ଟିକାକୁ ନେଇ ରାଜନୀତି । ଟିକାକରଣ କେନ୍ଦ୍ରରେ ମୋଦିଙ୍କ ଫଟୋ ନଥିବାରୁ ତାତିଲେ ବିଜେପି କର୍ମୀ, ଅନୁଗୁଳରେ ଚିରିଲେ ନବୀନଙ୍କ ପୋଷ୍ଟର ।
କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାରଙ୍କ ନୂଆ ଟିକା ନୀତି ଅନୁଯାୟୀ ହେଉଛି ଟିକାକରଣ । ଉଭୟ ଅନଲାଇନ ଓ ଅଫ ଲାଇନରେ ପଂଜିକରଣ କରି ଟିକା ନେବାକୁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । କିନ୍ତୁ ସେପଟେ ଟିକାକରଣକୁ ନେଇ ଜୋର ଧରିଛି ରାଜନୀତି ।
ଅନୁଗୁଳରେ ଟିକାକରଣ ପୋଷ୍ଟରକୁ ନେଇ ବିରୋଧ କରିଛନ୍ତି ବିଜେପି କର୍ମୀ । କୋଭିଡ ଟିକାକରଣ କେନ୍ଦ୍ରରେ ଲାଗିଥିବା ନବୀନଙ୍କ ବିଭିନ୍ନ ପୋଷ୍ଟର ଚିରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷ୍ଟର ଲଗାଯାଉ ବୋଲି ପାଟିତୁଣ୍ଡ କରିଥିଲେ । ଟିକାକରଣ କେନ୍ଦ୍ରରେ ପ୍ରାୟ ୧୫ ମିନିଟ୍ ଧରି ଏଭଳି ବିଶୃଙ୍ଖଳା ସୃଷ୍ଟିଥିଲେ । ତେବେ ପୋଲିସ ପହଞ୍ଚିବା ପୂର୍ବରୁ କିଛି କର୍ମୀ ସେଠାରୁ ଚାଲି ଯାଇଥିଲେ । ତେବେ ବିଜେପି କର୍ମୀଙ୍କ ଏଭଳି ବିଶୃଙ୍ଖଳା ଯୋଗୁଁ ବର୍ତମାନ ପାଇଁ ଟୀକାକରଣ ବନ୍ଦ କରାଯାଇଛି । ପ୍ରାୟ ଦେଢ ମାସ ଧରି ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ବେଳେ ଆଜି ହଜାର ଲୋକଙ୍କ ପାଇଁ ଟିକାକରଣ ବ୍ୟବସ୍ଥା କରାଯାଇଥିଲା ।
ଅନ୍ୟପଟେ ବାଲେଶ୍ୱରରେ ଟିକାକରଣକୁ ନେଇ ମଧ୍ୟ ଉତ୍ତେଜନା ଦେଖିବାକୁ ମିଳିଛି । ଗାନ୍ଧୀ ସ୍ମୃତି ଟିକାକରଣ କେନ୍ଦ୍ରରେ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିଜେପି କର୍ମୀ ପ୍ରତିବାଦ କରିଛନ୍ତି । କେନ୍ଦ୍ର ଟିକା ଦେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର କାହିଁକି ରହିବ ବୋଲି ପ୍ରଶ୍ନ କରିବା ସହ ସେମାନେ ମୋଦିଙ୍କ ଫଟୋ ନେଇ ଟିକାକରଣ କେନ୍ଦ୍ରରେ ରଖିବା ପରେ ଉତେଜନା ସୃଷ୍ଟି ହୋଇଛି ।
ବିଜେଡି ତରଫରୁ କୁହାଯାଇଛି ଯେ ଆଜି ଦିଆଯାଉଥିବା ଟିକା ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ କିଣିଛନ୍ତି । କୋଭିଡ୍ ମହାମାରୀର ମୁକାବିଲା ପାଇଁ ବ୍ୟାପକ ଟିକାକରଣ ଉପରେ ଜୋର୍ ଦିଆଯାଉଥିବା ବେଳେ ଟିକାକରଣ କେନ୍ଦ୍ରରେ ନିଜର ପତିଆରା ବୃଦ୍ଧି ପାଇଁ ରାଜନୈତିକ ଦଳ ଭିତରେ ଟଣା ଓଟରା ବେଶ୍ ଚର୍ଚ୍ଚା ସୃଷ୍ଟି କରିଛି । ତେବେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଜନସାଧାରଣଙ୍କ ଟଙ୍କାରେ ଆସୁଥିବା ଟିକାରେ ମୋଦି ଟିକା, ନବୀନ ଟିକା, ମମତା ଟିକା କଣ?ଫଟୋକୁ ନେଇ ରାଜନୀତି ହେବା ଠିକ୍ ନୁହେଁ ବୋଲି କହିଛନ୍ତି ଦେବୀ ।