ଜେଲ୍‌ରେ ବିଚାରଧୀନ କଏଦିର ମୃତ୍ୟୁ, ଆତ୍ମହତ୍ୟା ରୁପ ଦେବାକୁ ଉଦ୍ୟମ, ସନ୍ଦେହରେ ଜେଲ କର୍ତ୍ତୃପକ୍ଷ

ଜେଲ୍‌ରେ ବିଚାରଧୀନ କଏଦିର ମୃତ୍ୟୁ, ଆତ୍ମହତ୍ୟା ରୁପ ଦେବାକୁ ଉଦ୍ୟମ, ସନ୍ଦେହରେ ଜେଲ କର୍ତ୍ତୃପକ୍ଷ

କୋରେଇ: କୋରେଇ ବ୍ଲକ୍ ରଗଡି ସବ୍‌ଜେଲ୍‌ରେ ଥିବା ଜେଲ୍ ଅନ୍ତେବାସୀଙ୍କର ଆଜି ମୃତ୍ୟୁ ହୋଇଛି । ମୃତ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗ ମୁର୍ସିଦାବାଦ ଜିଲ୍ଲା ସିୟାତଳା ଗ୍ରାମର ଇର୍ଫାନ ଅଲ୍ଲୀଙ୍କ ପୁଅ ହାନିଫ ସେକ୍ ବୋଲି ଜଣାପଡିଛି । ଗତକାଲି ସଂଧ୍ୟାରେ ହାନିଫ ଜେଲ ମଧ୍ୟରେ ଥିବା ଏକ ସ୍କାଏ ଲାଇଟ୍‌ରେ ନିଜେ ବ୍ୟବହାର କରୁଥିବା ଗାମୁଛା ବେକରେ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ରଗଡି ଜେଲର ଜେଲର ପ୍ରକାଶଚନ୍ଦ୍ର ରଣା ପ୍ରକାଶ କରିଛନ୍ତି ।

ଏନେଇ ରଗଡି ଜେଲ ପକ୍ଷରୁ କୋରେଇ ଥାନାରେ ଏକ ଏତଲା ଦିଆଯାଇଥିବା ବେଳେ କୋରେଇ ପୁଲିସ୍ ୯/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ହେଲେ ହାନିଫର ମୃତ୍ୟୁକୁ ନେଇ ଉଠିଛି ବହୁ ପ୍ରଶ୍ନ ଓ ସନ୍ଦେହ । ମିଳିଥିବା ସୁଚନା ମୁତାବକ ହନିଫକୁ ଚଳିତ ମାସ ୧୩ ତାରିଖରେ ବୈରୀ ପୁଲିସ୍ ଏକ ଚୋରି ମାମଲାରରେ ଗିରଫ କରିଥିଲା । ପରେ ଚଣ୍ଡିଖୋଲ କୋର୍ଟରେ ହାଜର ପରେ ମାନ୍ୟବର କୋର୍ଟ ଶୁଣାଣି କରି ହନିଫକୁ କେସ୍ ନମ୍ବର- ୯୬୦/୨୧ରେ ରଗଡି ଜେଲକୁ ପଠାଇଥିଲେ । ୧୩ ତାରିଖ ଅପରାହ୍ନରେ ହନିଫ ରଗଡି ଜେଲରେ ପହଁଚିଥିଲା । ହେଲେ ଜେଲ ଅନ୍ତେବାସୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ଜେଲରେ ପହଁଚିବା ପରେ ହନିଫକୁ ଅନ୍ୟ କଏଦି ମାନଙ୍କ ସହିତ ସାମୁହିକ ଭାବେ ରଖାଯାଇଥିଲା । ଯେଉଁଠାରେ କି ପୂର୍ବରୁ ଥିବା କିଛି ଅଭିଯୁକ୍ତ ହନିଫ ଉପରେ ବିଭିନ୍ନ ଅତ୍ୟାଚାର କରିଥିଲେ ।

ହନିଫ ବାହାର ରାଜ୍ୟର ଲୋକ ହୋଇଥିବାରୁ ଅନ୍ତେବାସୀଙ୍କ ସମେତ ଜେଲର କିଛି କର୍ମକର୍ତା ମଧ୍ୟ ହନିଫକୁ ନାନାଦି ଅତ୍ୟାଚାର କରୁଥିଲେ । ଯେଉଁଥିରେ ହନିଫ ମାନସିକ ଓ ଶାରିରୀକ ଭାବେ ଆଘାତ ପାଇଥିଲା । ଗତକାଲି ସଂଧ୍ୟାରେ ମଧ୍ୟ କୌଣସି କଥାକୁ ନେଇ କିଛି ଅନ୍ତେବାସୀଙ୍କ ସହିତ ହନିଫର ପାଟିତୁଣ୍ଡ ହୋଇଥିଲା । ହେଲେ ସଂଧ୍ୟାରେ ହନିଫ ଗାମୁଛା ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ଜେଲ ଅଧିକାରୀ କହୁଛନ୍ତି । ହନିଫଙ୍କ ବେକରେ ଥିବା ଦାଗ କୌଣସି ରସି ବା ଦଉଡ଼ିର ଦାଗ ଭଳି ଜଣାପଡୁଛି । ଏପରିକି ହନିଫ ଦେହରେ ରକ୍ତର ଦାଗ ମଧ୍ୟ ରହିଛି । ଯାହାକି ସମଗ୍ର ଘଟଣାକୁ ସନ୍ଦେହ ଘେରରେ ରଖିଛି । ପୁର୍ବରୁ ମଧ୍ୟ ରଗଡି ଜେଲରେ ବହୁ ଅନିୟମିତତା ହେଉଥିବାର ଅଭିଯୋଗ ରହିଛି ।

ତେବେ ଘଟଣା ସମ୍ପର୍କରେ ରଗଡି ଜେଲର ଶ୍ରୀ ରଣା କହିଛନ୍ତି ଯେ, ହନିଫ ଆତ୍ମହତ୍ୟ କରିବାକୁ ଉଦ୍ୟମ କରିଥିବା ବେଳେ ତାଙ୍କୁ ମୃମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇ ସଂଧ୍ୟା ୬.୪୫ରେ କୋରେଇ ମେଡିକାଲକୁ ପଠାଯାଇଥିଲା । ଅନ୍ୟପଟେ ହନିଫଙ୍କ ଭାଇ ୟୁସଫ୍ କୁହନ୍ତି ଯେ, ସଂଧ୍ୟା ୬.୨୨ରେ ରଗଡି ଜେଲ କର୍ତୁପକ୍ଷ ତାଙ୍କୁ ଫୋନ କରି ହନିଫ ଜେଲରେ ମରିଯାଇଥିବାର ଖବର ଦେଇଥିଲେ । ଏପରିକି କୋରେଇ ମେଡିକାଲରେ ଡିୟୁଟିରେ ଥିବା ଡାକ୍ତର ମଧ୍ୟ ହନିଫ ପହଁଚିବା ପୂର୍ବରୁ ମରିଥିବା ସ୍ପଷ୍ଟ କରିଛନ୍ତି । ଏପରି ସ୍ଥଳେ ଜେଲ ମଧ୍ୟରେ ହିଁ ହନିଫଙ୍କର ମୃତ୍ୟୁ ହୋଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଜେଲ ମଧ୍ୟରେ ଥିବା କଡ଼ା ସୁରକ୍ଷା ମଧ୍ୟରେ ଜଣେ ବିଚାରଧୀନ କଏଦିର ମୃତ୍ୟୁ କିପରି ସମ୍ଭବ ହେଉଛି ସେନେଇ ଉଠିଛି ପ୍ରଶ୍ନ । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି ।

The post ଜେଲ୍‌ରେ ବିଚାରଧୀନ କଏଦିର ମୃତ୍ୟୁ, ଆତ୍ମହତ୍ୟା ରୁପ ଦେବାକୁ ଉଦ୍ୟମ, ସନ୍ଦେହରେ ଜେଲ କର୍ତ୍ତୃପକ୍ଷ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp