ଜୁଲାଇରେ ବିଧାନସଭା ଅଧିବେଶନ!

ଜୁଲାଇରେ ବିଧାନସଭା ଅଧିବେଶନ!

ଭୁବନେଶ୍ବର: ଆସନ୍ତା ମାସରେ ସଂସଦର ମୌସୁମୀ ଅଧିବେଶନ ବସୁଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଜୁଲାଇରେ କରିବା ପାଇଁ ଯୋଜନା ଚାଲିଛି। ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ଏହି ସୂଚନା ଦେଇଛନ୍ତି। ତେବେ ପରିସ୍ଥିତି ଉପରେ ନଜର ରଖି ଓ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରି ଅଧିବେଶନ ଡକାଯିବ ବୋଲି ବାଚସ୍ପତି କହିଛନ୍ତି।

ସଂସଦ ଓ ବିଧାନସଭା କାର୍ଯ୍ୟକାଳର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଏକ ଭର୍ଚୁଆଲ୍‌ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦର ଅଧ୍ୟକ୍ଷମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ। ପ୍ରାରମ୍ଭରେ ସ୍ବାଗତ ଭାଷଣ ଦେଇ ବାଚସ୍ପତି କହିଥିଲେ ଯେ ସଂସଦୀୟ ଗଣତନ୍ତ୍ରର ମହାନ ପରମ୍ପରା ବିଷୟ ଅବତାରଣା କରି ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିବା ପ୍ରକାଶ କରିଥିଲେ। କୋଭିଡ୍‌ ପରିସ୍ଥିତିର ସଫଳ ମୁକାବିଲା ଦିଗରେ ଦଳମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଜନସାଧାରଣଙ୍କ ସକ୍ରିୟ ସହଯୋଗର ସେ ଭୂୟସୀ ପ୍ରଶଂସା କରିଥିଲେ।

ଓଡ଼ିଶା ବିଧାନସଭା ବାଚସ୍ପତି ଶ୍ରୀ ପାତ୍ର ବୈଠକରେ ଅଂଶଗ୍ରହଣ କରି କହିଥିଲେ, ବର୍ଷକୁ ଅନ୍ତତଃ ୬୦ ଦିନ ବିଧାନସଭା ବୈଠକ ବସିବା ବ୍ୟବସ୍ଥା ବିଜୁ ପଟ୍ଟନାୟକଙ୍କ ଦ୍ବାରା ପ୍ରବର୍ତ୍ତିତ ହୋଇଥିଲା। ବିଧାନସଭାର ପ୍ରତ୍ୟେକ ଆଲୋଚନାକୁ ଜନସାଧାରଣଙ୍କ ନିକଟରେ ତ୍ବରିତ ବେଗରେ ପହଞ୍ଚାଇବା ପାଇଁ ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରାଯାଉଛି। ବର୍ତ୍ତମାନ ତାରକା ଚିହ୍ନିତ ପ୍ରଶ୍ନାବଳୀକୁ ଛାଡ଼ିଦେଲେ ବିଧାନସଭାର ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଓ ବିବରଣୀ ବିନା କାଗଜରେ ସମ୍ପନ୍ନ ହେଉଛି। ଲୋକସଭା ବାଚସ୍ପତିଙ୍କ ପରାମର୍ଶକ୍ରମେ ଗୁଜୁରାଟ, ଆସାମ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷିତ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ପାଇଁ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଏକ ପ୍ରକୋଷ୍ଠ ଖୋଲାଯାଇଥିବା ସମ୍ପର୍କରେ ଶ୍ରୀ ପାତ୍ର ସୂଚନା ଦେଇଥିଲେ। ଏହି ବୈଠକରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଓ ଅନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।

The post ଜୁଲାଇରେ ବିଧାନସଭା ଅଧିବେଶନ! first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp