ବିଳମ୍ବ ହୋଇପା‌ରେ ପଞ୍ଚାୟତ ନିର୍ବାଚନ: ୪ ଚିଠି ଦେଲେଣି ନିର୍ବାଚନ କମିସନ ଉତ୍ତର ମିଳିଲାନି, ପୁଣି ଚିଠି ଲେଖିଲେ

ବିଳମ୍ବ ହୋଇପା‌ରେ ପଞ୍ଚାୟତ ନିର୍ବାଚନ: ୪ ଚିଠି ଦେଲେଣି ନିର୍ବାଚନ କମିସନ ଉତ୍ତର ମିଳିଲାନି, ପୁଣି ଚିଠି ଲେଖିଲେ

ଭୁବନେଶ୍ବର, ୨୨/୬ (ଇମିସ): ପଞ୍ଚାୟତ ନିର୍ବାଚନ ପାଇଁ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ କରିବା ଦାୟିତ୍ବ ହେଉଛି ରାଜ୍ୟ ପଞ୍ଚାୟତିରାଜ ବିଭାଗର। ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଭାଗକୁ ନିର୍ବାଚନ କମିସନ୍‌ ୩ଟି ଚିଠି ‌ଲେଖି ମନେ ପକାଇଥିଲେ। ଜାନୁଆରିରେ ଦୁଇଟି ଓ ମାର୍ଚ୍ଚରେ ଗୋଟିଏ ଚିଠି। ସମୟସୀମା‌ ଦେଇଥିଲେ ୩୦ ଏପ୍ରିଲ୍‌ ୨୦୨୧। ବିଭାଗ ସେହି କାମ ତ କଲାନି। ବରଂ ଚିଠିର ଉତ୍ତର ଦେବାକୁ ବି ଉଚିତ ମଣିଲାନି। ଗତକାଲି କମିସନ୍‌ ପୁନର୍ବାର ଚିଠି ‌ଲେଖିଛନ୍ତି। ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ କାର୍ଯ୍ୟର ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି। କାହିଁକି ଏ କାର୍ଯ୍ୟ କରାଯାଇନି ଓ କେବେ କରାଯିବ, ସେ ସମ୍ପର୍କରେ ପଞ୍ଚାୟତିରାଜ ବିଭାଗରୁ ଉତ୍ତର ଲୋଡ଼ିଛନ୍ତି।

୨୦୨୨ ମାର୍ଚ୍ଚ ମାସରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଛି। ‌ତେଣୁ ଆସନ୍ତା ଫେବ୍ରୁଆରି ମାସ‌ରେ ନିର୍ବାଚନ ହେବା କଥା। କିନ୍ତୁ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଲଗାତର ଚିଠି ଲେଖାଯିବା ଓ ପଞ୍ଚାୟତିରାଜ ବିଭାଗ ନିରୁତ୍ତର ରହିବା ଘଟଣା ସମଗ୍ର ପ୍ରସଙ୍ଗଟିକୁ ସନ୍ଦେହ ଭିତରକୁ ଟାଣି ଦେଇଛି। ନିର୍ବାଚନ ନ ହେବା ନେଇ ଆଶଙ୍କା ବଢ଼ିବାରେ ଲାଗିଛି। ଆଗାମୀ ଗୋଟିଏ ମାସ ଭିତରେ ଯଦି ପଞ୍ଚା‌ୟତିରାଜ ବିଭାଗ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ନ କରନ୍ତି, ତେବେ କୌଣସି ପରିସ୍ଥିତିରେ ବି ନିର୍ଦ୍ଧାରିତ ସମୟରେ ପଞ୍ଚାୟତ ନିର୍ବାଚନ ହୋଇପାରିବ ନାହିଁ। ସାଧାରଣତଃ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ କାମ ସମୟସାପେକ୍ଷ। ଏଥିପାଇଁ ପଞ୍ଚାୟତିରାଜ ବିଭାଗକୁ ପାଖାପାଖି ତିନି ମାସ ଲାଗିଯାଏ। ଏହା ପରେ ନିର୍ବାଚନ କମିସନ୍ ଭୋଟର୍‌ ତାଲିକା ଚୂଡ଼ାନ୍ତ କରିବା ପ୍ରକ୍ରିୟା ଆରମ୍ଭ କରନ୍ତି। ଏହା ମଧ୍ୟ ଦେଢ଼ରୁ ଦୁଇ ମାସ ଲାଗିଯାଏ। ଚୂଡ଼ାନ୍ତ ଇଲେକ୍ଟୋରାଲ୍‌ ରୋଲ୍‌ ନିର୍ବାଚନ କମିସନ୍‌ଙ୍କ ପାଖକୁ ଆସିଲା ପରେ ହିଁ ତାରିଖ ଘୋଷଣା କରାଯାଏ। ଏବେ ପଞ୍ଚାୟତିରାଜ ବିଭାଗର ହାବଭାବରୁ ଜଣାପଡ଼ୁଛି ଯେ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଏକ ମାସ ଭିତରେ ଆରମ୍ଭ ହେବାର ସମ୍ଭାବନା କ୍ଷୀଣ।

ଖୋଦ୍ ରାଜ୍ୟ ନିର୍ବାଚନ କମିସନ୍‌ଙ୍କ ସଚିବ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବା ନେଇ ଆଜି ସଙ୍କେତ ଦେଇଛନ୍ତି। ଗଣମାଧ୍ୟମକୁ ସଚିବ ଆର୍‌ ଏନ୍ ସାହୁ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସୀମା ପୁନଃ ନିର୍ଦ୍ଧାରଣ ଓ ସଂରକ୍ଷଣ କାମ ସରିବା କଥା। ଏ ଦୁଇଟି କାମ ସାରିବାକୁ ରାଜ୍ୟ ସରକାରଙ୍କୁ ଆମେ ଚିଠି ଲେଖିଥିଲୁ। ଏ ଦୁଇଟି କାର୍ଯ୍ୟ ସରିଲେ କମିସନ୍ ନିର୍ବାଚନ ପାଇଁ ପଦକ୍ଷେପ ନେବେ। ଏଯାଏ ସୀମା ପୁନଃ ନିର୍ଦ୍ଧାରଣ, ସଂରକ୍ଷଣ କାର୍ଯ୍ୟ କରାଯାଇ ନାହିଁ। ସେହି ଦୃଷ୍ଟିରୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ଥିବା ଜଣାପଡ଼ୁଛି।

ମିଳିଥିବା ସୂଚନା ଅନୁଯାୟୀ ୫୦% ସଂରକ୍ଷଣ ସୀମା ହିଁ ସରକାରଙ୍କୁ ନିର୍ବାଚନ ପ୍ରସ୍ତୁତିରେ ବାଟ ଓଗାଳୁଛି। ପୌର ନିର୍ବାଚନ ଏହି କାରଣ ପାଇଁ ବିଳମ୍ବ ହେଉଥିଲା ବେଳେ ଏବେ ପଞ୍ଚାୟତ ନିର୍ବାଚନ ମଧ୍ୟ ବିଳମ୍ବ ‌ହେବାର ଆଶଙ୍କା ଦେଖାଦେଇଛି। ଯେହେତୁ ସଂରକ୍ଷଣ ସୀମା କୌଣସି ପରିସ୍ଥିତିରେ ୫୦%ରୁ ଅଧିକ ‌ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି, ତେଣୁ ସରକାର ସଂରକ୍ଷଣ ବ୍ୟବସ୍ଥା କିପରି ଲାଗୁ କରିବେ ତାହାର ବାଟ ପାଉ ନାହାନ୍ତି। କାରଣ ଗତ ପଞ୍ଚାୟତ ନିର୍ବାଚନରେ ଏସ୍‌ସି, ଏସ୍‌ଟି ଓ ଓବିସି ବର୍ଗ ପାଇଁ ୬୬% ଆସନ ସଂରକ୍ଷିତ ରହିଥିଲା। ଏଥର ୫୦% ସଂରକ୍ଷଣ କରିବାକୁ ହେଲେ ‌କେଉଁ ବର୍ଗର କୋଟା କମାଇବେ, ତାହା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହା ଦ୍ବାରା ଅସନ୍ତୋଷ ସୃଷ୍ଟି ହେବାର ଆଶଙ୍କା ରହିଛି। ତେଣୁ ବିବାଦ ଭିତରକୁ ନ ପଶି ବିଭିନ୍ନ ଆଳରେ ସମୟ ଗଡ଼ାଇବା ପାଇଁ ହିଁ ସରକାରଙ୍କ ପାଇଁ ଏକ ସହଜ ବାଟ ହୋଇଛି। ପୌର ନିର୍ବାଚନ ଅହେତୁକ ବିଳମ୍ବ ହେବା ନେଇ କେହି ପାଟି ଫିଟାଉ ନାହାନ୍ତି। ତେଣୁ ପଞ୍ଚାୟତ ନିର୍ବାଚନ ବିଳମ୍ବ ହେଲେ ମଧ୍ୟ ବିରୋଧୀଙ୍କ ପଟୁ ଚାପ ସୃଷ୍ଟି ହେବାର ସମ୍ଭାବନା କମ୍ ବୋଲି ସରକାର ଧରି ନେଇଛନ୍ତି।

The post ବିଳମ୍ବ ହୋଇପା‌ରେ ପଞ୍ଚାୟତ ନିର୍ବାଚନ: ୪ ଚିଠି ଦେଲେଣି ନିର୍ବାଚନ କମିସନ ଉତ୍ତର ମିଳିଲାନି, ପୁଣି ଚିଠି ଲେଖିଲେ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp