ବରଗାଁରେ ବାଲ୍ୟ ବିବାହ; ଭୋଜି ଖାଇବା ବେଳେ ପହଞ୍ଚିଲା ପୁଲିସ, ପ୍ରଶାସନ
ଧମା : ମାନେଶ୍ବର ବ୍ଲକ ବରଗାଁ ହାଇସ୍କୁଲ ପଡ଼ାଠାରେ ଚାରିଥିଲା ବାଲ୍ୟବିବାହ। ଏ ନେଇ ଖବର ପାଇବା ପରେ ପୁଲିସ ଓ ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଥିଲା। କିନ୍ତୁ ସେତବେଳକୁ ଲୋକେ ଭୋଜି ଖାଉଥିଲେ ଏବଂ ନାବାଳିକାଙ୍କୁ ବିବାହ କରି ଯୁବକ ଜଣକ ଏକ ବାଇକ୍ରେ ଫେରାର୍ ମାରି ସାରିଥିଲେ।
ସୂଚନାରୁ ପ୍ରକାଶ ଯେ, ବରଗାଁରେ ବାଲ୍ୟ ବିବାହ ହେଉଥିବା ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଚିସ୍ମିତା ପଟ୍ଟନାୟକ,ମାନେଶ୍ବର ବ୍ଲକ ସିଡିପିଓ ମିତା ଶର୍ମା ଏବଂ ଧମା ଥାନାଧିକାରୀ ରାଜେଶ୍ବରୀ ଭୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ପହଞ୍ଚିବା ପୂର୍ବରୁ କିନ୍ତୁ ବିବାହ ହୋଇ ସାରିଥିଲା। ବିବାହ ସାରି ନାବାଳିକାଙ୍କୁ ଏକ ବାଇକ୍ରେ ବସାଇ ଯୁବକ ଜଣକ ବାଇକ୍ରେ ଫେରାର୍ ମାରିଥିଲେ। ଘଟଣା ସମ୍ପର୍କରେ ବର ପକ୍ଷକୁ ପଚାରିବାରୁ, ବିବାହ ହୋଇନଥିବା କହିଥିଲେ। କାନ୍ଥରେ କିନ୍ତୁ ପୁଅ ଓ ଝିଅର ନାଁ ଲେଖାଯାଇଥିଲା। ଘରେ ବେଦି ତିଆରି ହୋଇଥିଲା ଆଉ ଲୋକେ ଭୋଜି ମଧ୍ୟ ଖାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ ପରମାଣପୁର ଗ୍ରାମ ପଞ୍ଚାୟତର ନାବାଳିକା ଜଣକ ବିବାହ କରୁଥିବା ନେଇ ଶନିବାର ଅଙ୍ଗନବାଡି କର୍ମୀଙ୍କୁ ସୂଚନା ମିଲିଥିଲା। ଏହାପରେ ଅଙ୍ଗନବାଡି ଦିଦି ନାବାଳିକାଙ୍କ ବିବାନ ନ କରିବା ପାଇଁ ତାଙ୍କ ମାଙ୍କୁ ବୁଝାଇଥିଲେ। ସେତେବେଳେ ନାବାଳିକାଙ୍କ ମା ଅଙ୍ଗନବାଡି ଦିଦିଙ୍କୁ ମିଛରେ ହଁ କହିଦେଇ ଘରୁ ପଠାଇ ଦେଇଥିଲେ। ଏହାପରେ ନାବାଳିକାଙ୍କୁ ପୁଅଘର ଗାଁକୁ ଆଣି ଝିଅଘର ଲୋକେ ସେଠାରେ ବିବାହ କରାଇଥିଲେ।
The post ବରଗାଁରେ ବାଲ୍ୟ ବିବାହ; ଭୋଜି ଖାଇବା ବେଳେ ପହଞ୍ଚିଲା ପୁଲିସ, ପ୍ରଶାସନ first appeared on Sambad.