ଚାଲିଗଲେ ତପୁ ମିଶ୍ର
ପରଲୋକରେ ତପୁ ମିଶ୍ର | ଜୀବନ ଯୁଧ୍ୟରେ ହାରିଯାଇଛନ୍ତି ତପୁ ମିଶ୍ର | ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ମୃତ୍ୟୁ ବେଳକୁ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ଗତ ମେ’ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ତପୁ ସ୍ପର୍ଶ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ସମ୍ କୋଭିଡ୍ ହସ୍ପଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ କରୋନା ମୁକ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁଁ ତାଙ୍କର ଫୁସ୍ଫୁସ୍ର ୭୫% ସଂକ୍ରମିତ ହୋଇଯାଇଥିଲା। ତପୁ ଗୁରୁତର ହେବା ଖବର ଶୁଣିବାପରେ ଚିକିତ୍ସା ପାଇଁ ତାଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ ୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା । ଆଗକୁ ତାଙ୍କର ଇକ୍ମୋ ଚିକିତ୍ସା ପାଇଁ ପରିବାର ସଦସ୍ୟ ଯୋଜନା କରୁଥିବାବେଳେ ହଠାତ୍ ତପୁଙ୍କର ପରଲୋକ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ଓଲିଉଡ୍ର ଜଣେ ସଫଳ ଓ ଆଗଧାଡ଼ିର କଣ୍ଠଶିଳ୍ପୀ ଭାବେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ତପୁ ପ୍ରାୟ ଦୁଇ ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ ଜଗତରେ ସକ୍ରିୟ ଥିଲେ। ତେଣୁ ତାଙ୍କ ମୃତ୍ୟୁରେ ଓଡ଼ିଶାର କଳା, ସଂସ୍କୃତି, ସଂଗୀତ ଓ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
The post ଚାଲିଗଲେ ତପୁ ମିଶ୍ର appeared first on .