ଦୂତିଙ୍କ ଦୁଇ ଜାତୀୟ କୀର୍ତ୍ତିମାନ: ପୁଣି ଦେଖାଇଲେ ଦମ୍, ଇଣ୍ଡିଆନ୍ ଗ୍ରାଁପ୍ରିରେ ପ୍ରଥମ

ଦୂତିଙ୍କ ଦୁଇ ଜାତୀୟ କୀର୍ତ୍ତିମାନ: ପୁଣି ଦେଖାଇଲେ ଦମ୍, ଇଣ୍ଡିଆନ୍ ଗ୍ରାଁପ୍ରିରେ ପ୍ରଥମ

ଭୁବନେଶ୍ବର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଅସୀମ ଏକାଗ୍ରତା ଓ କଠିନ ଅଧ୍ୟବସାୟର ବଳିଷ୍ଠ ନମୁନା ଦେଖାଇ ଦୌଡ଼ରାଣୀ ଦୂତି ଚାନ୍ଦ ପୁଣି ଥରେ ଆଥଲେଟିକ୍ ଟ୍ରାକ୍‌ରେ ନୂଆ କୀର୍ତ୍ତିମାନ ଗଢ଼ିଛନ୍ତି। ସୋମବାର ପଞ୍ଜାବର ପାତିଆଲାଠାରେ ଆୟୋଜିତ ଇଣ୍ଡିଆନ୍ ଗ୍ରାଁପ୍ରି-୪ର ମହିଳା ୧୦୦ ମିଟର ଦୌଡ଼ରେ ଚଳିତ ଋତୁର ଶ୍ରେଷ୍ଠ ପ୍ରଦର୍ଶନ ସହ ନୂଆ ମିଟ୍ ଓ ଜାତୀୟ କୀର୍ତ୍ତିମାନ ସ୍ଥାପନ କରି ପ୍ରଥମ ସ୍ଥାନ ଅଧିକାର କରି ନେଇଛନ୍ତି ଏହି ଓଡ଼ିଆ ଝିଅ। ୧୦୦ ରିଲେରେ ମଧ୍ୟ ଆଉ ଏକ ଜାତୀୟ କୀର୍ତ୍ତିମାନ (୪୩.୩୭) ସହ ଗୋଟିଏ ଦିନରେ ଦୁଇଥର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିଭଳି ଦେଶର ଦ୍ରୁତତମ ଧାବିକାର ଉପାଧୀକୁ ଆହୁରି ଦୃଢ଼ କରିଛନ୍ତି ସେ। ଯେଉଁ ସମୟ ଛୁଇଁବାକୁ କୌଣସି ଭାରତୀୟ ମହିଳା ଆଗରୁ କଳ୍ପନା ବି କରି ପାରୁ ନଥିଲେ ସେହି ସମୟକୁ ଛୁଇଁଛନ୍ତି ଦୂତି। ତା’ ସହ ସେ ମଧ୍ୟ ଭାରତର ସର୍ବକାଳୀନ ଶ୍ରେଷ୍ଠ ଧାବିକା ହେବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। କରୋନା କଟକଣା ପାଇଁ ଗତ କିଛି ଦିନ ହେବ ପାତିଆଲାର ଜାତୀୟ କ୍ରୀଡ଼ା ସଂସ୍ଥାନରେ ରହି ଅଭ୍ୟାସ କରୁଥିବା ଦୂତି ଆଜିର ରେସ୍‌କୁ ୧୧.୧୭ ସେକେଣ୍ଡ ସମୟରେ ଶେଷ କରିଥିଲେ।

ଏହା କରି ସେ ନିଜ ଜାତୀୟ କୀର୍ତ୍ତିମାନକୁ ନିଜେ ହିଁ ଭାଙ୍ଗିଥିଲେ। ପୂର୍ବରୁ ୨୦୧୯ ମସିହାରେ ରାଞ୍ଚିଠାରେ ଆୟୋଜିତ ଜାତୀୟ ଓପନ୍ ଦୌଡ଼କୁଦ ପ୍ରତିଯୋଗିତାର ମହିଳା ୧୦୦ ମିଟର ଦୌଡ଼କୁ ୧୧.୨୨ ସେକେଣ୍ଡରେ ଶେଷ କରି ଜାତୀୟ କୀର୍ତ୍ତିମାନ ସ୍ଥାପନ କରିଥିଲେ ସେ। ଏବେ ତା’ଠାରୁ ଆଗକୁ ବଢ଼ି ଭାରତୀୟ ଦୌଡ଼କୁଦ ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଦୂତି। ସେହିଭଳି ତାଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ସମାଲୋଚକଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ବିନା ବିଦେଶୀ ପ୍ରଶିକ୍ଷଣରେ ଏହି ଅନନ୍ୟ ସଫଳତା ଅର୍ଜନ କରି ଅନ୍ୟମାନଙ୍କ ପାଇଁ ପୁନର୍ବାର ଉଦାହରଣ ପାଲଟିଛନ୍ତି ଏହି ୨୫ ବର୍ଷୀୟା କ୍ରୀଡ଼ା ତାରକା। ତେବେ ମାତ୍ର .୦୨ ସେକେଣ୍ଡ ସମୟ ପାଇଁ ଟୋକିଓ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିବାରୁ ଦୁର୍ଭାଗ୍ୟଜନକ ଭାବେ ବଞ୍ଚିତ ହୋଇଛନ୍ତି ଦୂତି।

ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ ସମୟ ୧୧.୧୫ ସେକେଣ୍ଡ ରହିଥିଲା ବେଳେ ଏହାକୁ ଛୁଇଁବା ଲାଗି ତାଙ୍କ ପାଖରେ ଆଉ ଏକ ସୁଯୋଗ ରହିଛି। ଚଳିତ ମାସ ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ପାତିଆଲାରେ ଆୟୋଜିତ ହେବାକୁ ଥିବା ୬୦ତମ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତାରେ ମଧ୍ୟ ତାଙ୍କ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ରହିବ। ଯୋଗ୍ୟତା ଅର୍ଜନ ସମୟ ସହ ବିଶ୍ବ ମାନ୍ୟତା ଭିତ୍ତିରେ ବି ଦୂତିଙ୍କ ପାଖରେ ଟୋକିଓ ଅଲିମ୍ପିକ୍ସ ଯିବାର ସୁଯୋଗ ରହିବ। ଉଭୟ ମହିଳା ୧୦୦ ମିଟର ଦୌଡ଼ରେ ପାରମ୍ପରିକ ଭାବେ ୫୬ ଜଣ ଲେଖାଏଁ ଖେଳାଳି ‌ଅଂଶଗ୍ରହଣ କରିବାର ସୁଯୋଗ ପାଉଥିଲା ବେଳେ ଦୂତିଙ୍କ ବିଶ୍ବ ମାନ୍ୟତା ଏବେ ୫୦ ତଳେ ରହିଛି। ୧୦୦ ମିଟରରେ ଦୂତି ୪୭ତମ ସ୍ଥାନରେ ଥିଲା ବେଳେ ୨୦୦ ମିଟରରେ ୫୦ତମ ସ୍ଥାନରେ ରହିଛନ୍ତି। ଦୂତି ଏହା ପୂର୍ବରୁ ୨୦୧୬ ରିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ସାରିଛନ୍ତି। ଟୋକିଓ ଯାଇପାରିଲେ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସରେ ଦୌଡ଼ିବାର ଗୌରବ ଅର୍ଜନ କରିବେ ସେ।

ସୋମବାର ଇଣ୍ଡିଆନ୍‌ ଗ୍ରାଁ ପ୍ରିରେ କର୍ଣ୍ଣାଟକର ଏଟି ଧନେଶ୍ବରୀ (୧୧.୪୮ ସେକେଣ୍ଡ) ଦ୍ବିତୀୟ ଓ ବେଙ୍ଗଲର ହିମାଶ୍ରୀ ରାୟ (୧୧.୭୧ ‌ସେକେଣ୍ଡ) ମହିଳା ୧୦୦ ମିଟରର ତୃତୀୟ ସ୍ଥାନରେ ରହିଥିଲେ। ଏହି ପ୍ରତିଯୋଗିତାର ୪ ଗୁଣା ୧୦୦ ରିଲେରେ ମଧ୍ୟ ଆଉ ଏକ ଜାତୀୟ କୀର୍ତ୍ତିମାନ (୪୩.୩୭) ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୋମବାରର ସ୍ବର୍ଣ୍ଣିମ ସଫଳତା ପରେ ଦୂତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ସାମାଜିକ ଗଣମାଧ୍ୟମରେ ସେ ଟ୍ରେଣ୍ଡ କରିଛନ୍ତି। ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ନେଇ ଓଡ଼ିଶା ଦୌଡ଼କୁଦ ସଂଘର ସଂପାଦକ ଆଶୀର୍ବାଦ ବେହେରା, ସଭାପତି ଶ୍ରୀନିବାସ ପଟ୍ଟନାୟକ, ପ୍ରଶିକ୍ଷକ ଶିବ ମିଶ୍ର, କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

‘‘ଏଥରକୁ ମିଶାଇ ୧୦ ଥର ମୁଁ ମୋ ନିଜ କୀର୍ତ୍ତିମାନ ଭାଙ୍ଗିଲି। ସେଥିପାଇଁ ନିଜ ଉପରେ ଗର୍ବ ଅନୁଭବ କରୁଛି। ଫେଡେରେସନ୍ କପ୍‌ ବେଳେ ମୋ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠାଇଥିବା ସମାଲୋଚକଙ୍କ ମୁହଁ ବନ୍ଦ କରି ପାରିଥିବାରୁ ବହୁତ ଖୁସି ଲାଗୁଛି। ଜଣେ ଆଥଲେଟ୍ ଭାବେ ମୋ ଶରୀର ବିଷୟରେ ମୁଁ ସମସ୍ତଙ୍କଠାରୁ ଅଧିକ ଜାଣିଛି। ସେମାନେ ନଜାଣି ନଶୁଣି ବହୁତ କିଛି କଥା କହିଥିଲେ। ତଥାପି ବି ମୁଁ ସେସବୁ ସମାଲୋଚନାକୁ ପ୍ରେରଣା ଭାବେ ନେଇ ଆଗେଇ ଚାଲିଛି। ସତ କହିବାକୁ ଗଲେ ମୁଁ ଆଜି ୧୧.୧୦ ସେକେଣ୍ଡ ଟାଇମିଂ ଛୁଇଁବାକୁ ଲକ୍ଷ୍ୟ ରଖିଥିଲି। ୧୧.୧୭ ଟାଇମିଂ ବି କିଛି କମ୍ ନୁହେଁ। ମାତ୍ର .୦୨ ‌ସେକେଣ୍ଡ ସମୟ ପାଇଁ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରି ପାରିନଥିଲେ ବି ଦୁଃଖିତ ନୁହେଁ। ମୋ ପାଖରେ ଅନ୍ତଃରାଜ୍ୟ ଦୌଡ଼କୁଦରେ ଅଲିମ୍ପିକ୍ସ ଯୋଗ୍ୟତା ସମୟ (୧୧.୧୫ ସେକେଣ୍ଡ) ଛୁଇଁବାର ଆଉ ଏକ ସୁଯୋଗ ରହିଛି। ସେଥିରେ ମୁଁ ୧୧.୧୦ ସେକେଣ୍ଡ ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରିବି।

ମୁଁ ଜାଣିଛି ଅଲିମ୍ପିକ୍ସରେ ମୋତେ ତୀବ୍ର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେବାକୁ ପଡ଼ିବ। ତଥାପି ଯଦି ୧୧.୧୦ ସେକେଣ୍ଡ ସମୟ ଛୁଇଁପାରେ ତାହାଲେ ମୋ ପାଖରେ ଫାଇନାଲ୍ ଖେଳିବାର ସୁଯୋଗ ରହିବ। ମୁଁ କେବେବି ବିଦେଶରେ ଯାଇ ପ୍ରଶିକ୍ଷଣ ନେବା କଥା କହିନି। ହେଲେ ମୋତେ କିଛି ବଡ଼ ପ୍ରତିଯୋଗିତା ଦରକାର। ଏହା ହେଲେ ମୋ ପ୍ରତିଦ୍ବନ୍ଦ୍ବିତାର ସ୍ତର ବଢ଼ି ପାରିବ। ସବୁଠାରୁ ବଡ଼ କଥା ହେଲା ମୋ ନିଜ ମାଟି ଅର୍ଥାତ୍ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରି ମୁଁ ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିପାରିଛି। ସମର୍ଥନ ଓ ସହଯୋଗ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ସରକାରଙ୍କୁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଦେବି। କିଟ୍ ଓ କିସ୍ ପ୍ରତିଷ୍ଠାତା ଓ ମୋ ପ୍ରଶିକ୍ଷକମାନଙ୍କ ନିକଟରେ ବି ମୁଁ ଋଣୀ” ବୋଲି ନୂଆ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବା ପରେ ‘ସମ୍ବାଦ’ ସହ କଥା ହୋଇ କହିଛନ୍ତି ଦୌଡ଼ରାଣୀ ଦୂତି ଚାନ୍ଦ।

The post ଦୂତିଙ୍କ ଦୁଇ ଜାତୀୟ କୀର୍ତ୍ତିମାନ: ପୁଣି ଦେଖାଇଲେ ଦମ୍, ଇଣ୍ଡିଆନ୍ ଗ୍ରାଁପ୍ରିରେ ପ୍ରଥମ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp