ପାକିସ୍ତାନରେ ଦୁଷ୍କର୍ମ ଲାଗି ପୁଣି ନାରୀମାନଙ୍କ ପୋଷାକ-ପରିଚ୍ଛଦକୁ ଦାୟୀ କଲେ ଇମ୍ରାନ୍ ଖାଁ
ନୂଆଦିଲ୍ଲୀ: ଦେଶରେ ଯୌନ ନିର୍ଯ୍ୟାତନା ଘଟଣା ବୃଦ୍ଧି ନାରୀମାନଙ୍କର ପୋଷାକ-ପରିଚ୍ଛଦ ସହ ଜଡ଼ିତ ବୋଲି ପୁଣି ଥରେ କହି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ତୀବ୍ର ସମାଲୋଚନାର ସରବ୍ୟ ହୋଇଛନ୍ତି।
‘ଏକ୍ସିଅସ୍ ଅନ୍ ଏଚ୍ବିଓ’ ସହ ସାକ୍ଷାତ୍କାର ଅବସରରେ ଇମ୍ରାନ୍ ଖାଁ କହିଛନ୍ତି, ଯଦି ନାରୀମାନେ ସଂକ୍ଷିପ୍ତ ପୋଷାକ ପରିଧାନ କରିବେ, ପୁରୁଷମାନଙ୍କୁ ତାହା ପ୍ରଭାବିତ କରିବ, ପୁରୁଷମାନେ ତ ଆଉ ରୋବୋଟ୍ ନୁହନ୍ତି। ଏଇଟା ସାଧାରଣ ଜ୍ଞାନ।
ଦୁଷ୍କର୍ମ ଓ ଯୌନ ନିର୍ଯ୍ୟାତନ ମାମଲା ପ୍ରତିରୋଧ ପାଇଁ ତାଙ୍କ ସରକାର କି, ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପଚରାଯିବାରୁ ସେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
Image Courtesy of The Guardian
ବିରୋଧୀ ନେତା ଏବଂ ସାମ୍ବାଦିକମାନେ ସମାଲୋଚନା କରିବାରୁ ଇମ୍ରାନ୍ ଖାଁଙ୍କର ଏଭଳି ମନ୍ତବ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ବଡ଼ ଅସନ୍ତୋଷର କାରଣ ହୋଇଛି।
ଦକ୍ଷିଣ ଏସିଆ, ‘ଇଣ୍ଟର୍ନ୍ୟାସ୍ନାଲ୍ କମିସନ୍ ଅଫ୍ ଜୁରିଷ୍ଟ୍’ର ଆଇନଗତ ପରାମର୍ଶଦାତା ରୀମା ଓମେର ଟୁଇଟ୍ କରି ଲେଖିଛନ୍ତି, ପାକିସ୍ତାନରେ ଯୌନ ହିଂସାର କାରଣ ନିମନ୍ତେ ପୁନର୍ବାର ପୀଡ଼ିତାଙ୍କୁ ଦାୟୀ କରି ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦେଇଥିବା ମନ୍ତବ୍ୟ ଶୁଣି ହତାଶ ଏବଂ ଘୃଣା ଜର୍ଜରିତ ହୋଇଗଲି।
ସ୍ମରଣଯୋଗ୍ୟ, ପାକିସ୍ତାନରେ ଯୌନ ହିଂସା ମାମଲା ବୃଦ୍ଧି ପାଇଁ ନାରୀମାନଙ୍କର ଅଶାଳୀନତା ଦାୟୀ ବୋଲି କ୍ରିକେଟ୍ ଖେଳାଳିରୁ ରାଜନେତା ହୋଇଥିବା ଇମ୍ରାନ୍ ଖାଁ ଗତ ଏପ୍ରିଲ୍ ମାସରେ କହିଥିଲେ। ଏଭଳି ମନ୍ତବ୍ୟ ପାଇଁ ତାଙ୍କ ଠାରୁ କ୍ଷମା ଦାବି କରି ଶହ ଶହ ଲୋକ ଏକ ବିବୃତି-ପତ୍ରରେ ସ୍ବାକ୍ଷର କରିଥିଲେ।
The post ପାକିସ୍ତାନରେ ଦୁଷ୍କର୍ମ ଲାଗି ପୁଣି ନାରୀମାନଙ୍କ ପୋଷାକ-ପରିଚ୍ଛଦକୁ ଦାୟୀ କଲେ ଇମ୍ରାନ୍ ଖାଁ first appeared on Sambad.