ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଯୋଗୁଁ ଅରୁଣାଚଳ ପ୍ରଦେଶ ଓ ମଣିପୁର ଟଳମଳ: ମୃତାହତ କିଂବା କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ
କୋଲ୍କାତା: ଭାରତର ଉତ୍ତରପୂର୍ବାଞ୍ଚଳରେ ରବିବାର ପ୍ରତ୍ୟୁଷରେ ଗୋଟିଏ ପରେ ଗୋଟିଏ ଭୂମିକମ୍ପ ସଂଘଠିତ ହେବାରୁ ଅରୁଣାଚଳ ପ୍ରଦେଶ ଓ ମଣିପୁରର ଅବସ୍ଥା ଦୋଦୁଲ୍ୟମାନ ହୋଇ ଉଠିଛି। ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ (ଏନ୍ସିଏସ୍) ଜାରି କରିଥିବା ସୂଚନା ଅନୁସାରେ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶର ଦୁଇଟି ଅଞ୍ଚଳରେ ୩.୧ ରୁ ୩.୬ ତୀବ୍ରତା ମଧ୍ୟରେ କ୍ରମାଗତ କେତେଗୁଡ଼ିଏ ଭୂମିକମ୍ପ ସଂଘଠିତ ହୋଇଯାଇଛି। କିନ୍ତୁ, ଏଥିରେ କେହି ମୃତାହତ ହୋଇଥିବା କିଂବା ଘରଦ୍ବାର ନଷ୍ଟ ହୋଇଥିବାର ଖବର ଏପର୍ଯ୍ୟନ୍ତ ମିଳିନାହିଁ।
‘ଏନ୍ସିଏସ୍’ ଜାରି କରିଥିବା ସତର୍କସୂଚନା ଅନୁସାରେ, ରିକ୍ଟର୍ ସ୍କେଲ୍ରେ ୩.୧ ତୀବ୍ରତାସମ୍ପନ୍ନ ବୋଲି ଜଣାପଡ଼ିଥିବା ପ୍ରଥମ ଭୂମିକମ୍ପଟି ରାତି ପ୍ରାୟ ୧.୦୨ରେ ଅରୁଣାଚଳ ପ୍ରଦେଶର ପାଙ୍ଗିନ୍ରେ ସଂଘଠିତ ହୋଇଥିଲା। ଏହାର କିଛି କ୍ଷଣ ପରେ, ରାତି ୧.୨୨ରେ ରିକ୍ଟର୍ ସ୍କେଲ୍ରେ ୩.୬ ତୀବ୍ରତାସମ୍ପନ୍ନ ଆଉ ଗୋଟାଏ ଭୂମିକମ୍ପ ମଣିପୁରର ଉକ୍ରୁଲ୍ ଜିଲ୍ଲା ଅନ୍ତର୍ଗତ ଶିରୁଇ ଗ୍ରାମ ନିକଟରେ ଅନୁଭୂତ ହୋଇଥିଲା।
Image Courtesy of India Today
‘ଏନ୍ସିଏସ୍’ କହିବା ଅନୁସାରେ, ପ୍ରଥମ ଭୂକମ୍ପନଟି ପାଙ୍ଗିନ୍ର ଉତ୍ତର-ଉତ୍ତରପଶ୍ଚିମକୁ ପ୍ରାୟ ୯୫ କିଲୋମିଟର୍ ଦୂରରେ ଭୂଗର୍ଭର ୧୭ କିଲୋମିଟର୍ ଅଭ୍ୟନ୍ତରରେ ସଂଘଠିତ ହୋଇଥିଲା। ଦ୍ବିତୀୟ ଭୂମିକମ୍ପଟି ଶିରୁଇର ଉତ୍ତରପଶ୍ଚିମକୁ ପ୍ରାୟ ୨୦ କିଲୋମିଟର ଦୂର ଭୂଗର୍ଭର ୩୦ କିଲୋମିଟର ଅଭ୍ୟନ୍ତରରେ ଉତ୍ପତ୍ତି ହୋଇଥିଲା।
ଏହାର ସ୍ବଳ୍ପ ସମୟ ପରେ ଭୋର୍ ପ୍ରାୟ ୫.୪୧ରେ ରିକ୍ଟର୍ ସ୍କେଲ୍ରେ ୩.୧ ତୀବ୍ରତାସମ୍ପନ୍ନ ଅନ୍ୟ ଏକ ଭୂମିକମ୍ପ ଉତ୍ତରାଖଣ୍ଡ ଅନ୍ତର୍ଗତ ଉତ୍ତରକାଶୀର ଉତ୍ତରକୁ ପ୍ରାୟ ୬୨ କିଲୋମିଟର ଦୂରରେ ସଂଘଠିତ ହୋଇଥିଲା। ଭୂଗର୍ଭର ପ୍ରାୟ ୧୫ କିଲୋମିଟର ଗଭୀରରେ ଏହାର କେନ୍ଦ୍ରସ୍ଥଳ ଥିବା କଥା ‘ଏନ୍ସିଏସ୍’ ରିପୋର୍ଟ କରିଛି।
ସୂଚନାଯୋଗ୍ୟ, ଗତ ମେ ୨୫ ତାରିଖ ରାତିରେ ମଧ୍ୟ ମଣିପୁରରେ ସ୍ବଳ୍ପ ସମୟ ବ୍ୟବଧାନରେ ଦୁଇଟି ଭୂମିକମ୍ପ ସଂଘଠିତ ହୋଇଥିଲା। ରିକ୍ଟର୍ ସ୍କେଲ୍ରେ ଗୋଟିକର ତୀବ୍ରତା ୫.୫ ଥିବା ବେଳେ ଅନ୍ୟଟିର ତୀବ୍ରତା ଥିଲା ୨.୬।
The post ଗୋଟିଏ ପରେ ଗୋଟିଏ ଭୂମିକମ୍ପ ଯୋଗୁଁ ଅରୁଣାଚଳ ପ୍ରଦେଶ ଓ ମଣିପୁର ଟଳମଳ: ମୃତାହତ କିଂବା କ୍ଷୟକ୍ଷତି ରିପୋର୍ଟ ମିଳିନାହିଁ first appeared on Sambad.