ବେଆଇନ ଭାବେ ରଥ ନିର୍ମାଣ କରୁଥିବା ୧୦ ମହାରଣା ଅଟକ
ବାଲେଶ୍ଵର : ଓଡିଶା ସରକାରଙ୍କ ଆଦେଶକୁ ଉଲ୍ଲଂଘନ କରି ରଥ ନିର୍ମାଣରେ ନିୟୋଜିତ ଥିବା ୧୦ ଜଣ ମହାରଣା ସେବାୟତଙ୍କୁ ସୋମବାର ଥାନାରେ ଅଟକ ରଖାଯାଇଛି । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ମିଳିତ ଭାବରେ ଚଢ଼ାଉ କରିଥିଲେ ।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ୍ କଟକଣା ପାଇଁ ରଥଯାତ୍ରା ବନ୍ଦ ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ। ଖାଲି ପୁରୀ ରଥ ପାଇଁ ଅନୁମତି ଦିଆଯାଇଥିଲା। ତେବେ ସରକାରଙ୍କ ଏହି ଆଦେଶକୁ ଅବମାନନା କରି ରଥ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ଓ କୋଭିଡ୍ ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ତହସିଲଦାର ଅଶେଷ କୁମାର ନାୟକ ପୋଲିସ ନେଇ ରଥ ନିର୍ମାଣ କରିବା ସ୍ଥାନରେ ପହଞ୍ଚିଥିଲେ। ଘଟଣାରେ ୧୦ ଜଣ କାର୍ଯ୍ୟରତ ମହାରଣାଙ୍କୁ ଥାନାରେ ଅଟକ ରଖାଯାଇଥିବାବେଳେ ନିର୍ମାଣ ଉପକରଣ ଜବତ କରାଯାଇଛି।
ପୂର୍ବରୁ ମଧ୍ୟ ଜିଲ୍ଲାପାଳ ରଥ ନିର୍ମାଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଠାକୁରମାହାଲ ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ନୋଟିସ ମାଧ୍ୟମରେ ରଥ ନିର୍ମାଣରୁ ନିବୃତ୍ତ ରହିବା ସହ ଅଯଥା ଗହଳି ନଜମାଇବାକୁ ନିର୍ଦ୍ଦେଶ ଦେଇଥିଲେ।