ ଭୁବନେଶ୍ୱରରେ ପହଞ୍ଚିବା ପରେ ଏଠାରେ କୋର୍ଟରେ ଦୁହେଁ ବିବାହ କରିଥିଲେ। ପରେ ସବୁକଥା ଆକାଂକ୍ଷା ନିଜ ପରିବାର ଲୋକଙ୍କୁ ଜଣାଇ ଦେଇଥିଲେ। କିନ୍ତୁ ଆକାଂକ୍ଷାଙ୍କ ପରିବାର ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ। ତେଣୁ ସେମାନେ ଦେଓରିଆ ଥାନାରେ ତାଙ୍କ ଝିଅକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଥିଲେ।

ଆକାଂକ୍ଷା ଜଣେ ନାବାଳିକା ଓ ପୃଥ୍ବୀରାଜ ତାଙ୍କ ଝିଅକୁ ପ୍ରଲୋଭନ ଦେଖାଇ ଅପହରଣ କରିନେଇଥିବା ଅଭିଯୋଗରେ ଦର୍ଶାଇଥିଲେ।

ଅଭିଯୋଗକୁ ଭିତ୍ତି କରି ଦେଓରିଆ ପୁଲିସ ଶନିବାର ଭୁବନେଶ୍ବରରେ ପହଞ୍ଚି ଆକାଂକ୍ଷାଙ୍କୁ ସାଙ୍ଗରେ ନେଇଯିବାକୁ ଏବଂ ପୃଥ୍ବୀରାଜଙ୍କୁ ଗିରଫ କରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଏହା ପୂର୍ବରୁ ଆକାଂକ୍ଷା ଏୟାରଫିଲ୍‌ଡ ଥାନାର ଦ୍ବାରସ୍ଥ ହୋଇ ନିଜ ସାବାଳିକା ହେବାର ସବୁ ପ୍ରମାଣ ଦାଖଲ କରିଦେଇଥିଲେ। ତେଣୁ ଦେଓରିଆ ପୁଲିସର ସବୁ କାର୍ଯ୍ୟାନୁଷ୍ଠାନକୁ ଏୟାରଫିଲ୍‌ଡ ପୁଲିସ ବାଧା ଦେଇଥିଲା। ଦୁଇ ରାଜ୍ୟର‌ ପୁଲିସ ମୁହାଁମୁହିଁ ହେବାରୁ କୋର୍ଟର ଆଶ୍ରୟ ନିଆଯାଇଥିଲା। ସୋମବାର ଦିନ ସିଜେଏମ୍‌ କୋର୍ଟ ଆକାଂକ୍ଷାଙ୍କ ମାଟ୍ରିକ୍‌ ସାର୍ଟିଫିକେଟ୍‌, ଆଧାରକାର୍ଡ, ବିବାହ ସାର୍ଟିଫିକେଟ୍‌, ଆଫିଡେଭିଟ୍ ଯାଞ୍ଚ କରି ଯୁବତୀଜଣଙ୍କ ସାବାଳିକା‌ ବୋଲି ରାୟ ଶୁଣାଇଥିଲେ ଏବଂ ଆକାଂକ୍ଷା ଓ ପୃଥ୍ବୀରାଜଙ୍କ ବିବାହକୁ ସିଦ୍ଧ ଘୋଷଣା କରିଥିଲେ। ଫଳରେ ୟୁପି (ଦେଓରିଆ) ପୁଲିସକୁ ନିରାଶ ହୋଇ ଖାଲି ହାତରେ ଫେରିବାକୁ ପଡ଼ିଥିଲା।

ନିଜ ପ୍ରେମିକକୁ ସ୍ବାମୀ ରୂପରେ ପାଇବା ଏବଂ ଏ ଦିଗରେ ଥିବା ସମସ୍ତ ବାଧା ଦୂର ହୋଇଥିବାରୁ ଆକାଂକ୍ଷ‌ା ଆଜି ଖୁବ୍ ଖୁସି ଜଣା ପଡ଼ୁଥିଲେ। ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ଗଣମାଧ୍ୟମ ଓ ପୁଲିସର ସହଯୋଗ ପାଇଁ ମୁଁ ମୋ ପ୍ରେମିକଙ୍କୁ ପାଇ ପାରିଛି। ମୋତେ ନ୍ୟାୟ ମିଳିଛି ଓ ମୁଁ ଏବେ ସୁରକ୍ଷିତ ଅଛି। ତେଣୁ ଓଡ଼ିଶା ପୁଲିସ ଓ ଗଣମାଧ୍ୟମକୁ ଅନ୍ତରରୁ ଧନ୍ୟବାଦ।

The post ଭାଣ୍ଡିଆ ହେଲା ୟୁପି ପୁଲିସ; ଜିତିଗଲା ଆକାଂକ୍ଷାଙ୍କ ପ୍ରେମ, ସ୍ବାମୀ ସହ ଶାଶୂଘର ଗଲେ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp