ନିୟମଗିରିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ; ୩୦୬ ଡଙ୍ଗରିଆ ନେଲେ ଟିକା
ରାୟଗଡ଼ା: ୩୬୭୩ ଡଙ୍ଗରିଆ ଓ ଲାଞ୍ଜିଆ ସଉରା ପରିବାରକୁ ମିଳିବ କୋଭିଡ଼୍ ପ୍ୟାକେଜ୍। ପ୍ରତି ପରିବାରକୁ ୫ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ମନରେଗା ଯୋଜନାରେ ଶ୍ରମ ଦିବସ ସୃଷ୍ଟି ସହ ଚେକ୍ ଡ୍ୟାମ୍ ନିର୍ମାଣ ଏବଂ ଶିକ୍ଷିତ ଡଙ୍ଗରିଆ, ଲାଞ୍ଜିଆ ସଉରା ଯୁବକ, ଯୁବତୀଙ୍କ ଦକ୍ଷତା ବୃଦ୍ଧି କରାଯାଇ ସ୍ଥାନୀୟ ଶିଳ୍ପାନୁଷ୍ଠାନରେ ନିଯୁକ୍ତିକୁ ପ୍ରାଥମିକତା ଦିଆଯିବ। ନିୟମଗିରି ଖମ୍ବେସିରେ ଆଜି ୧୮ରୁ ୪୪ ବର୍ଷ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହି ସୂଚନା ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାଶବର୍ମା। ଟିକା ନେବାକୁ ଅମଙ୍ଗ ହେଉଥିବା ଡଙ୍ଗରିଆଙ୍କୁ ଶ୍ରୀ ଦାଶବର୍ମା ବୁଝାଶୁଝା କରି ଟିକାକରଣ ପାଇଁ ଉତ୍ସାହିତ କରିଥିଲେ। ଫଳରେ ଖମ୍ବେସିରେ ଖମ୍ବେସି, ଖଜୁରି, ଗଡତଲି ଗ୍ରାମର ୨୦୦ ଏବଂ ମୁନିଗୁଡ଼ା ବ୍ଲକର ଡେଙ୍ଗୁଣିରେ ୧୦୬ ଡଙ୍ଗରିଆ ଟିକା ଗ୍ରହଣ କରିଛନ୍ତି।
ଟିକାକରଣ କେନ୍ଦ୍ରରେ ଉପସ୍ଥିତ ଡଙ୍ଗରିଆଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଶ୍ରୀ ଦାଶବର୍ମା ପଚାରି ବୁଝିବା ପରେ ମନରେଗା ଯୋଜନାରେ ବିଭିନ୍ନ ସ୍ଥାନରେ ହୋଇଥିବା ପ୍ରକଳ୍ପକୁ ବୁଲି ଦେଖିଥିଲେ। ଏହା ପରେ ଚାଟିକଣାସ୍ଥିତ ଆଦିବାସୀ ବାଖ୍ୟା କେନ୍ଦ୍ରରେ ଡଙ୍ଗରିଆ ଓ ଲାଞ୍ଜିଆ ସଉରାଙ୍କ ଜୀବନ ଜୀବିକା ଓ କୋଭିଡ଼୍ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ୪୫ରୁ ଉର୍ଧ୍ବ ବୟସର ୧୯୮୭ ଡଙ୍ଗରିଆ, ୧୧୨୬ ଲାଞ୍ଜିଆ ସଉରାଙ୍କୁ ଟିକାକରଣ ଲକ୍ଷ୍ୟ ଥିବା ବେଳେ ଆଜି ସୁଦ୍ଧା ଉଭୟ ସଂପ୍ରଦାୟର ୧୬୨୨ ଜଣଙ୍କୁ ଟିକାକରଣ କରାଯାଇଛି। ସେହିପରି ୧୮ରୁ ୪୪ ବର୍ଷ ବର୍ଗର ୫୫୧୧ ଡଙ୍ଗରିଆ, ୨୮୬୭ ଲାଞ୍ଜିଆ ସଉରା ଯୁବକ ଯୁବତୀଙ୍କୁ ଟିକାକରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି।
ଜିଲ୍ଲା ପ୍ରଶାସନ ଦାୟିତ୍ବ ନେଇ ସଚେତନତା ମାଧ୍ୟମରେ ଶତ ପ୍ରତିଶତଙ୍କୁ ଟିକାକରଣ କରିବା ନେଇ ଗୁରୁତ୍ବାରୋପ କରିଛନ୍ତି ଶ୍ରୀ ଦାଶବର୍ମା। ଏଥି ସହିତ ୨୩୭୨ ଡଙ୍ଗରିଆ ଏବଂ ୧୩୦୧ ଲାଞ୍ଜିଆ ସଉରା ପରିବାରକୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ଶ୍ରୀ ଦାଶବର୍ମା ସୂଚନା ଦେଇଛନ୍ତି। ନିୟମଗିରି ପାହାଡ ପାଦଦେଶରୁ ଖମ୍ବେସି ପର୍ଯ୍ୟନ୍ତ ଚିରସ୍ରୋତା ଝରଣା ବୋହି ଚାଲିଥିବାରୁ ବିଭିନ୍ନ ସ୍ଥାନରେ ଚେକ୍ ଡ୍ୟାମ୍ ନିର୍ମାଣ କରି ଚାଷଜମିକୁ ଜଳ ଯୋଗାଇବା ସହ କୁଲି ସରପଞ୍ଚ ଡିଞ୍ଜ ଜାକେସିକାଙ୍କ ସହ ଆଲୋଚନା କରି ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଦିଗରେ ଦୃଷ୍ଟି ଦେବାକୁ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ମହେଶ୍ବର ନାୟକଙ୍କୁ ନିର୍ଦେଶ ହୋଇଛି। ଖମ୍ବେସି ସମେତ ଅନ୍ୟ ଗ୍ରାମର ଉଚ୍ଚ ଶିକ୍ଷିତ ଯୁବକ, ଯୁବତୀ କର୍ମ ନିଯୁକ୍ତି ପାଇଁ ଶ୍ରୀ ଦାଶବର୍ମାଙ୍କୁ ସ୍ମାରକପତ୍ର ଦେବା ପରେ ତୁରନ୍ତ ଦକ୍ଷତା ବୃଦ୍ଧି ତାଲିମ୍ କର୍ମଶାଳା ଆୟୋଜନ ସହ ଜିଲ୍ଲାର ୩ ପ୍ରମୁଖ ଶିଳ୍ପାନୁଷ୍ଠାନ ସହ ଆଲୋଚନା କରି ନିଯୁକ୍ତିକୁ ଗୁରୁତ୍ବ ଦେବା ପାଇଁ ଶ୍ରୀ ଦାଶବର୍ମା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ନିର୍ଦେଶ ଦେଇଛନ୍ତି। ସମୀକ୍ଷା ବୈଠକ ପରେ ଶ୍ରୀ ଦାଶବର୍ମା ଗୁଣପୁର ବ୍ଲକର ତାରବେଲ୍ ଗାଁକୁ ଯାଇ ଲାଞ୍ଜିଆ ସଉରାଙ୍କ ସହ ଆଲୋଚନା କରିଥିଲେ। ସମସ୍ତେ ଟିକା ନେବା ପାଇଁ ସଚେତତନା କରିବା ସହ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ସମୀକ୍ଷା କରିଥିଲେ ଶ୍ରୀ ଦାଶବର୍ମା।
ଅନ୍ୟମାନଙ୍କ ମଧ୍ୟରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଗୁଣପୁର ପିଏ ଆଇଟିଡିଏ ଗୋରାଚାନ୍ଦ ଗମାଙ୍ଗ, ରାୟଗଡ଼ା ପିଏ ଆଇଟିଡିଏ ଟୁକୁ ବାରିକ୍, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତ୍ତବନ୍ଧୁ ନାୟକ, ଡିକେଡିଏ ସ୍ବତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ବିଷମକଟକ ବିଡ଼ିଓ ଆଲର୍ବଟ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।
The post ନିୟମଗିରିରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ; ୩୦୬ ଡଙ୍ଗରିଆ ନେଲେ ଟିକା first appeared on Sambad.