ପାକିସ୍ତାନ ବ୍ୟାଟିଂ କୋଚ୍ ପଦରୁ ୟୁନିସ୍ ଖାନଙ୍କ ଇସ୍ତଫା
ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ଟିମକୁ ଝଟକା । ଚୁକ୍ତି ପୂର୍ବରୁ ପାକିସ୍ତାନ ଟିମର ବ୍ୟାଟିଂ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଅଧିନାୟକ ୟୁନିସ୍ ଖାସ୍ । ପାକିସ୍ତାନ କ୍ରିକେଟ ବୋର୍ଡ ସହ ଆଲୋଚନା କରିବା ପରେ ଏଳଭି ନିଷ୍ପତ୍ତି ନେଇଛନ୍ତି ୟୁନିସ୍ ଖାନ୍ ।
୨୦୨୦ ନଭେମ୍ବର ମାସରେ ୟୁନିସ୍ ଖାନ ପାକିସ୍ତାନ ଦଳର ବ୍ୟାଟିଂ କୋଚ୍ ଦାୟିତ୍ବ ସମ୍ଭାଳିଥିଲେ। ଏନେଇ ୟୁନିସ୍ ଓ ପିସିବି ମଧ୍ୟରେ ଚୁକ୍ତି ହୋଇଥିଲା। ଚୁକ୍ତି ମୁତାବିକ ୟୁନିସ୍ ଖାନ୍ ୨୦୨୨ ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ଦଳର ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତ ହୋଇଥିଲେ। ପିସିବିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ୍ବାସିମ ଖାନ୍ କହିଛନ୍ତି ଯେ, ୟୁନିସ୍ ଖାନଙ୍କ ଭଳି ଅନୁଭବୀ ବ୍ୟକ୍ତି ପଦ ଛାଡ଼ିବା ଅତ୍ୟନ୍ତ ଦୁଃଖଦ।
ତେବେ ବ୍ୟାଟିଂ କୋଚ୍ ପଦରୁ କାହିଁକି ଇସ୍ତଫା ଦେଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏପରିକି ସବୁଠୁ ବଡ଼ କଥା ହେଲା ବ୍ୟାଟିଂ କୋଚ୍ ପଦବୀ ଛାଡ଼ିବାକୁ ନେଇ ପିସିବି ଓ ୟୁନିସ୍ ଖାନ୍ କୌଣସି ବୟାନ୍ ଦେବେ ନାହିଁ। ପାକିସ୍ତାନ ଟିମ୍ ବିନା ବ୍ୟାଟିଂ କୋଚରେ ୟୁକେ ଗସ୍ତ କରିବ। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଦଳର କିଏ ବ୍ୟାଟିଂ କୋଚ୍ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନଥିବା ସୂଚନା ରହିଛି।