ଡିଜି-ଡକାୟତ

ଡିଜି-ଡକାୟତ

ଆଜିକୁ ପ୍ରାୟ ତିନି ବର୍ଷ ତଳେ ସାଇବର୍ ଡକାୟତମାନେ ଭାରତର ପୁନେସ୍ଥିତ ‘କସ୍‌ମସ୍ ବ୍ୟାଙ୍କ୍’ ଉପରେ ଏପରି ଏକ ଆକ୍ରମଣ କରିଥିଲେ, ଯାହା ପୃଥିବୀ ସାରା ବ୍ୟାଙ୍କ୍ ଓ ଗ୍ରାହକ ମହଲରେ ଘୋର ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସେମାନେ ଏକ ସମୟରେ ୨୮ଟି ଦେଶରୁ ଉଠାଣ କରି ମୋଟ ପ୍ରାୟ ୯୪.୪ କୋଟି ଟଙ୍କା (୧୩.୫ ନିୟୁତ ଡଲାର୍) ଜମାକାରୀମାନଙ୍କ ଖାତାରୁ ନେଇ ପଳାଇ ଥ‌ିଲେ। ବ୍ୟାଙ୍କ୍ ଦେଇଥିବା ସୂଚନା ଅନୁସାରେ ଅଜଣା ‘ହ୍ୟାକର୍‌’ମାନେ ବ୍ୟାଙ୍କ୍‌ର ‘ଏଟିଏମ୍’ ସର୍ଭର୍ ଉପରେ ‘ମାଲ୍‌ୱେଆର୍’ ଆକ୍ରମଣ କରି ଗ୍ରାହକମାନଙ୍କର ଗୋପନୀୟ ସୂଚନା ସଂଗ୍ରହ କରି ତାହାକୁ ବ୍ୟବହାର କରି ମାତ୍ର ଦୁଇ ଘଣ୍ଟା ମଧ୍ୟରେ ୮୦.୫ କୋଟି ଟଙ୍କା ଉଠାଇ ନେଇଥିଲେ। ଏହା ବାଦ୍ ସେଇ ଡକାୟତମାନେ ବ୍ୟାଙ୍କ୍ ବ୍ୟବହାର କରୁଥିବା ‘ସୁଇଫ୍‌ଟ’ ନାମକ ଆନ୍ତର୍ଜାତିକ ଅର୍ଥ ସ୍ଥାନାନ୍ତରକାରୀ ଇଲେକ୍ଟ୍ରୋନିକ୍ ବ୍ୟବସ୍ଥାର ଦୁରୁପଯୋଗ କରି ଆଉ ୧୩.୯ କୋଟି ଟଙ୍କା ନେଇ ପଳାଇଥିଲେ। ଏହା ସେ ସମୟରେ ଏକ ଅପେକ୍ଷାକୃତ ବିରଳ ଦୁର୍ଘଟଣା ରୂପେ ବିବେଚିତ ହୋଇଥିଲା ଏବଂ ଭବିଷ୍ୟତ୍‌ରେ ଏଭଳି ସାଇବର୍ ଆକ୍ରମଣ ପ୍ରତିହତ କରିବା ନିମିତ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସମ୍ପୃକ୍ତ ସମସ୍ତେ ଅଣ୍ଟା ଭିଡ଼ିବାକୁ ଆରମ୍ଭ କରିଥିଲେ।
ଏବେ କିନ୍ତୁ ବ୍ୟାଙ୍କିଙ୍କ୍ କ୍ଷେତ୍ରକୁ ଅତିକ୍ରମ କରି ଆନ୍ତର୍ଜାତିକ ସ୍ତରରେ ବିଭିନ୍ନ କ୍ଷେତ୍ରରେ ଯେଉଁ ଭଳି ଲୋମହର୍ଷଣକାରୀ ସାଇବର୍ ଆକ୍ରମଣ ସବୁର ଖବର ପ୍ରକାଶ ପାଇବାରେ ଲାଗିଛି, ସେଥିରୁ ମନେ ହୋଇଥାଏ ସତେ ଯେମିତି ଚୀନା କରୋନା ସହିତ ତାଳ ଦେବା ଭଳି ପୃଥିବୀରେ ସାଇବର୍ ଅପରାଧ ଭୂତାଣୁର ମଧ୍ୟ ବିଭିନ୍ନ ରୂପରେ ପ୍ରସାର ଘଟିିବାକୁ ଆରମ୍ଭ କରିଛି। ଏଇଭଳି ଏକ ଚମକପ୍ରଦ ସାଇବର୍ ଆକ୍ରମଣ ଘଟଣା ଦେଖିବାକୁ ମିଳିଥିଲା ଗତ ମାସ ୭ ତାରିଖ ଦିନ ଆମେରିକାରେ ଯେତେବେଳେ ଏକ ହ୍ୟାକର୍ ଗୋଷ୍ଠୀ ସେ ଦେଶର ପୂର୍ବତଟସ୍ଥିତ ରାଜ୍ୟମାନଙ୍କରେ ତୈଳ ଯୋଗାଣ କରୁଥିବା ‘କଲୋନିଆଲ୍ ପାଇପ୍‌ଲାଇନ୍ କମ୍ପାନି’ର କମ୍ପ୍ୟୁଟର ସିଷ୍ଟମ୍ ଉପରେ ଏକ ‘ରାନ୍‌ସମ୍ ୱେଆର୍’ ଆକ୍ରମଣ କରି ସେ ସବୁ ରାଜ୍ୟମାନଙ୍କରେ ତୈଳ ଯୋଗାଣ ବସ୍ତୁତଃ ଠପ୍ କରି ଦେଇଥିଲା। କମ୍ପାନିର ମାଲିକ ଡକାୟତମାନେ ଦାବି କରିଥିବା ଭଳି ‘କ୍ରିପ୍ଟୋକରେନ୍‌ସି’ରେ ୪.୩ ନିୟୁତ ଡଲାର୍ ସେମାନଙ୍କୁ ହସ୍ତାନ୍ତର କଲା ପରେ ଯାଇ ସେମାନେ କମ୍ପାନିର କମ୍ପ୍ୟୁଟର୍ ସିଷ୍ଟମ୍‌କୁ ପୁଣି ସକ୍ରିୟ କରିବାକୁ ଦେଇଥିଲେ। ଏହାର ଅଳ୍ପ ଦିନ ପରେ ଠିକ୍ ଏଇ ଭଳି ଅନ୍ୟ ଏକ ‘ରାନ୍‌ସମ୍‌ ୱେଆର୍’ ଆକ୍ରମଣ ମାଧ୍ୟମରେ ସାଇବର୍ ଡକାୟତମାନେ ଆୟାରଲାଣ୍ଡର ଏକ ବଡ଼ ହସ୍‌ପିଟାଲ୍‌କୁ ଅଚଳ କରି ଦେଇଥିଲେ।

ଆଜିକାଲି ଏପରି କୌଣସି ଅନୁଷ୍ଠାନ କିମ୍ବା କ୍ଷେତ୍ର ନାହିଁ, ଯେଉଁଠି ବ୍ୟବହାର କରାଯାଉଥିବା ବିଭିନ୍ନ ଯନ୍ତ୍ରପାତି ଓ ଉପକରଣମାନଙ୍କରେ କମ୍ପ୍ୟୁଟର୍ ଚିପ୍ ଖଞ୍ଜା ଯାଇ ନାହିଁ ଏବଂ ସେ ସବୁ ଇଣ୍ଟର୍‌ନେଟ୍ ନେଟ୍‌ୱାର୍କ‌୍ ଦ୍ବାରା ସଂଯୁକ୍ତ ନୁହନ୍ତି। ସେନା ବାହିନୀରୁ ଆଣବିକ ବିଦ୍ୟୁତ୍ କେନ୍ଦ୍ର ପର୍ଯ୍ୟନ୍ତ, ହସ୍‌ପିଟାଲ୍‌ରୁ ବିମାନ ବନ୍ଦରର ଏଆର୍ ଟ୍ରାଫିକ୍ କଣ୍ଟ୍ରୋଲ୍ ସିଷ୍ଟମ୍ ପର୍ଯ୍ୟନ୍ତ, ରେଳ ସେବାରୁ ଅଗ୍ନିଶମ ସେବା ପର୍ଯ୍ୟନ୍ତ ଏହି ଉପାୟରେ ଇଣ୍ଟର୍‌ନେଟ୍ ନେଟ୍‌ୱାର୍କ‌୍ ସହିତ ସଂଯୁକ୍ତ (ଗତ ବର୍ଷ ଏହା ମାଧ୍ୟମରେ ହୋଇଥିବା ସାଇବର୍ ଆକ୍ରମଣ କିପରି ଦୀର୍ଘ ସମୟ ଧରି ମୁମ୍ବାଇରେ ବିଦ୍ୟୁତ୍ ଯୋଗାଣ ବନ୍ଦ କରି ଦେଇଥିଲା, ତାହା କେହି ଭୁଲି ନ ଥିବେ)।

ବର୍ତ୍ତମାନର ଆନ୍ତର୍ଜାତିକ ରାଜନୈତିକ ପରିସ୍ଥିତି ସାଇବର ଆକ୍ରମଣ ପାଇଁ ମଧ୍ୟ ବେଶ୍ ଅନୁକୂଳ। ମୁମ୍ବାଇ ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ଉପରେ ହୋଇଥିବା ସାଇବର୍ ଆକ୍ରମଣର ମୂଳ ଥିଲା ଚୀନ୍‌ରେ। ଆମେରିକାର ତୈଳ ପାଇପ୍‌ଲାଇନ୍ ଉପରେ ଯେଉଁ ଡିଜି-ଡକାୟତ ଗୋଷ୍ଠୀ ଆକ୍ରମଣ କରିଥିଲା, ତା’ର ନିରାପଦ ଆଶ୍ରୟ ସ୍ଥଳୀ ହେଉଛି ରୁଷିଆ। ଆନ୍ତର୍ଜାତିକ ଡିଜିଟାଲ୍ ଡକାୟତମାନଙ୍କର ଅନ୍ୟ ଏକ ନିରାପଦ ଆଶ୍ରୟ ସ୍ଥଳୀ ହେଉଛି ଉତ୍ତର କୋରିଆ। ଏହା କାହାର ଦୃଷ୍ଟି ଏଡ଼ାଉ ‌ନ ଥିବ ଯେ ଏ ସମସ୍ତ ଦେଶମାନ ହେଉଛନ୍ତି ଏକଛତ୍ରବାଦୀ ଦେଶ ଏବଂ ବସ୍ତୁତଃ ବୃହତ୍ତର ଆନ୍ତର୍ଜାତିକ ସମୁଦାୟର ନିୟନ୍ତ୍ରଣ ବାହାରେ। ଏଭଳି ସାଇବର୍ ବା ଡିଜିଟାଲ୍ ଆକ୍ରମଣଜନିତ ବିପଦ ବିଷୟରେ ଚିନ୍ତା କଲା ବେଳେ ପ୍ରଥମେ ଯେଉଁ ଚିତ୍ର ମନକୁ ଆସିଥାଏ, ତାହା ହେଲା ଏକ ଅଚଳ ପାଇପ୍‌ଲାଇନ୍, ବା ହସ୍‌ପିଟାଲ୍ ବା ଶକ୍ତି କେନ୍ଦ୍ର ଭଳି ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ ସଂସ୍ଥାର ଆହତ ଅବସ୍ଥା। ଏଭଳି ଆକ୍ରମଣର କିନ୍ତୁ ଆଉ ଏକ ଏଭଳି ଦିଗ ରହିଛି, ଯାହା ହେଉଛି ଆହୁରି ସାଂଘାତିକ ଓ ସୁଦୂରପ୍ରସାରୀ। ପୃଥିବୀର ପ୍ରତ୍ୟେକ ଦେଶରେ ଲୋକମାନଙ୍କର ଜୀବନଧାରଣ ମାନରେ ଦ୍ରୁତ ଉନ୍ନତି ହାସଲ କରିବାର ଏକ ନିଶ୍ଚିତ ଉପାୟ ହେଉଛି ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଡିଜିଟାଲ୍‌କରଣ ଅର୍ଥାତ୍ କମ୍ପ୍ୟୁଟର୍ ଓ ଇଣ୍ଟର୍‌ନେଟ୍ ବ୍ୟବହାରରେ ଦ୍ରୁତ ପ୍ରସାର। କିନ୍ତୁ ଡିଜିଟାଲ୍‌କରଣ ଯଦି ସାଇବର୍ ଆକ୍ରମଣ ଭଳି ବିପଦ ବରଣରେ ପରିଣତ ହୁଏ, ତେବେ ସେ ପଥରେ ପାଦ ଦେବା ପୂର୍ବରୁ ଯେ କୌଣସି ସଂସ୍ଥା ନିଶ୍ଚିତ ରୂପେ ଶଙ୍କିତ ହେବ। ଏଣୁ ଡିଜି-ଡକାୟତମାନେ ଯେ ସେମାନଙ୍କର କୁକର୍ମ ଦ୍ବାରା ପୃଥିବୀ ସାରା ଅର୍ଥନୈତିକ ବିକାଶ ଧାରାକୁ ଶିଥିଳ କରିଦେବାର ସମ୍ଭାବନା ସୃଷ୍ଟି କରିଛନ୍ତି, ଏହା ଜଳ ଜଳ ହୋଇ ଦେଖା ଯାଉଛି।

ଆଜି ଭଳି ପାଣ୍ଡେମିକ୍‌ଗ୍ରସ୍ତ ସମୟରେ ଯେତେବେଳେ ଅନ୍‌ଲାଇନ୍ ପାଠପଢ଼ାରୁ ଅନ୍‌ଲାଇନ୍ ଅଫିସ୍ କାମ ପର୍ଯ୍ୟନ୍ତ, ଅନ୍‌ଲାଇନ୍ ମାର୍କେଟିଙ୍ଗ୍‌ରୁ ଅନ୍‌ଲାଇନ୍ ଚିକିତ୍ସା ସେବା ପ୍ରଦାନ ପର୍ଯ୍ୟନ୍ତ ଡିଜିଟାଲ୍ ରୂପ ପରିଗ୍ରହଣ କରିଛି, ଠିକ୍ ସେତିକିବେଳେ ଡିଜି-ଡକାୟତମାନେ ଜବରଦସ୍ତି ଏ ସମସ୍ତ କାର୍ଯ୍ୟକଳାପରେ ଘୋର ବିଭ୍ରାଟ ସୃଷ୍ଟି କରିବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଇଛି। ଦିନ ଥିଲା ଯେତେବେଳେ ଡକାୟତମାନେ ମୁଖା ପିନ୍ଧି ମ୍ୟାନେଜର୍‌ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ବ୍ୟାଙ୍କ୍ ଲୁଟ୍ କରୁଥିଲେ। ବର୍ତ୍ତମାନର ଡିଜି-ଡକାୟତଙ୍କ ହାତରେ ବା କୋଳରେ କିନ୍ତୁ ଦେଖିବାକୁ ମିଳୁଛି ବନ୍ଧୁକ ବଦଳରେ ଲ୍ୟାପଟପ୍। ସେଇଭଳି ପୂର୍ବେ କିଏ ଛୁରୀ ଦେଖାଇ ପଥଚାରୀ ଠାରୁ ପଇସା ଛଡ଼ାଉଥିଲା; ଏବେ ତୁମେ ନିଜର ଦାମୀ ମଟରଗାଡ଼ିର କବାଟ ଝରକା ବନ୍ଦ କରି ସୁରକ୍ଷିତ ଭାବରେ ଯାତ୍ରା କରିବା ବେଳେ ମେସେଜ୍ ମିଳିବ ଏତିକି ପଇସା ତୁରନ୍ତ ଅନ୍‌ଲାଇନ୍ ପ୍ରେରଣ କର, ନଚେତ୍ ଗାଡ଼ିର କବାଟ ଝରକା ଆଉ ଖୋଲିବ ନାହିଁ। ଏହା ‌କପୋଳକଳ୍ପିତ ମନେ ହେଉଥିଲେ ହେଁ ଯଦି ବର୍ତ୍ତମାନ ଦେଖାଯାଉଥିବା ଡିଜି-ଡକାୟତି ଧାରା ଜାରି ରହେ (ଲଣ୍ଡନ୍ ବିଜ୍‌ନେସ୍ ସ୍କୁଲ୍ ୮୫ଟି ଦେଶରେ ୧୨,୦୦୦ କମ୍ପାନିମାନଙ୍କୁ ନେଇ କରିଥିବା ଏକ ଅନୁଶୀଳନ ଅନୁସାରେ ୨୦୧୩ରୁ ବର୍ତ୍ତମାନ ମଧ୍ୟରେ ଏଭଳି ସାଇବର୍ ବିପଦ ଘଟିବାର ସମ୍ଭାବନାରେ ତିନି ଗୁଣ ବୃଦ୍ଧି ଘଟିଛି), ତେବେ ଅନତି ବିଳମ୍ବେ ପୃଥିବୀ ସାରା ମାନବ ସମାଜ ଏଇଭଳି ବିପଦର ସମ୍ମୁଖୀନ ହେବାକୁ ଯାଉଛି।

ଆନ୍ତର୍ଜାତକ ସହଯୋଗ ବିନା ଏ ବିପଦର ସଫଳ ମୁକାବିଲା କରିବା ସହଜ ନୁହେଁ। ଏବଂ ଏଥିପାଇଁ ମୁକ୍ତ ପୃଥିବୀର ଦେଶମ‌ାନେ ହାତ ମିଳାଇ ଡିଜି-ଡକାୟତମାନଙ୍କର ଆଡ୍‌ଡାସ୍ଥଳୀ ପାଲଟିଥିବା ବଦମାସ ଦେଶମାନଙ୍କୁ ନିୟନ୍ତ୍ରଣ କରିବାକୁ ହେବ। ଜୁନ୍ ୧୧-୧୩ରେ କର୍ନୱାଲ୍‌ ଠାରେ ଅନୁଷ୍ଠିତ ଜି-୭ ଦେଶମାନଙ୍କର ଶୀର୍ଷ ସମ୍ମିଳନୀରେ ସାଇବର୍ ନିରାପତ୍ତା ନିଶ୍ଚିତ କରିବା ପାଇଁ ଦୃଢ଼ ପଦକ୍ଷେପ ନିଆଯିବା ଲାଗି ନିଆଯାଇଥିବା ସଂକଳ୍ପ ଏ ଦିଗରେ ଏକ ପ୍ରଥମ ପଦକ୍ଷେପ।

The post ଡିଜି-ଡକାୟତ first appeared on Sambad.

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp