ତ୍ରିନାଥଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

ତ୍ରିନାଥଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର

କୋରାପୁଟ: କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକର ପାଡୁଆସ୍ଥିତ ରାଧାକୃଷ୍ଣ କନିଷ୍ଠ ମହାବିଦ୍ୟାଳୟରେ କାର୍ଯ୍ୟରତ ଇଂରାଜୀ ଅଧ୍ୟାପକ ତ୍ରିନାଥ ପଟ୍ଟନାୟକ ଚଳିତବର୍ଷ ପାଇଁ ମିଳିବ ପ୍ରକୃତିବନ୍ଧୁ ପୁରସ୍କାର। ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ବିଭାଗ ପକ୍ଷରୁ ଚଳିତବର୍ଷ ପାଇଁ ପ୍ରକୃତି ବନ୍ଧୁ-୨୦୨୦-୨୧ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ସମାଜସେବୀ, ପ୍ରକୃତିସେଵୀ, ପ୍ରକୃତିପ୍ରେମୀ ଓ ଜୀବଜନ୍ତୁ ପ୍ରେମୀ ଏବଂ ଅମାୟିକ ଛାତ୍ରବତ୍ସଳ ଅଧ୍ୟାପକ ଅଟନ୍ତି।

ଶ୍ରୀଯୁକ୍ତ ପଟ୍ଟନାୟକ ଜଣେ ଅଧ୍ୟାପକ ହୋଇଥିଲେ ମଧ୍ୟ ନିଜକୁ ପାଠପଢ଼ା ମଧ୍ୟରେ ସୀମିତ ନ ରଖି ବିଭିନ୍ନ ସମାଜସେବା କ୍ଷେତ୍ରରେ ସାମିଲ ଅଛନ୍ତି। ଏହା ସହ ପଶୁପକ୍ଷୀଙ୍କ ପ୍ରତି ସର୍ବଦା ସମ୍ବେଦନଶୀଳ ହେବା ସହ ପ୍ରକୃତିର ସୁରକ୍ଷା ପାଇଁ ଅନେକ ସମୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥାନ୍ତି, ପରିବେଶ ପ୍ରତି ତାଙ୍କର ଏଭଳି ନିଷ୍ଠା ଏବଂ ସମାଜସେବା ଯୁବଗୋଷ୍ଠୀଙ୍କୁ ପ୍ରଭାବିତ କରିଛି। ଅବସର ସମୟରେ କୋରାପୁଟ ସହରର ଗୌଡ଼ଗୁଡାର ଲଣ୍ଡା ପାହାଡ଼, ମାନବର ଉଚ୍ଚ ବିଦ୍ୟାଳୟ ପରିସର ଏବଂ କୋରାପୁଟ ଗାନ୍ଧୀନଗର ସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ଚାରା ରୋପଣ କରି ପରିବେଶକୁ ସବୁଜିମା କରିଛନ୍ତି ଏବଂ ଜନସାଧାରଣଙ୍କୁ ସମ୍ପ୍ରତି କରୋନା ସମୟରେ ମଧ୍ୟ ଗାଁ ଗାଁକୁ ଯାଇ କରୋନା ସମୟରେ ମାସ୍କ, ସାନିଟାଇଜର ଏବଂ ଶୁଖିଲା ଖାଦ୍ୟ ବାଣ୍ଟିବା ସହ ଲୋକଙ୍କୁ କରୋନା ସଚେତନତା ବାଣୀ ମଧ୍ୟ ପ୍ରଦାନ କରୁଥିବା ଦୃଷ୍ଟିଗୋଚର ହୋଇଅଛି।

ଏହା ଛଡା ସାହିତ୍ୟରେ ରୁଚି ରଖୁଥିବା ଶ୍ରୀପଟ୍ଟନାୟକ ବିଭିନ୍ନ ଗଳ୍ପ, କବିତା ଏବଂ ଗଦ୍ୟ ରଚନାରେ ମଧ୍ୟ ନିଜକୁ ନିୟୋଜିତ ରଖନ୍ତି। ସେ ନିଶିଗନ୍ଧା ସାହିତ୍ୟ ସଂସଦର ରାଜ୍ୟ ସହସଂଯୋଜକ ଭାବେ ଦାୟିତ୍ୱ ତୁଲାଇବା ସହ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଏକ ନୂତନ ଜାଗରଣ ଆଣିଅଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀଯୁକ୍ତ ପଟ୍ଟନାୟକ ହେଉଛନ୍ତି କୋରାପୁଟ ଜିଲ୍ଲାର ବରିଷ୍ଠ ଶିକ୍ଷାବିତ, ଭୁଦାନକର୍ମୀ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତ ଶ୍ରୀଯୁକ୍ତ ଭାସ୍କର ପଟ୍ଟନାୟକଙ୍କ ପୁତ୍ର। ଏହି ଅବସରରେ ଅଞ୍ଚଳର ବହୁ ବୁଦ୍ଧିଜୀବୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଶୁଭେଚ୍ଛା ବାର୍ତ୍ତା ପଠାଇଅଛନ୍ତି।

The post ତ୍ରିନାଥଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର first appeared on Sambad.

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp