ବସି ରହିବାକୁ ହେବ
ରମଣ ମହର୍ଷିଙ୍କ ସହିତ ସାକ୍ଷାତ କରିବାକୁ ଜର୍ମାନିର ଦଳେ ସଂସ୍କୃତ ବିଦ୍ବାନ ମନ ବଳାଇଲେ। ସେଥି ଲାଗି ଏହି ବିଦ୍ବାନମାନେ ରମଣ ମହର୍ଷିଙ୍କ ବ୍ୟକ୍ତିିଗତ ସହାୟକ ଓ ଜଣେ ଘନିଷ୍ଠ ବ୍ୟକ୍ତିଙ୍କୁ ଚିଠି ଲେଖିଲେ- ଆମେ ଶୁଣିଛୁ, ରମଣ ମହର୍ଷି ପରମେଶ୍ବରଙ୍କ ସତ୍ତାକୁ ଉପଲବ୍ଧି କରିପାରିଛନ୍ତି। ତାହା ସେ କିଭଳି କରିପାରିଲେ, ଆମକୁ ବୁଝାଇ ଦେବେ କି ପଚାରି ଆମକୁ ଲେଖିବେ। ସୁତରାଂ, ମହର୍ଷିଙ୍କ ବ୍ୟକ୍ତିଗତ ସହାୟକ ରମଣ ମହର୍ଷିଙ୍କୁ ସବୁ କଥା କହି ସାକ୍ଷାତ ଲାଗି ଉପଯୁକ୍ତ ସମୟ ମାଗିଲେ। ରମଣ ମହର୍ଷି ଗୋଟିଏ ସମୟ ଦେଲେ।
କିଛି ଦିନ ପରେ ଜର୍ମାନିରୁ ବିଦ୍ବାନ ଦଳ ଆସିଲେ। ଈଶ୍ବରଙ୍କ ଅନୁଭୂତି ଲାଭ କରିବାର ଉପାୟ ବାବଦରେ ସେମାନେ ମହର୍ଷିଙ୍କୁ ପଚାରିଲେ। ମହର୍ଷି କହିଲେ- ଉପାୟ ବେଶ୍ ସରଳ। କେବଳ ବସି ରହିବାକୁ ହେବ।
ବିଦ୍ବାନମାନେ ମନେ ମନେ ଭାବିଲେ ଯେ ସମ୍ଭବତଃ ରମଣ ମହର୍ଷି ସେମାନଙ୍କୁ ପରିହାସ କରୁଛନ୍ତି! ତା’ ନ ହେଲେ ଏଭଳି ହାଲୁକା କଥା କହନ୍ତେ ନାହିଁ।
ଏହା ବିଚାରି ସେମାନେ ରମଣ ମହର୍ଷିଙ୍କ ବ୍ୟକ୍ତିଗତ ସହାୟକଙ୍କୁ ଏ ବାବଦରେ କହିଲେ।
ରମଣ ମହର୍ଷିଙ୍କ ବ୍ୟକ୍ତିଗତ ସହାୟକ କହିଲେ- ମହର୍ଷି ଠିକ କଥା କହିଛନ୍ତି। କେବଳ ବସି ରହିବାକୁ ହେବ। କିନ୍ତୁ ତୁମେ ବା ଆମେ ଯେମିତି ବସୁଛେ, ସେମିତି ନୁହେଁ। ରମଣ ମହର୍ଷିଙ୍କ ଭଳି ବସି ରହିବାକୁ ହେବ। ରମଣ ମହର୍ଷି ଯେତେବେଳେ ସେମିତି ବସି ଯାଆନ୍ତିି, ସେତିକି ବେଳେ ସେ ପଥର ହୋଇ ଯାଆନ୍ତି। ସେମିତି ବସିବା ସହଜ ବ୍ୟାପାର ନୁହେଁ।
The post ବସି ରହିବାକୁ ହେବ first appeared on Sambad.