ବନ୍ଧୁକ ଦେଖାଇ ଲୁଟ୍ । ଫାଇନାନ୍ସ କର୍ମଚାରୀଙ୍କଠାରୁ ୨୨ ହଜାର ଟଙ୍କା ସହ ମୋବାଇଲ୍ ଲୁଟିନେଲେ ଲୁଟେରା ।
କନକ ବ୍ୟୁରୋ : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ଅଞ୍ଚଳରେ ଅପରାଧୀ ବେଶ ସକ୍ରିୟ ଅଛନ୍ତି । ଲୁଟ, ରାହାଜାନୀ, ଚୋରି ସଂଖ୍ୟା ବଢୁଛି । ଲୁଟେରା ମାନେ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ବାରମ୍ବାର ଟାର୍ଗେଟ କରୁଛନ୍ତି । ଆଜି ପୁଣି ଜଣେ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ନଗଦ ଟଙ୍କା ଏବଂ ମୋବାଇଲ ଲୁଟି ନେଇଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ କରିଛି ।
ସୂଚନା ଅନୁସାରେ, ସୂର୍ଯୋଦୟ ଫାଇନାନସ କର୍ମଚାରୀ ପ୍ରକାଶ ଚନ୍ଦ୍ର ଚମ୍ପତି ଆଜି କଟକ ଜିଲ୍ଲା ନୋଦା ଏବଂ ଗୋପାଳ ନଗରରୁ ଟଙ୍କା ଆଦାୟ କରି ବନମାଳିପୁର ଅଭିମୁଖେ ଫେରୁଥିଲେ । ୩ ଜଣ ଯୁବକ ଗୋଟିଏ ସିବିଜେଡ ବାଇକରେ ଆସି ତାଙ୍କୁ ଭାକରସାହି କେନାଲ ବନ୍ଧ ରାସ୍ତାରେ ଅଟକାଇ ଥିଲେ ଏବଂ ମାରଣାସ୍ତ୍ର ଦେଖାଇ ପାଖରେ ଯାହା ଅଛି ଦେଇଦେବାକୁ କହିଥିଲେ । ବିଳମ୍ୱ ହେବାରୁ ତାଙ୍କ ଓଡି ୧୩ ଜି ୬୦୪୧ ବାଇକ ଡ଼ିକିକୁ କଟୁରୀରେ ହାଣି ଭାଙ୍ଗି ଦେଇଥିଲେ ଏବଂ ବନ୍ଧୁକ କାଢି ମୁଣ୍ଡରେ ଲଗାଇ ମାରିଦେବାର ଧମକ ଦେଇଥିଲେ । ସେହି ସମୟରେ ଅନ୍ୟ ଜଣେ ତାଙ୍କ ଠାରୁ ୨୨ ହଜାର ଟଙ୍କା ଏବଂ ଦାମୀ ମୋବାଇଲ ଫୋନ ଛଡାଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରି ଥିଲା । ଲୁଟର ଶିକାର ହୋଉଥିବା କର୍ମଚାରୀଙ୍କ ତରଫରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଛି ।