ଟିକାକରଣରେ ରେକର୍ଡ: ଟିକା ନେଲେ ୩ଲକ୍ଷ ୩୨ହଜାରରୁ ଅଧିକ
୧୮-୪୪ବର୍ଗର ୨ଲକ୍ଷ ୩୯ହଜାର ଲୋକଙ୍କୁ ଟିକା
କରୋନା ଟିକା ୧କୋଟି ଡୋଜ୍ ଟପିଲା
ଆଜି ଆସିବ ୧ଲକ୍ଷ ୭୪ହଜାର ଡୋଜ୍
ଭୁବନେଶ୍ବର : ରାଜ୍ୟରେ ସୋମବାର ଦିନ କରୋନା ଟିକାକରଣରେ ସବୁ ରେକର୍ଡ ଭାଙ୍ଗିଛି। ଗୋଟିଏ ଦିନରେ ରାଜ୍ୟରେ ୩ଲକ୍ଷ ୩୨ହଜାର ୭୧୭ଜଣଙ୍କୁ ଟିକା ଦିଆଯାଇଛି। କେନ୍ଦ୍ର ସରକାରଙ୍କ ଟିକାକରଣ ନେଇ ସଂଶୋଧିନ ନିୟମାବଳୀ ଆସିବା ପରେ ରାଜ୍ୟରେ ଟିକାକରଣ ସଂଖ୍ୟା ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ କରୋନା ଟିକା କୋଟିଏ ଡୋଜ୍ ଟପିଛି। ଏ ପର୍ଯ୍ୟନ୍ତ ୧କୋଟି ୧ଲକ୍ଷ ୨୯ହଜାର ୧୦୫ଡୋଜ୍ ଟିକା ଦିଆ ସରିଲାଣି।
ଜାନୁଆରି ୧୬ତାରିଖରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୫ମାସ ପରେ ଲୋକମାନେ ୧କୋଟି ଡୋଜ୍ ଟିକା ନେଇ ସାରିଲେଣି। ଆଜିଠାରୁ କେନ୍ଦ୍ର ସରକାର ୧୮-୪୪ବର୍ଗ ପାଇଁ ମାଗଣାରେ ରାଜ୍ୟମାନଙ୍କୁ ଟିକା ଯୋଗାଇ ଦେବା ଲାଗି ଘୋଷଣା କରିଛନ୍ତି। ରାଜ୍ୟ ସରକାର ମଧ୍ୟ ଦୈନିକ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଭିତ୍ତିରେ ଆଜି ୧୬୧୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ୭ଟା ପର୍ଯ୍ୟନ୍ତ ଟିକାକରଣ ଜାରି ରହିଥିବା ସୂଚନା ମିଳିଛି। ଫଳରେ ରାଜ୍ୟ ସରକାର ଦୈନିକ ୩ଲକ୍ଷ ଟିକା ପ୍ରଦାନ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ତାହାଠାରୁ ଅଧିକ ଲୋକ ଟିକା ନେଇଛନ୍ତି। ରାଜ୍ୟରେ ପ୍ରଥମଥର ଲାଗି ଗୋଟିଏ ଦିନରେ ୧୮-୪୪ବର୍ଗର ୨ଲକ୍ଷ ୩୪ହଜାର ୭୯ଜଣ ପ୍ରଥମ ଓ ୫୦୯୦ଜଣ ଦ୍ବିତୀୟ ଡୋଜ୍କୁ ମିଶାଇ ସମୁଦାୟ ୨ଲକ୍ଷ ୩୯ହଜାର ୧୬୯ଜଣ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୫୭,୩୮୯ଜଣ ପ୍ରଥମ ଓ ୩୩,୮୮୯ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଏହାସହ ପଞ୍ଜୀକୃତ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରେ ୩୭ଜଣ ପ୍ରଥମ, ୧୯୫ଜଣ ଦ୍ବିତୀୟ, ଆଗଧାଡ଼ିର ଯୋଦ୍ଧା ୯୪୬ଜଣ ପ୍ରଥମ ଓ ୧୦୯୨ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିବା ସଂପର୍କରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୨୫ହଜାର ୬୨୯ ଡୋଜ୍ର ଟିକା ଲୋକଙ୍କୁ ଦିଆଗଲାଣି। ଏଥିରେ ସ୍ବାସ୍ଥ୍ୟକର୍ମୀ, ଆଗାଧାଡ଼ିର ଯୋଦ୍ଧା, ୧୮-୪୪ବର୍ଗ ଓ ୪୫ବର୍ଷରୁ ଅଧିକ ବୟସର ଲୋକ ରହିଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି ରାଜ୍ୟରେ ଟିକାର ନଷ୍ଟ ହାର ବିଯୁକ୍ତ ୩ ପ୍ରତିଶତ ରହିଛି। ଯାହାଫଳରେ ରାଜ୍ୟରେ ଏ ପର୍ଯ୍ୟନ୍ତ ଅତିରିକ୍ତ ୨.୯ଲକ୍ଷ ଡୋଜ୍ ଟିକା ଲୋକଙ୍କୁ ଦିଆଯିବା ସମ୍ଭବ ହୋଇପାରିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଆସନ୍ତାକାଲି ରାଜ୍ୟରେ ୧୨୨୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ସେହିପରି ଆସନ୍ତାକାଲି ରାଜ୍ୟକୁ ଆହୁରି ୧ଲକ୍ଷ ୭୪ ୪୬୦ ‘କୋଭିସିଲ୍ଡ’ ଡୋଜ୍ ଟିକା ଆସିବା ନେଇ ସୂଚନା ମିଳିଛି।
The post ଟିକାକରଣରେ ରେକର୍ଡ: ଟିକା ନେଲେ ୩ଲକ୍ଷ ୩୨ହଜାରରୁ ଅଧିକ first appeared on Sambad.