ପାଲେଷ୍ଟାଇନ୍-ଇସ୍ରାଏଲ୍‌ ପ୍ରଶ୍ନ ଓ ଗାନ୍ଧୀଙ୍କ ଉତ୍ତର

ପାଲେଷ୍ଟାଇନ୍-ଇସ୍ରାଏଲ୍‌ ପ୍ରଶ୍ନ ଓ ଗାନ୍ଧୀଙ୍କ ଉତ୍ତର

ପାଲେଷ୍ଟାଇନ୍ ଓ ଇସ୍ରାଏଲ୍ ମଧ୍ୟରେ ୨୦୨୧ ମେ ୧୦ରୁ ଆରମ୍ଭ ହୋଇ ୧୧ ଦିନ ଧରି ଚାଲିଥିବା ଯୁଦ୍ଧରେ ୬୬ ପାଲେଷ୍ଟେନୀୟ ଶିଶୁଙ୍କ ସମେତ ୨୪୮ ଜଣ ନାଗରିକ ଆଖି ବୁଜିଥିଲେ ଏବଂ ୨୦୦୦ରୁ ଅଧିକ ଆହତ ହୋଇଥିଲେ। ସେହିପରି ପାଲେଷ୍ଟେନୀୟଙ୍କ ରକେଟ୍ ମାଡ଼ରେ ଇସ୍ରାଏଲ୍‌ର ମଧ୍ୟ ୨ ଶିଶୁ ସମେତ ୧୨ ଜଣ ନାଗରିକଙ୍କର ମୃତ୍ୟୁ ଘଟିଥିଲା। କହିବା ବାହୁଲ୍ୟ, କୋଭିଡ୍ ପୀଡ଼ିତଙ୍କ ସଂଖ୍ୟା ପରି ଏହି ମୃତାହତଙ୍କ ସଂଖ୍ୟା ଦୁନିଆକୁ କମ୍ ସତ ବତାଇବା ସହ ଅଧିକ ଛପାଉଛି।

ଏହି ଦ୍ବିପାକ୍ଷିକ ଯୁଦ୍ଧ କିଏ ଆରମ୍ଭ କଲା, ସେ ପ୍ରଶ୍ନ ଯେତିକି ନିରର୍ଥକ, ଯୁଦ୍ଧବିରତି ଘୋଷଣା ମଧ୍ୟ କିଏ କଲା ତାହା ସେତିକି ଅବାନ୍ତର। ତେବେ ନିରନ୍ତର ଯୁଦ୍ଧ ଓ ବିରତି ଜାରି ରହିଥିବା ପ୍ରକ୍ରିୟାରେ ଉଭୟ (ଯୁଦ୍ଧ ଓ ବିରତି)ରୁ ଫାଇଦା ହାସଲ ପାଇଁ ଅନ୍ୟମାନେ ମଧ୍ୟ ଅଛନ୍ତି। ଯୁଦ୍ଧ ବିରାମ ପରେ ପରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଦୁଇ ପକ୍ଷ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସାକ୍ଷାତ କରି ଯାହା କହିଥିଲେ, ତାକୁ ତର୍ଜମା କଲେ ହୁଏ’ତ ଯୁଦ୍ଧ ଆଉ ବିରତିର ସମଗ୍ର ଖେଳ କିଏ, କେଉଁଠି ଓ କେମିତି ଖେଳୁଛି, ତାହା ସହଜରେ ବୁଝିହେବ। ଇସ୍ରାଏଲ୍‌ର ସୁରକ୍ଷା, ଶାନ୍ତି ଓ ସମ୍ମାନ ପ୍ରତି ଆମେରିକା ବଚନବଦ୍ଧ ବୋଲି ବ୍ଲିଙ୍କେନ୍ କହିଥିଲେ। ସେହିପରି ବୋମାମାଡ଼ରେ ଛିନଛତ୍ର ହୋଇଯାଇଥିବା ଗାଜା ସହର କ୍ଷତର ଉପଶମ ଏବଂ ପାଲେଷ୍ଟାଇନ୍‌ର ସମ୍ପୂର୍ଣ୍ଣ ବିକାଶ ପାଇଁ ଆମେରିକା ୭୫୦୦ କୋଟି ଡଲାର ସହାୟତା ଦେବ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ। ବ୍ଳିଙ୍କେନ୍ ଏପରି କରିବାର ଏକମାତ୍ର ଉଦ୍ଦେଶ୍ୟ ହେଲା, ଯୁଦ୍ଧ ଆମ ହାତ ମୁଠାରେ, ବିରାମ ବି ଆମେରିକା କବ୍‌ଜାରେ ବୋଲି ଜଣାଇବା। ଅପରପକ୍ଷେ, ପାଲେଷ୍ଟାଇନ୍‌ର ହମାସ ଗୋଷ୍ଠୀ ଯଦି ପୁଣି ଯୁଦ୍ଧବିରତିର ଉଲ୍ଲଂଘନ କରେ ତେବେ ତାହାର କଡ଼ା ଜବାବ ଦିଆଯିବ ବୋଲି ସେତେବେଳେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଥିବା ନେତାନ୍ୟାହୁ ଧମକ ଦେଇଥିଲେ। ଏଣେ କୌଣସି ପରିସ୍ଥିତିରେ ବି ସେମାନେ ଛାଡ଼ିବେନି ବୋଲି ପାଲେଷ୍ଟାଇନ୍ ଜବାବ ରଖିଥିଲା। ଏଥିରୁ କିଏ ଯୁଦ୍ଧ ବିରତି ଚାହୁଛି ଓ କାହାର ଶାନ୍ତିପ୍ରିୟ ସହାବସ୍ଥାନ ଉପରେ ଭରସା, ତାହା ସହଜରେ ଅନୁମେୟ। ଏହି ପୂରା କାହାଣୀ ଧୋକାବାଜିରେ ଆରମ୍ଭ ହୋଇ ଧୋକାବାଜିରେ ଏ ଯାବତ୍ ହିଁ ଜାରି ରହିଛି। ତେବେ କାହାଣୀର ପ୍ରାରମ୍ଭରୁ ହିଁ ସମ୍ପୂର୍ଣ୍ଣ କାହାଣୀ ଏବଂ ତାହାର କଥାକାର ପ୍ରତି ମହାତ୍ମା ଗାନ୍ଧୀଙ୍କର ତୀକ୍ଷ୍‌ଣ ନଜର ରହିଥିଲା।

୧୯୩୮ ମସିହାର ଶେଷ ବେଳକୁ ସେ ଦୁନିଆର ସମସ୍ୟା କଥା ଚିନ୍ତା କରୁଥିଲେ। ୟୁରୋପରେ ଇହୁଦୀମାନଙ୍କ ଦଶା ପ୍ରତି ତାଙ୍କର ବିଶେଷ ନଜର ରହିଥିଲା। ସୀମାନ୍ତ ପ୍ରଦେଶଗୁଡ଼ିକର ଯାତ୍ରା ସାରି ଫେରିଲା ପରେ ସେ ନିଜ ପ୍ରଥମ ସମ୍ପାଦକୀୟ ‘ଖ୍ରୀଷ୍ଟ ଧର୍ମର ଅସ୍ପୃଶ୍ୟ’ରେ ଲେଖିଥିଲେ: ‘ମୋର ସମସ୍ତ ସହାନୁଭୂତି ଇହୁଦୀମାନଙ୍କ ସାଥିରେ ରହିଛି। ମୋର ଦକ୍ଷିଣ ଆଫ୍ରିକା ରହଣି ବେଳେ ଅତି ନିକଟରୁ ମୁଁ ସେମାନଙ୍କୁ ଜାଣିଛି। ସେମାନଙ୍କ ଭିତରୁ କେତେଜଣଙ୍କ ସହିତ ମୋର ଜୀବନବ୍ୟାପୀ ବନ୍ଧୁତା ରହିଛି ଏବଂ ସେମାନଙ୍କ ପ୍ରତି ହେଉଥିବା ବୈଷମ୍ୟଭାବ ସମ୍ପର୍କରେ ସେମାନଙ୍କ ଠାରୁ ହିଁ ଜାଣିପାରିଛି। ସେମାନଙ୍କୁ ଖ୍ରୀଷ୍ଟିଆନମାନଙ୍କ ଅସ୍ପୃଶ୍ୟ କରିଦିଆଯାଇଛି। ଯଦି ତୁଳନା କରାଯାଏ, ମୁଁ କହିବି ଭାରତରେ ହିନ୍ଦୁମାନେ ଯେପରି ଆମର ଅଛୁଆଁ ଜାତି ସହ ବ୍ୟବହାର କରୁଛନ୍ତି, ସେଠାରେ ଇହୁଦୀଙ୍କ ସହ ଖ୍ରୀଷ୍ଟିଆନମାନେ ପାଖାପାଖି ସେପରି କରୁଛନ୍ତି। ଏହି ଦୁଇ ଶ୍ରେଣୀ ପ୍ରତି ହେଉଥିବା ଅମାନବୀୟ ବ୍ୟବହାର ପ୍ରସଙ୍ଗରେ ଧର୍ମଭିତ୍ତିକ କଥା କୁହାଯାଉଛି। ବ୍ୟକ୍ତିଗତ ବନ୍ଧୁତା ବ୍ୟତିରେକ ଇହୁଦୀମାନେ ମୋ ଉପରେ ବ୍ୟାପକ ଆସ୍ଥା ରଖିଥିଲେ। ମାତ୍ର ସେମାନଙ୍କ ସହ ଥିବା ମୋର ନିବିଡ଼ ବନ୍ଧୁତା ମୋତେ ନ୍ୟାୟ ଦେଖାଇବାରୁ ରୋକି ପାରିନଥିଲା ଏବଂ ସେଥିପାଇଁ ଇହୁଦୀମାନଙ୍କର ସ୍ବତନ୍ତ୍ର ରାଷ୍ଟ୍ର ଗଠନ ଦାବିକୁ ମୁଁ ନାପସନ୍ଦ କରିଥିଲି। ଏଥିପାଇଁ ବାଇବେଲ୍‌ର ଆଧାର ଖୋଜା ଯାଉଛି ଓ ସେହି ଆଧାରରେ ସେମାନଙ୍କୁ ପାଲେଷ୍ଟାଇନ୍ ଫେରିଯିବାକୁ କୁହାଯାଉଛି। ସଂସାରରେ ଅନ୍ୟମାନେ ଯେମିତି ନିଜର ଜନ୍ମସ୍ଥାନରେ ପେଟପାଟଣା ପାଇଁ ଖଟୁଛନ୍ତି, ଇହୁଦୀମାନେ କାହିଁକି ସେପରି କରିପାରିବେନି?

ଇଂରେଜମାନଙ୍କ ପାଇଁ ଇଂଲାଣ୍ଡ ଯେମିତି, ଫରାସୀମାନଙ୍କ ପାଇଁ ଫ୍ରାନ୍‌ସ ଯେମିତି, ଆରବୀୟମାନଙ୍କ ପାଇଁ ପାଲେଷ୍ଟାଇନ୍ ସେମିତି। ସୁତରାଂ ଇହୁଦୀମାନେ ଏପରି ଜବରଦସ୍ତି ଆରବୀୟଙ୍କ ଉପରେ ଭାଗ ବସାଇବା ତ୍ରୁଟିପୂର୍ଣ୍ଣ ତଥା ଅମାନବୀୟ ହେବ। ସଂପ୍ରତି ପାଲେଷ୍ଟାଇନ୍‌ରେ ଯାହା ଘଟୁଛି, ତାହାର କିଛି ନୈତିକ ଭିତ୍ତିଭୂମି ନାହିଁ। ବିଗତ ବିଶ୍ବଯୁଦ୍ଧ ବ୍ୟତୀତ ତାହାର କୌଣସି ଯଥାର୍ଥତା ନାହିଁ। ଇହୁଦୀମାନଙ୍କୁ ସମ୍ପୂର୍ଣ୍ଣ ପାଲେଷ୍ଟାଇନ୍ ବା ତାହାର ଅଧା ଅର୍ପଣ କରିବା ଲାଗି ଦର୍ପୀ ଆରବୀୟମାନଙ୍କ ଉପରେ ଚାପ ପ୍ରୟୋଗ କରିବା ଅମାନବୀୟ ପଦକ୍ଷେପ ହେବ। ତେବେ ଇହୁଦୀମାନେ ଯେଉଁଠି ଜନ୍ମିଛନ୍ତି ଓ ପେଟପାଟଣା କରୁଛନ୍ତି, ସେଠି ସେମାନଙ୍କୁ ଭେଦଭାବହୀନ ତଥା ସମ୍ମାନାସ୍ପଦ ବ୍ୟବହାର ଦେଖାଇବା ଉଚିତ ହେବ, ଯେପରି ଫ୍ରାନ୍‌ସରେ ଜନ୍ମିତ ଖ୍ରୀଷ୍ଟିଆନ ଓ ଇହୁଦୀମାନଙ୍କୁ ଆମେ ଫରାସୀ ବୋଲି ମାନିଥାଉ। ଯଦି ଇହୁଦୀମାନେ କେବଳ ପାଲେଷ୍ଟାଇନ୍ ଚାହାନ୍ତି, ତେବେ ଦୁନିଆରେ ଯେଉଁଠି ଯେଉଁଠି ସେମାନେ ରହିଛନ୍ତି, ସେଠୁ ସେମାନଙ୍କୁ ଏଠାକୁ ଜବରଦସ୍ତ ହଟାଇ ଆଣିବା ସେମାନଙ୍କ ପାଇଁ ମଙ୍ଗଳ ହେବ କି? ନା ସେମାନେ ନିଜର ମଉଜ ପାଇଁ ଏପରି ଦୁଇଟା ଘର ଚାହିବେ? ନିଜ ପାଇଁ ଏକ ରାଷ୍ଟ୍ରୀୟ ବାସସ୍ଥାନ ଲୋଡ଼ା ବୋଲି ଏଠି ରଙ୍ଗ ଦିଆଯାଇ ପାରିଛି, ଏବଂ ଏହି କାରଣରୁ ସେମାନଙ୍କୁ ଜର୍ମାନିରୁ ତଡ଼ା ଖାଇବାକୁ ପଡ଼ିଛି।

ଜର୍ମାନିରେ ଇହୁଦୀମାନଙ୍କ ପ୍ରତି ଯାହା ହୋଇଛି, ଇତିହାସରେ ତା’ର ଅନ୍ୟ ଉଦାହରଣ ନାହିଁ। ଅତୀତରେ କୌଣସି ଆତତାୟୀ ଯେଉଁ ସୀମା ଛୁଇଁ ପାରିନଥିଲେ, ଏକଛତ୍ରବାଦୀ ହିଟ୍‌ଲର ତାହା କରି ଦେଖାଇଥିଲେ; ପୁଣି ଧାର୍ମିକତାର ଉତ୍ସାହ ସହ। ସେ ସତେ ଯେପରି କେବଳ ଏକ ଶୁଦ୍ଧ ଧର୍ମ ସମର ଭିତ୍ତିକ ରାଷ୍ଟ୍ରୀୟତା ଗଠନ କରୁଛନ୍ତି, ଯାହାକୁ ପାଥେୟ କରି ଯାବତୀୟ ଅମାନବୀୟ କାର୍ଯ୍ୟକୁ ମାନବୀୟରେ ପରିଣତ କରିଦିଆଯାଉଛି ଯାହାର ପୁଣ୍ୟଫଳ ଏବେ ଅଥବା ପରେ ନିଶ୍ଚିତ ମିଳିବ। ମାନବିକତାର ସ୍ଥାପନା ପାଇଁ ଯଦି କେବେ ଏପରି ଯୁଦ୍ଧ ହୋଇଛି, ଯାହା ନିର୍ବିବାଦରେ ଯଥାର୍ଥ, ତାହା ହେଉଛି ଜର୍ମାନି ବିରୋଧରେ ବିଶ୍ବଯୁଦ୍ଧ, ଯେଉଁଥିରେ ସମଗ୍ର ମାନବ ଜାତିକୁ ଧ୍ବଂସ ହେବାରୁ ରୋକା ଯାଇପାରିଥିଲା। ମାତ୍ର ମୁଁ କୌଣସି ଯୁଦ୍ଧରେ ବିଶ୍ବାସ ରଖେନାହିଁ। ସୁତରାଂ ଏପରି ଯୁଦ୍ଧର ଯଥାର୍ଥତା ସମ୍ପର୍କରେ କୌଣସି ବିମର୍ଶ ମୋ ମନକୁ ଛୁଏଁ ନାହିଁ। ତେବେ ଜର୍ମାନି ବିରୋଧରେ ଯଦି ଏପରି ଯୁଦ୍ଧ ହୋଇନଥା’ନ୍ତା, ସେ ଯେପରି ଇହୁଦୀମାନଙ୍କ ଉପରେ ଅତ୍ୟାଚାର କରିଥିଲା, ତା’ର ପକ୍ଷ ନେବା ଅସମ୍ଭବ ଥିଲା। ନ୍ୟାୟ ଓ ଲୋକତନ୍ତ୍ର ପାଇଁ ନିଜର ପ୍ରତିଶ୍ରୁତିବଦ୍ଧତା ଦାବି କରୁଥିବା ଦେଶ କିପରି ଏହି ଦୁଇଟି ମହନୀୟ ଗୁଣର ଘୋଷିତ ଶତ୍ରୁ ଥିବା ଦେଶ ସହ ଯାଇପାରିବ? ତେଣୁ ଏଠାରେ ମାନିବାକୁ ହେବ ଯେ ଇଂଲାଣ୍ଡ ସଶସ୍ତ୍ର ଏକଛତ୍ରବାଦ ଓ ସଂଲଗ୍ନ ଅବଧାରଣ ଆଡ଼କୁ ଗତି କରୁଛି। ହିଂସା ଯେତେବେଳେ ମାନବିକତା ପରି ଦେଖାଣିଆ ଦୁର୍ବଳତାରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯାଏ, କେତେ ଚତୁରତାର ସହ ଏହା ଧ୍ବଂସ ରଚିପାରେ, ତାହା ଜର୍ମାନି ସାରା ବିଶ୍ବକୁ ଦେଖାଇଦେବା ସହ ନଗ୍ନ ହିଂସା କେତେ କ୍ରୂର ଓ ଭୟାନକ ହୋଇପାରେ, ତାହା ମଧ୍ୟ ଜଣାଇଦେଲା।

ଇହୁଦୀମାନେ କ’ଣ ଏପରି ସୁସଂଗଠିତ ଦମନ ଓ ନିର୍ଯାତନାର ମୁକାବିଲା କରିପାରିଥାନ୍ତେ? ଏମିତି କ’ଣ କିଛି ପନ୍ଥା ଥିଲା ଯାହା ମାଧ୍ୟମରେ ସେମାନେ ଆତ୍ମସମ୍ମାନ ରକ୍ଷା କରିବା ପୂର୍ବକ ଏତେ ଅସହାୟ, ଉପେକ୍ଷିତ ଓ ଏକାକୀ ହୋଇନଥା’ନ୍ତେ? ଯେଉଁ ବ୍ୟକ୍ତି ଠାରେ ଈଶ୍ବରଙ୍କ ପ୍ରତି ପୂର୍ଣ୍ଣ ପ୍ରାଣରେ ଶ୍ରଦ୍ଧା ରହିଥିବ, ସେ କେବେ ନିଜକୁ ଏତେ ଅସହାୟ ବା ଏକାକୀ ଅନୁଭବ କରିବନି। ଖ୍ରୀଷ୍ଟିଆନ, ମୁସଲମାନ କିମ୍ବା ହିନ୍ଦୁମାନଙ୍କ ଭଗବାନଙ୍କ ଅପେକ୍ଷା ଇହୁଦୀମାନଙ୍କର ୟହୋବା ଯଥେଷ୍ଟ ଅଧିକ ମାନବୀୟ। ଇହୁଦୀ ପରମ୍ପରାରେ ଈଶ୍ବରଙ୍କୁ ଅଧିକ ମାନବ ସ୍ବରୂପ ଦିଆଯାଇଛି ଏବଂ ସେ ସମସ୍ତ କାର୍ଯ୍ୟକଳାପର ନିୟନ୍ତ୍ରଣ କରନ୍ତି ବୋଲି ମଧ୍ୟ ଗ୍ରହଣ କରାଯାଇଛି। ତେଣୁ ସେମାନେ ନିଜକୁ କାହିଁକି ଏତେ ଅସହାୟ ମନେ କରିବେ? ଯଦି ମୁଁ ଇହୁଦୀ ହୋଇଥା’ନ୍ତି ଓ ଜର୍ମାନିରେ ଜନ୍ମନେବା ସହ ସେଠାରେ ଜୀବିକା ନିର୍ବାହ କରୁଥା’ନ୍ତି, ତେବେ ଯେ କୌଣସି ସୁସ୍ଥ ସବଳ ଜର୍ମାନ୍ ଭଳି ଜର୍ମାନିକୁ ମୋର ନିଜ ଘର ବୋଲି ଦାବି କରୁଥା’ନ୍ତି। ମୁଁ ସେଠାରୁ ତଡ଼ା ଖାଇବା ଅବା କୌଣସି ପ୍ରକାର ଭେଦଭାବପୂର୍ଣ୍ଣ ଆଚରଣକୁ ସ୍ବୀକାର କରିନଥାନ୍ତି, ବରଂ ମୋତେ ଗୁଳି କରିଦିଅ କି ଜେଲ୍ ପଠାଇଦିଅ ବୋଲି ସେହି ଜର୍ମାନ୍‌ମାନଙ୍କୁ ଆହ୍ବାନ କରିଥା’ନ୍ତି। ମାତ୍ର ଏପରି ଆଉ କୌଣସି ଇହୁଦୀ ଆସି ମୋର ସେହି ଅସହଯୋଗ ଆନ୍ଦୋଳନରେ ଯୋଗଦେବାକୁ ମୁଁ ଅପେକ୍ଷା କରିନଥା’ନ୍ତି। କାରଣ ମୋତେ ଏକାକୀ ଆଗକୁ ବଢ଼ିବାକୁ ହେବ, ଯାହା ଦେଖି ଅନ୍ତତଃ ଅନ୍ୟମାନେ ମଧ୍ୟ ସେହି ପନ୍ଥା ଆପଣେଇବେ ବୋଲି ମୋର ଆତ୍ମବିଶ୍ବାସ ରହିଛି।

ମୁଁ ବତାଇଥିବା ପ୍ରତିଷେଧକ ବ୍ୟବସ୍ଥାକୁ କୌଣସି ବି ଇହୁଦୀ ଗ୍ରହଣ କରିଥିଲେ ହୁଏ’ତ ସେମାନଙ୍କ ଅବସ୍ଥା ଆଜି ଯେପରି ଦୟନୀୟ ହୋଇପଡ଼ିଛି, ତାହା ହୋଇନଥା’ନ୍ତା। ନିଜେ ସ୍ବେଚ୍ଛାରେ କଷ୍ଟ ସ୍ବୀକାର କରି ଯେଉଁ ଆନ୍ତରିକ ଶକ୍ତି ଓ ଆନନ୍ଦ ପ୍ରାପ୍ତି ହୋଇଥାଏ, ଜର୍ମାନିର ବାହାର ଦୁନିଆ ଆଜି ଜାହିର କଲା ଭଳି ଯାବତୀୟ ସହାନୁଭୂତିରୁ ସେତିକି ଆନନ୍ଦ ମିଳିନଥା’ନ୍ତା। ମୁଁ ଏକଥା ମଧ୍ୟ କହୁଛି କି ଯଦି ଇଂଲାଣ୍ଡ, ଫ୍ରାନ୍‌ସ ଓ ଆମେରିକା ମିଶି ଜର୍ମାନି ଉପରେ ଆକ୍ରମଣ ଘୋଷଣା କରନ୍ତି, ତେବେ ବି ଇହୁଦୀମାନଙ୍କର ଆନ୍ତରିକ ଶକ୍ତି ଓ ସନ୍ତୋଷରେ କୌଣସି ଫରକ ଆଣିବନି। ଯାହାର ଈଶ୍ବରଙ୍କ ପ୍ରତି ଭୟ ରହିଥାଏ, ସେ କେବେ ମୃତ୍ୟୁକୁ ଡରେ ନାହିଁ। ସେମାନଙ୍କ ପାଇଁ ମୃତ୍ୟୁ ଏଭଳି ଏକ ଆନନ୍ଦଦାୟୀ ନିଦ ଯେଉଁଥିରୁ ଉଠିଲା ପରେ ଆଉ ଏକ ଲମ୍ବା ନିଦ ପାଇଁ ମନରେ ସତେଜତା ଭରିଯାଇଥାଏ। ମୋର ଏପରି କହିବାର ଆବଶ୍ୟକତା ହେଲା, ମୋ ପ୍ରସ୍ତାବିତ ଏପରି ପ୍ରତିଷେଧକକୁ ଗ୍ରହଣ କରି ଚାଲିବା ଇହୁଦୀମାନଙ୍କ ପକ୍ଷରେ ଅଧିକ ସହଜ ହେବ। କାରଣ ଦକ୍ଷିଣ ଆଫ୍ରିକାରେ ଭାରତୀୟ ସତ୍ୟାଗ୍ରହରେ ସେମାନେ ସାମିଲ ହୋଇ ତାହାର ଅନୁଭୂତି ହାସଲ କରିଛନ୍ତି। ସେଠି ଭାରତୀୟମାନଙ୍କର ସ୍ଥିତି ଠିକ୍ ଜର୍ମାନିରେ ଇହୁଦୀମାନଙ୍କ ପରି। ଏଥି ସହିତ ସେଠାରେ ମଧ୍ୟ ଦମନକୁ ଏକ ଧାର୍ମିକ ରଙ୍ଗ ଦିଆଯାଇଛି। ରାଷ୍ଟ୍ରପତି କ୍ରୁଜର କହୁଥିଲେ କି, ଈସାଇମାନେ ହେଉଛନ୍ତି ଈଶ୍ବରଙ୍କ ପସନ୍ଦର ସନ୍ତାନ। ସେହିପରି ଶ୍ବେତାଙ୍ଗମାନଙ୍କର ସେବା କରିବା ପାଇଁ ଭାରତୀୟମାନେ ନୀଚ ଯୋନିରେ ଜାତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ଟ୍ରାନ୍‌ସଵାଲ ସମ୍ବିଧାନରେ କୃଷ୍ଣକାୟ ଓ ଶ୍ବେତାଙ୍ଗମାନଙ୍କ ମଧ୍ୟରେ ଏପରି ଏକ ବୈଷମ୍ୟ ଧାରା ରହିଛି ଯେଉଁଥିରେ ତମାମ ଏସୀୟମାନଙ୍କୁ ବି ସାମିଲ କରାଯାଇଛି ଏବଂ ସେଥିରୁ କୌଣସି ପ୍ରକାର ସମାନତା ଆଶା କରାଯାଇପାରିବ ନାହିଁ। ଏଠାରେ ଭାରତୀୟମାନଙ୍କୁ ସେମାନଙ୍କ ଦ୍ବାରା ସ୍ଥାପିତ ବସ୍ତିରେ ରହିବାକୁ ପଡୁଥିଲା, ଯାହାକୁ ସେମାନେ ‘ଲୋକେସନ୍’ ବୋଲି କହୁଥିଲେ। ଅନ୍ୟ ସବୁ ଅସମାନତା ଜର୍ମାନିରେ ଇହୁଦୀଙ୍କ ସହ ହେଉଥିବା ପରି ରହିଥିଲା। ଏପରି ପରିସ୍ଥିତିରେ ସେଠାରେ କିଛି ହାତଗଣତି ଭାରତୀୟ ସତ୍ୟାଗ୍ରହ ପନ୍ଥା ଆପଣେଇଥିଲେ, ଯାହା ପ୍ରତି ନା ଭାରତ ସରକାରଙ୍କ ସମର୍ଥନ ଥିଲା ନା ଅନ୍ୟ କୌଣସି ବାହାର ରାଷ୍ଟ୍ରର। ଅପରପକ୍ଷେ, ଏଥିରୁ ଭାରତୀୟମାନଙ୍କୁ କୌଣସିମତେ ନିବୃତ୍ତ ରଖିବା ଲାଗି ବ୍ରିଟିସ୍ ଅଧିକାରୀମାନେ ଚେଷ୍ଟିତ ଥିଲେ। ଶେଷରେ ଦୀର୍ଘ ଆଠ ବର୍ଷର ଲଢ଼େଇ ପରେ କିଛି ବିଶ୍ବସ୍ତରୀୟ ଜନମତ ଓ ଭାରତ ସରକାର ସହାୟତା ପାଇଁ ଆଗେଇ ଆସିଥିଲେ।

ଜର୍ମାନିରେ ଥିବା ଇହୁଦୀମାନେ ଦକ୍ଷିଣ ଆଫ୍ରିକାରେ ଥିବା ଭାରତୀୟଙ୍କ ତୁଳନାରେ ଭଲ ସ୍ଥିତିରେ ହିଁ ରହିଥିଲେ। ଇହୁଦୀମାନେ ସେଠାରେ ଏକ ସଂଗଠିତ ଜାତିର ମାନ୍ୟତା ପାଇଥିଲେ। ସେମାନେ ଦକ୍ଷିଣ ଆଫ୍ରିକାର ଭାରତୀୟଙ୍କ ଅପେକ୍ଷା ଅଧିକ କୌଶଳୀ ଏବଂ ନିଜ ଲଢ଼େଇ ସପକ୍ଷରେ ଜନମତ ଯୋଗାଡ଼ କରିବାରେ ସକ୍ଷମ ଥିଲେ। ମୋର ବିଶ୍ବାସ, ସେମାନଙ୍କ ଭିତରୁ କେହି ଧୈର୍ଯ୍ୟ ଓ ସାହସର ସହ ଆଗେଇ ଆସି ଅହିଂସା ଆନ୍ଦୋଳନର ନେତୃତ୍ବ ନିଅନ୍ତା, ତେବେ ତୁରନ୍ତ ସେଠାରେ ନିରାଶାର ଆର୍ଦ୍ର ମୁହୂର୍ତ୍ତ ହଟିଯାଇ ଆଶାର ଉଷ୍ଣତା ଝଲସି ଉଠନ୍ତା।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

The post ପାଲେଷ୍ଟାଇନ୍-ଇସ୍ରାଏଲ୍‌ ପ୍ରଶ୍ନ ଓ ଗାନ୍ଧୀଙ୍କ ଉତ୍ତର first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp