ପାଲଟପୁରରେ ଏମିତି ଚାଲିଛି ଆବାସ ଯୋଜନା: ଦିବ୍ୟାଙ୍ଗଙ୍କୁ ମିଳୁନି, ଗୋଟିଏ ପରିବାରକୁ ୫ ଆବାସ

ପାଲଟପୁରରେ ଏମିତି ଚାଲିଛି ଆବାସ ଯୋଜନା: ଦିବ୍ୟାଙ୍ଗଙ୍କୁ ମିଳୁନି, ଗୋଟିଏ ପରିବାରକୁ ୫ ଆବାସ

ଦଶରଥପୁର : ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଦୁର୍ନୀତିର ଦୁର୍ଗ ପାଲଟିଛି। ଏହି ବ୍ଲକ୍‌ର ପାଲଟପୁର ପଞ୍ଚାୟତରେ ଅସହାୟ ଦିବ୍ୟାଙ୍ଗ ଗରିବ ମହିଳାଙ୍କୁ ସରକାରୀ ଘରଟିଏ ମିଳୁନି, ଅଥଚ ଗୋଟିଏ ପରିବାରକୁ ୫ଟି ଆବାସ ମିଳିଯାଉଛି। ପୁଣି ଜଣେ ବ୍ୟକ୍ତିଙ୍କ ନାଁରେ ଦୁଇଟି ଲେଖାଏଁ ଆବାସ କାର୍ଯ୍ୟାଦେଶ ଦିଆଯାଉଛି। ଉଦାହରଣ ସ୍ବରୂପ, ପାଲଟପୁର ଗ୍ରାମର ନରହରି ମଲ୍ଲିକଙ୍କ ପରିବାରକୁ ୫ଟି ଆବାସ ମିଳିଛି। ନରହରିଙ୍କ ନାଁରେ ୨ଟି, ପୁଅ ନିରଞ୍ଜନଙ୍କୁ ଦୁଇ ଓ ପୁଅ ନିର୍ମଳଙ୍କୁ ଗୋଟିଏ ସରକାରୀ ଆବାସ ପ୍ରଦାନ କରାଯାଇଛି। ଏ ବାବଦରେ ଏହି ପରିବାରକୁ ୪ ଲକ୍ଷ ୮ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି।

ନିରଞ୍ଜନଙ୍କୁ ୨୦୦୭-୦୮ ଆର୍ଥିକ ବର୍ଷରେ ବିପିଏଲ ନମ୍ବର ୨୨୪୨୭/୯୭ରେ ରେଜିଷ୍ଟ୍ରି ନଂ. ୬୭୪ ରେ ଘର ନିର୍ମାଣ ପାଇଁ ବ୍ଲକ୍‌ ପକ୍ଷରୁ ୨୫ ହଜାର ପ୍ରଦାନ କରାଯାଇଥିଲା। ପୁଣି ତାଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ ଓଆର ୩୦୬୮୭୮୯-ଓଆର ୨୦୦୦୬/୨/୨୩୮ରେ ଗତ ୨୩ ଜୁଲାଇ ୨୦୧୮ରେ ଘର ନିର୍ମାଣ ପାଇଁ ଏକ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ନରହରି ମଲ୍ଲିକଙ୍କୁ ୨୦୧୨-୧୩ ଆର୍ଥିକ ବର୍ଷ ବିପିଏଲ ନମ୍ବର ୨୨୬୩୨ ମଞ୍ଜୁର ସଂଖ୍ୟା ଜିଏଏଜିଏ –ବିଏଲ-କେ-୧୩, ଓଆର-୨୦-୦୦୬-୦୨୮- ୦୦୧୨୨୬୩୨ ରେ ଘର ନିର୍ମାଣ ପାଇଁ ୪୮ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ପୁଣି ନରହରିଙ୍କୁ ୨୦୧୮-୧୯ ଆର୍ଥିକ ବର୍ଷରେ ଓଆର-୩୦୬୮୭୯୫-ଓଆର୨୦୦୦୬/୨/୧୯୬୧ରେ ଗତ ୬ ଜୁନ ୨୦୧୮ରେ ଘର ନିର୍ମାଣ ପାଇଁ ଏକ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ୨୦୧୩-୧୪ ଆର୍ଥିକ ବର୍ଷରେ ନିର୍ମଳଙ୍କୁ ମଞ୍ଜୁର ସଂଖ୍ୟା ୪୮୧୬-ଓଆର-୨୦-୦୦୬-୦୨୮-୦୦୧ରେ ଘର ନିର୍ମାଣ ପାଇଁ ୭୫ ହଜାର ଟଙ୍କା ପ୍ରଦାନ କରାଯାଇଛି।

ସରକାରୀ ନିୟମ କହୁଛି, ପ୍ରତ୍ୟେକ ହିତାଧିକାରୀଙ୍କର ସ୍ଥିତି, ପୂର୍ବରୁ ସରକାରୀ ଆବାସ ପାଇଛନ୍ତି କି ନାହିଁ ତଦନ୍ତ କରି ପ୍ରଦାନ କରାଯିବା କଥା। ପୂର୍ବରୁ ନରହରି ମଲ୍ଲିକଙ୍କ ପରିବାରକୁ ୩ଟି ଆବାସ ପ୍ରଦାନ କରାଯାଇଥିବା ସତ୍ତ୍ବେ ପିଇଓ ବିଶେନ ମାରାଣ୍ଡି ପୁଣି ଆଉ ୨ଟି ଆବାସ କିପରି ପ୍ରଦାନ କଲେ, ତାହା ତଦନ୍ତ ସାପେକ୍ଷ। କେବଳ ନିରଂଜନ ମଲ୍ଲିକଙ୍କ ପରିବାରକୁ ନୁହେଁ, ପାଲଟପୁରରେ ସରକାରୀ କର୍ମଚାରୀ, ୨ ମହଲା କୋଠା ମାଲିକ, ସ୍ୱାମୀ ନାମରେ ଗୋଟିଏକୁ ସ୍ତ୍ରୀ ନାମରେ ଆଉ ଗୋଟିଏ ଆବାସ ମିଳିଛି। କେତେକ ପରିବାରକୁ ୨ ରୁ ୪ଟି ଲେଖାଏଁ ଆବାସ ପ୍ରଦାନ କରାଯାଇଥିବା ସୂଚନା ମଧ୍ୟ ରହିଛି।

ଅଥଚ ସେହି ଏକା ଗାଁରେ ପାଲ ତଳେ ରହୁଥିବା ପରିବାର, କଚ୍ଚାଘରେ ଥିବା ପରିବାରକୁ ସରକାରୀ ଆବାସଟିଏ ମିଳିପାରୁନାହିଁ।

ପାଲଟପୁର ପଣ୍ଡାସାହିର ଝୁମା ପଣ୍ଡା ଜଣେ ଦିବ୍ୟାଙ୍ଗ ମହିଳା। ସ୍ବାମୀ ତାଙ୍କୁ ଛାଡ଼ି ଚାଲିଯାଇଥିବା ବେଳେ ୧୦ ବର୍ଷ ତଳୁ ତାଙ୍କ ବାପାମା’ଙ୍କ ପରଲୋକ ହୋଇଯାଇଛି। ନାବାଳକ ପୁଅକୁ ଛାଡ଼ିଦେଲେ ଆଉ କେହି ସାହାରା ନାହାନ୍ତି। ଜମିବାଡ଼ି ବି ନାହିଁ। ଗାଁରୁ ମାଗି ଆଣିଲେ ଚୁଲୀ ଜଳେ। ସେ ବର୍ଷବର୍ଷ ଧରି ପାଲ ଟାଙ୍ଗି ରହୁଛନ୍ତି। ଆବାସ ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ତାଙ୍କୁ ଆବାସ ପାଇଁ ଆଗୁଆ ୨୦ ହଜାର ଟଙ୍କା ଲାଞ୍ଚ ମଗାଯାଇଥିଲା। ଦେଇନପାରିବାରୁ ଘର ଖଣ୍ଡେ ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଯେଉଁ ବ୍ୟକ୍ତି ୨୦ ହଜାର ଟଙ୍କା ଆଗୁଆ ଦେଉଛନ୍ତି, ସେମାନଙ୍କୁ ଆବାସ ପ୍ରଦାନ କରାଯାଉଛି। କିଛି ଦିନ ତଳେ ଏ ନେଇ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲାପାଳ, ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରାଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

The post ପାଲଟପୁରରେ ଏମିତି ଚାଲିଛି ଆବାସ ଯୋଜନା: ଦିବ୍ୟାଙ୍ଗଙ୍କୁ ମିଳୁନି, ଗୋଟିଏ ପରିବାରକୁ ୫ ଆବାସ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp