ଜାହିରିଟୋଲିରେ ତନାଘନା ପରେ ଖୋଲୁଛି ପେଡ଼ି: ୨ ଗୋଦାମ ସିଲ୍, ଟ୍ରକ ସହ ୨୯୧ ବସ୍ତା ପିଡିଏସ୍ ଥାନାରେ

ଜାହିରିଟୋଲିରେ ତନାଘନା ପରେ ଖୋଲୁଛି ପେଡ଼ି: ୨ ଗୋଦାମ ସିଲ୍, ଟ୍ରକ ସହ ୨୯୧ ବସ୍ତା ପିଡିଏସ୍ ଥାନାରେ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ପିଡିଏସ୍ ମହାଦୁର୍ନୀତିକୁ ନେଇ ପାନପୋଷ ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଯୋଗାଣ ଅଧିକାରୀ, ମିଲର୍ସ ଓ ପରିବହନକାରୀ (ଏଲ୍-୨) ଠିକାଦାରଙ୍କ ମନରେ ଛନକା ପଶିଛି। ଏହିକ୍ରମରେ ଶନିବାର ନୂଆଗାଁ ବ୍ଲକ ଜାହିରିଟୋଲି ପଞ୍ଚାୟତରେ ରହସ୍ୟଜନକ ଭାବେ ହଠାତ ଚାଉଳ ଓ ଗହମ ବୋଝେଇ ଏକ ଟ୍ରକ ପହଞ୍ଚିବା, ତାକୁ ନେଇ ବୀରମିତ୍ରପୁର ବିଧାୟକଙ୍କ ତନାଘନା ପରେ ଘଟି ଯାଇଥିବା ପରବର୍ତ୍ତୀ ଘଟଣାକ୍ରମ ପିଡିଏସ୍ ଦୁର୍ନୀତିର ଯୋଜନାବଦ୍ଧ କାରସାଦିକୁ ସାମ୍ନାକୁ ଆଣିଛି। ବିଶେଷ କରି ଗୋଟିଏ ଭୁଲ ଲୁଚାଇବାକୁ ଯାଇ ଯେମିତି ଜଣେ ଏକାଧିକ ଭୁଲ୍ କରିବସେ, ସେମିତି ଠିକାଦାର, ଏପିଆଇ ଓ ଯୋଗାଣ ବିଭାଗ ଅଧିକାରୀ ମଧ୍ୟ ଅନେକ ଭୁଲ କରି ଦେଇଛନ୍ତି। ଯେଉଁଥିରେ ସେମାନଙ୍କ ମିଛ ଆପେ ଧରା ପଡ଼ିଯାଇଛି ବୋଲି କୁହାଯାଇପାରେ।

ଆଜି ବୀରମିତ୍ରପୁର ଏସଡିପିଓ ମାନସ ରଞ୍ଜନ ପ୍ରଧାନ, ଥାନାଧିକାରୀ ହୃଷିକେଶ ବେହେରା, ଉପଖଣ୍ଡ ଯୋଗାଣ ଅଧିକାରୀ ସଂଜୟ କୁମାର ଜେନା, ନୂଆଗାଁ ଯୋଗାଣ ନିରୀକ୍ଷକ ଯୋଗେଶ୍ବର ସ୍ବାଇଁଙ୍କ ସମେତ ବିଶ୍ରା, ଲାଠିକଟା, କୁଆରମୁଣ୍ଡା ଯୋଗାଣ ନିରୀକ୍ଷକଙ୍କ ଉପସ୍ଥିତିରେ ଜାହିରିଟୋଲି ଓ ପୁରୁଣାପାନି ପଞ୍ଚାୟତ ଗୋଦାମକୁ ସିଲ୍ କରାଯାଇଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଦାମର ଷ୍ଟକ୍ ଯାଞ୍ଚ କରି ତଦନ୍ତକୁ ଆଗକୁ ନିଆଯିବ ବୋଲି ସୂଚନା ମିଳିଛି।

ପୂରା ଘଟଣା ଥିଲା ଏମିତି। ମେ’ ୨୯ ତାରିଖରେ ରାଉରକେଲା ଏସଟିଆଇସ୍ଥିତ ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)ରୁ ଜାହିରିଟୋଲି ପଞ୍ଚାୟତର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାର ଚାଉଳ ଓ ଗହମ ଏଲ୍-୨ ଠିକାଦାର ଉଷା ଅଗ୍ରୱାଲ ଉଠାଇଥିଲେ । କିନ୍ତୁ ତାହା ୨୦ ଦିନ ପରେ ବି ପଞ୍ଚାୟତ ଗୋଦାମକୁ ପହଞ୍ଚି ନଥିଲା। ପାନପୋଷ ଉପଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ପରେ ଧରାପଡ଼ିଯିବା ଭୟରେ ଶନିବାର ଅପରାହ୍ନରେ ଠିକାଦାର ଏକ ଟ୍ରକ (ଓଡି-୧୪ ୟୁ-୬୪୨୯)ରେ ଚାଉଳ ବୋଝେଇ କରି ପହଞ୍ଚି ଯାଇଥିଲେ। ଲୋକେ ଚୋରି ଚାଉଳ ଅଭିଯୋଗ କରି ଗାଡ଼ିକୁ ଘେରି ଯାଇଥିଲେ। ସେତେବେଳେ ଏଲ୍-୨ ଠିକାଦାରଙ୍କ କର୍ମଚାରୀ ଓ ନୂଆଗାଁ ଯୋଗାଣ ନିରୀକ୍ଷକ ପହଞ୍ଚି ଏହା ୨୯ ତାରିଖରେ ଉଠିଥିବା ପିଡିଏସ୍ ସାମଗ୍ରୀ ବୋଲି କହିଥିଲେ। କିନ୍ତୁ ଲୋକେ ତାକୁ ଗ୍ରହଣ କରି ନଥିଲେ। ପରେ ପରେ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଏହା ପିଡିଏସ୍ ଦୁର୍ନୀତିର ଚାଉଳ, ଗହମ କହି ଟ୍ରକରୁ ଖାଲି କରିବାକୁ ଦେଇ ନଥିଲେ। ଚାଉଳ, ଗହମ ଉତାରିବାକୁ ଉଭୟ ଯୋଗାଣ ନିରୀକ୍ଷକ ଓ ଠିକାଦାର ଉଦ୍ୟମ କରିଥିଲେ ବି ସମ୍ଭବ ହୋଇ ନଥିଲା। ପରେ ରାତିରେ ହାତୀବାରି ପୁଲିସ ପିଡିଏସ୍ ସାମଗ୍ରୀ ସହ ଟ୍ରକକୁ ଥାନାକୁ ନେଇ ଯାଇଥିଲେ। କିନ୍ତୁ ରବିବାର ସକାଳେ ଥାନାରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା।

ପରିବହନ ଠିକାଦାର ଓ ଯୋଗାଣ ନିରୀକ୍ଷକ ରାଉରକେଲା ଏସଟିଆଇସ୍ଥିତ ଆରଆରସି କାଟିଥିବା ଜୁନ ୧୯ ତାରିଖର ଏକ ନୂଆ ଗ୍ରହଣପତ୍ର (ଏସି ନୋଟ୍) ସହ ପହଞ୍ଚି ଏ ପିଡିଏସ୍ ସାମଗ୍ରୀ ଜୁଲାଇ ମାସର ବୋଲି କହିଥିଲେ। ତେବେ ପ୍ରଶ୍ନ ଉଠିଛି, ଏହା ଯଦି ଜୁଲାଇ ମାସର ଚାଉଳ, ତେବେ ମେ’ ୨୯ରେ ପଠାଯାଇଥିବା ଚାଉଳ କେଉଁଠି।

ଅନ୍ୟପଟେ ଜୁନ ୧୯ରେ ଚାଉଳ ସଂଗ୍ରହ କେନ୍ଦ୍ର (ଆରଆରସି)ର ଗ୍ରହଣପତ୍ର (ଏସି ନୋଟ୍)ରେ ଯେଉଁ ଟ୍ରକ (ଓଆର୍-୧୪ ୟୁ- ୬୪୨୯)ରେ ପିଡିଏସ୍ ସାମଗ୍ରୀ ପଠାଯାଇଥିବା ଦର୍ଶାଯାଇଛି, ତାହା ଏକ ପଲସର୍ ବାଇକ୍ର ନମ୍ବର ହୋଇଥିବା ଜଣାପଡ଼ିଛି। ଦୁର୍ନୀତି ଲୁଚାଇବାକୁ ତରତର ଥିଲା ବେଳେ ଏପିଆଇ ଏପରି ତ୍ରୁଟିପୂର୍ଣ୍ଣ ଚିଠା ଲେଖିଥିବା ଚର୍ଚ୍ଚା ହେଉଛି। କିନ୍ତୁ ପ୍ରକୃତରେ ଶନିବାର ପଞ୍ଚାୟତକୁ ଅନ୍ୟ ନମ୍ବରର ଏକ ଟ୍ରକ ପହଞ୍ଚିଥିଲା। ଏସି ନୋଟ୍ରେ କେବଳ ଚାଉଳ ୨୩୮ ବସ୍ତାଏ ଉଠାଯାଇଥିବା ଉଲ୍ଲେଖ ଥିବା ବେଳେ ଟ୍ରକରେ ଚାଉଳ ସହ ୫୩ ବସ୍ତା ଗହମ ମଧ୍ୟ ରହିଛି । ତାହା କେଉଁଠୁ ଆସିଲା ବୋଲି ପ୍ରଶ୍ନ ଉଠିଛି।

ସେହିପରି ଆରଆରସିରୁ ସମାନ ଟ୍ରକରେ ପୂର୍ବାହ୍ନ ୧୦ଟାରେ ପୁରୁଣାପାନିକୁ ଓ ଅପରାହ୍ନ ୧ଟାରେ ଜାହିରିଟୋଲି ପାଇଁ ସାମଗ୍ରୀ ପଠାଯାଇଥିବା ଦର୍ଶାଯାଇଛି। ରାଉରକେଲାରୁ ପୁରୁଣାପାନିର ଦୂରତା ୩୪ କିଲୋମିଟର। ପୂର୍ବାହ୍ନ ୧୦ଟାରେ ପିଡିଏସ୍ ସାମଗ୍ରୀ ନେଇ ସେଠାରେ ଖାଲି କରି ପୁଣି ଏତେ ବାଟ ଆସି ଅପରାହ୍ନ ୧ଟାରେ ଜାହିରିଟୋଲି ପାଇଁ ସାମଗ୍ରୀ ନେବା ସମ୍ଭବ ନୁହେଁ। ତେଣୁ ଦୁର୍ନୀତି ଲୁଚାଇବାକୁ ଏସବୁ କାରସାଦି କରାଯାଇଥିବା ଚର୍ଚ୍ଚା ହେଉଛି।

The post ଜାହିରିଟୋଲିରେ ତନାଘନା ପରେ ଖୋଲୁଛି ପେଡ଼ି: ୨ ଗୋଦାମ ସିଲ୍, ଟ୍ରକ ସହ ୨୯୧ ବସ୍ତା ପିଡିଏସ୍ ଥାନାରେ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp