ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ!
ଅତାବିରା : ଟୋକନ ଅବଧି ସରିଯିବା, ଓଦା, ଡିସକଲର୍ ଧାନ କୌଣସି ମିଲର ନେବାକୁ ରାଜି ନହେବାରୁ ଶେଷରେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲାରେ।
ରବିବାର ଅତାବିରା ତହସିଲ ଅଧୀନସ୍ଥ ଭାଲୁପାଲି ଗ୍ରାମର ଭାଗଚାଷୀ ଦୟାସାଗର ରାଉତିଆ(୨୮) ଧାନ ବିକ୍ରି କରି ନପାରି ଶେଷରେ ଅନନ୍ୟୋପାୟ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଂଚି ତାଙ୍କଠୁ କୀଟନାଶକ ଔଷଧ ଛଡ଼ାଇ ରଖିଥିବା ଜଣାପଡ଼ିଛି। ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦୁର୍ଯୋଧନ ଭୋଇ, ଏସିଓ ସରୋଜ ମେହେର, ପେକ୍ସ ସଂପାଦକ କ୍ଷୀରୋଦ ସାହୁ, ପୁଲିସ୍ ଏସ୍ଆଇ ଯାଦବ ବାଗ, ଏସ୍ଆଇ ପଶାୟତ ସମେତ ପୁଲିସ ଦଳ ଘଟଣାସ୍ଥଳକୁ ପହଂଚି ଆଲୋଚନା କରିଥିଲେ। ଅବଧି ସରିଥିବା ଟୋକନକୁ ପୁନର୍ବାର ପ୍ରଚଳନ କରିବା ସହ ମଣ୍ଡିରେ ଥିବା ଧାନକୁ ବିକ୍ରି କରିବାକୁ ଚେଷ୍ଠା କରିବାର ପ୍ରତିଶ୍ରୁତି ଦେଇଥିଲେ। ସବିଶେଷ ତଥ୍ୟ ଅନୁସାରେ ସଂଧ୍ୟାରେ ମଣ୍ତିରେ ପଡ଼ିଥିବା ଧାନ ମଧ୍ୟରେ ତାଙ୍କର ଏକ ଟ୍ରକ୍ ଧାନ ଉଠିଥିବା ଜଣାପଡ଼ିଛି।
ଦୟାସାଗରଙ୍କ କହିବା ଅନୁସାରେ ତାଙ୍କର ନିଜସ୍ବ ୧ ଏକର ଚାଷ ଜମି ଥିବାବେଳେ ସରୋଜ ପ୍ରଧାନ, ଅନିରୁଦ୍ଧ ସାହୁ, ରାମକିଶୋର ପ୍ରଧାନ, ସୁଦାମ ପ୍ରଧାନ, ପଂଚାନନ ସେଠ୍ଙ୍କଠାରୁ ୨୪ ଏକର ଜମି ଭାଗଚାଷ ସୂତ୍ରରେ ଚାଷ କରିଥିଲେ। ତେବେ ସରୋଜଙ୍କ ୬ ଏକର, ରାମ କିଶୋରଙ୍କ ୧ ଏକର, ସୁଦାମଙ୍କ ୧ ଏକର ଜମିର ଟୋକନ ଉଡ଼ି ଯାଇଛି। ତାଙ୍କ ୩ ଏକର ଧାନ କାଟି ନଥିବା ବେଳେ ୩ ଏକର ଜମିରେ ପେଟା ପଡ଼ିଛି। ଯାହା ଆଣିବା ସମ୍ଭବ ନୁହେଁ। ଅମଳ ହୋଇଥିବା ୧୨ ଶହ ପାକେଟ ମଧ୍ୟରୁ ୫ ଶହ ପାକେଟ୍ ପୂର୍ବରୁ ବିକ୍ରି କରିଥିବା ବେଳେ ୭ ଶହ ପାକେଟ ମଣ୍ଡିରେ ପଡ଼ି ରହିଛି। ବର୍ଷାରେ ଭିଜି ଧାନ ଡିସକଲର ହେବା ସହ ଆର୍ଦ୍ରତା ବଢ଼ି ଯାଇଛି। କୌଣସି ମିଲର ଏଜେଣ୍ଟ ନେବାକୁ ରାଜି ହେଉ ନାହାନ୍ତି। ଫଳରେ ଓଦା ଧାନ ମଧ୍ୟରୁ କିଛି ବସ୍ତା ଏନ୍ଏଚ୍ କଡ଼ ସାର୍ଭିସ ରୋଡ଼ରେ ପରିବାର ସ୍ତ୍ରୀ, ମା’, ଭାଇ, ଅନ୍ୟ ସଦସ୍ୟମାନେ ଶୁଖାଉଛନ୍ତି। ତେବେ ବର୍ଷା, ଖରାରେ ଧାନ ଠିକ୍ ଭାବେ ଶୁଖି ପାରୁ ନାହିଁ। ରବିବାର ମଧ୍ୟ ରାସ୍ତା ଉପରେ ଧାନ ଶୁଖାଇ ଥିଲେ। ଧାନ କେହି କିଣିବା ପାଇଁ ରାଜି ହେଉ ନଥିବା ଏବଂ ଟୋକନ ଅବଧି ସରିଯାଇଥିବା ଚିନ୍ତାରେ କୀଟନାଶକ ପିଇବାକୁ ଯାଉଥିବା କହିଥିଲେ। ତାଙ୍କର ଏଭଳି ଆତ୍ମହତ୍ୟା ଉଦ୍ୟମକୁ କିଛି ଲୋକ ବାରଣ କରିବା ସହ ଅଧିକାରୀ, ପୁଲିସଙ୍କୁ ଖବର ଦେଇଥିଲେ। ଅଧିକାରୀଙ୍କ ଆଲୋଚନା ପରେ ଉଡ଼ିଯାଇଥିବା ଟୋକନ ପୁନଃ ଜେନେରେଟ କରିବା ପାଇଁ ଉପରକୁ ପଠାଯାଇଛି। ମଣ୍ଡିରେ ପଡ଼ିଥିବା ସମସ୍ତ ଧାନ ଉଠାଇବାର ବ୍ୟବସ୍ଥା କରାଯାଉଥିବାର ପ୍ରତିଶ୍ରୁତି ପରେ ସେ ଶାନ୍ତ ହୋଇଥିଲେ।
The post ଚାଷୀଙ୍କ ଆତ୍ମହତ୍ୟା ଉଦ୍ୟମ! first appeared on Sambad.