ପାହାଡ ଚଢି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ । ମାସ୍କ ବାଣ୍ଟିଲେ, ଟିକାକରଣ କଲେ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ ପରେ ଚାରିଆଡେ ଚର୍ଚ୍ଚା ।

ପାହାଡ ଚଢି ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ଜିଲ୍ଲାପାଳ । ମାସ୍କ ବାଣ୍ଟିଲେ, ଟିକାକରଣ କଲେ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ ପରେ ଚାରିଆଡେ ଚର୍ଚ୍ଚା ।

କନକ ବ୍ୟୁରୋ: ଘଞ୍ଚ ଅରଣ୍ୟ ଆଉ ପାହାଡିଆ ରାସ୍ତା । ଏହାରି ଭିତରେ ବାଡି ଖଣ୍ଡେ ଧରି ଆଗେଇ ଚାଲିଛନ୍ତି କିଛି ଲୋକ । ଆଉ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଜିଲ୍ଲାପାଳ । ଏଭଳି ଦୁର୍ଗମ ରାସ୍ତା ଦେଇ ସେ ଯାଉଛନ୍ତି ଲୋକଙ୍କୁ ଟିକା ଦେବାକୁ । ତାହା ପୁଣି ଭାରତ-ଭୁଟାନ ସୀମାବର୍ତ୍ତୀ ଗାଁକୁ । କରୋନା ମହାମାରୀରୁ ଦୁର୍ଗମ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବାକୁ ସତେ ଯେପରି ସେ ମନସ୍ତ କରିଛନ୍ତି । ସେଥିପାଇଁ ତ ତାଙ୍କୁ ଏ ଦୁର୍ଗମ ରାସ୍ତାରେ ଯିବାକୁ ମଧ୍ୟ ଭୟ ଲାଗୁନି ।

ତାଙ୍କ ପାଇଁ ଲୋକଙ୍କ ଜୀବନ ଆଗ, ସେଥିପାଇଁ ତ ନିଜ ଜୀବନକୁ ବାଜି ଲଗାଇ ସେ ଯାଉଛନ୍ତି ଲୋକଙ୍କ ଜୀବନ ବଞ୍ଚାଇବାକୁ । ଦୁର୍ଗମ ଅଞ୍ଚଳର ପାହାଡିଆ ରାସ୍ତାକୁ ପାର କରି ସେ ପହଞ୍ଚିଛନ୍ତି ଲୋକଙ୍କ ପାଖରେ । ତାଙ୍କର କେବଳ ଗୋଟିଏ ଲକ୍ଷ୍ୟ ଏହି ଅଞ୍ଚଳର ଲୋକଙ୍କୁ ଟିକା ଦେବା । ଆଉ ତାଙ୍କ ଜୀବନ ବଞ୍ଚାଇବା ।

ଏହି ଘଟଣାଟି ହେଉଛି ପଶ୍ଚିମବଙ୍ଗର । ଆଉ ଜିଲ୍ଲାପାଳ ଜଣକ ହେଉଛନ୍ତି ଅଲିପୁରଦ୍ୱାର ଜିଲ୍ଲାର ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିଣା । ଏହି ଗାଁକୁ ଯିବା ପାଇଁ ଜିଲ୍ଲାପାଳ ଓ ଡାକ୍ତରୀ ଟିମ ୧୧ କିଲୋମିଟର ପାହାଡିଆ ରାସ୍ତା ଚାଲି ଥିଲେ । ଏହି ରାସ୍ତା ମଧ୍ୟରେ ପଡୁଥିବା ପ୍ରାୟ ସମସ୍ତ ଗାଁରେ ସେମାନେ ଟିକାକରଣ କରିଥିଲେ ।

ପୋଖରୀ, ତୋରିବାରି, ସୋଗାଁ ଓ ଫୁଲବାଟି ଗାଁ ଦେଇ ଶେଷରେ ସେମାନେ ପହଞ୍ଚିଥିଲେ ଅଦମା ଗାଁରେ । ଏହି ଗାଁ ଭାରତ ଓ ଭୁଟାନ ସୀମା ନିକଟବର୍ତ୍ତୀ ଅଞଚ୍ଳରେ ଅବସ୍ଥିତ । ଏଭଳି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଟିକାକରଣ କରିବା ଜିଲ୍ଲାପାଳ ଓ ଡାକ୍ତରୀ ଟିମ ପାଖରେ ଏକ ଚ୍ୟାଲେଞ୍ଜ ଥିଲା । ତେବେ ସେଠାରେ ପହଞ୍ଚି ଲୋକଙ୍କୁ ଟିକା ଦେବାରେ ସେମାନେ ସଫଳ ହୋଇଥିଲେ । ସେମାନେ କେବଳ ଟିକା ନୁହେଁ, ଟିକା ଦେବା ସହ କୋରନାକୁ ନେଇ ଲୋକଙ୍କୁ ସଚେତନ କରାଇଥିଲେ ଓ ମାସ୍କ ବାଣ୍ଟିଥିଲେ । ଏହାସହ ଟିକାକୁ ନେଇ ସେମାନଙ୍କ ମନରେ ଥିବା ଭୁଲ ଧାରଣାକୁ ମଧ୍ୟ ଦୂର କରିଥିଲେ ।

ଜଣେ ଆଇଏଫଏସ ଅଫିସର ପରବିନ କାସବାନ ସୁରେନ୍ଦ୍ର କୁମାର ମିଣାଙ୍କ ଏହି ଭିଡିଓକୁ ଟ୍ୱିଟରରେ ସେୟାର କରିଥିଲେ । ଆଉ ତାଙ୍କୁ ପ୍ରଶଂସା କରିଥିଲେ । ପରେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଆଉ ଜିଲ୍ଲାପାଳଙ୍କ ଏଭଳି କାମକୁ ଲୋକମାନେ ବେଶ ପ୍ରଶଂସା କରିଥିଲେ ।

କରୋନା ମହାମାରୀ ପାଇଁ ସାରା ଦେଶରେ ଟିକାକରଣ ଜାରି ରହିଛି । କିନ୍ତୁ ସହରଠୁ ଗ୍ରାମାଞ୍ଚଳରେ ଟିକାକରଣକୁ କମ ପ୍ରାଧାନ୍ୟ ଦିଆଯାଉଛି । ତେଣୁ ଦୁର୍ଗମ ଅଞ୍ଚଳ ଲୋକଙ୍କ ପାଖରେ ଟିକା ପହଞ୍ଚିବା ସାତ ସ୍ୱପ୍ନ ହୋଇଯାଉଛି । ହେଲେ ଅଲ୍ଲିପୁରଦ୍ୱାର ଜିଲ୍ଲାପାଳଙ୍କ ସାହସ ଆଉ ଇଚ୍ଛାଶକ୍ତି ଯୋଗୁଁ ପଶ୍ଚିମବଙ୍ଗର କିଛି ଦୁର୍ଗମ ଅଞ୍ଚଳରେ ଟିକାକରଣ ସମ୍ଭବ ହୋଇପାରିଛି ।

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp