ଖରିଫ୍ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ, ୩ ପ୍ରତିଶତ ଜମିରେ ଚାଷ କାମ ହୋଇନି

ଖରିଫ୍ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ, ୩ ପ୍ରତିଶତ ଜମିରେ ଚାଷ କାମ ହୋଇନି

ଭଦ୍ରକ: ଖରିଫ୍ ଧାନ ଚାଷକୁ ନେଇ ଜିଲ୍ଲାର ଚାଷୀ ଚିନ୍ତାରେ ରହିଛନ୍ତି। କରୋନା ମହାମାରୀ ସହ ବାତ୍ୟା, ବନ୍ୟାରେ ଚାଷ ଜମି ଉଜୁଡି ଯାଇଥିଲା। ପୁଣି ଲଘୁ ଚପ ବର୍ଷା ଏଥର ଚାଷ ପାଇଁ ଅନୁକୂଳ ହେଲା ନାହେଁ। ଖରିଫ୍ ଚାଷ ପାଇଁ ଯେତିକି ପାଗ ମିଳିବା କଥା ତାହା ମିଳିଲା ନାହିଁ। ବର୍ଷା ଏଭଳି ହେଲା ଯେ, ଚାଷ ଜମି ବୁଡି ରହିଲା। ତେଣୁ ବୁଣା ବୁଣି କାମ ଠିକ୍ ଭାବେ ହୋଇ ପାରିଲା ନାହିଁ। ଯେଉଁ କିଛି ଜମିରେ ବୁଣାବୁଣି କାମ କରାଯାଇଥିଲା। ସେସବୁ ଧାନ ତଳି ପଚି ନଷ୍ଟ ହୋଇଗଲା।

ଜିଲ୍ଲାରେ ଚଳିତ ବର୍ଷ ଏବେ ସୁଦ୍ଧା ୩ ପ୍ରତିଶତ ଜମିରେ ଚାଷ କାମ ଆରମ୍ଭ ହୋଇନାହିଁ। ଜିଲ୍ଲାରେ ମୋଟ ୧ ଲକ୍ଷ ୭୪ ହଜାର ହେକ୍ଟର ଚାଷ ଜମିରୁ ଚଳିତ ବର୍ଷ ୧ ଲକ୍ଷ ୬୧ ହଜାର ୫ ଶହ ହେକ୍ଟର ଚାଷ ଜମିରେ ଖରିଫ୍ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରତିକୂଳ ପାଣିପାଗ ଓ ପ୍ରାକୃତିକ ଦୁର୍ବିପାକ ପରିସ୍ଥିତି ଯୋଗୁଁ ଏବେସଦ୍ଧା ଏଇ ଲକ୍ଷ୍ୟରୁ ୩ ପ୍ରତିଶତ ଚାଷ କାର୍ଯ୍ୟ ଆରମ୍ଭ ‌ ହୋଇନାହିଁ।

ଜିଲ୍ଲା କୃଷି ବିଭାଗର ସୂଚନା ଅନୁଯାୟୀ ଏବେସୁଦ୍ଧା ଜିଲ୍ଲାରେ ମାତ୍ର ୨ ହଜାର ୧୩୦ ହେକ୍ଟର ଜମିରେ ଧାନ ଏବଂ ୨ ହଜାର ୧୭୦ ହେକ୍ଟର ଜମିରେ ଅଣଧାନ ଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷ କାର୍ଯ୍ୟ ପାଇଁ ଚଳିତ ବର୍ଷ ସରକାରଙ୍କ ପକ୍ଷରୁ ବିହନ ସାର ଓ ଅନ୍ୟାନ୍ୟ କୃଷି ଉପକରଣ ଚାଷୀଙ୍କୁ ଯୋଗାଇ ଦେବାକୁ ଯୋଜନା କରାଯାଇଛି।

ଜିଲ୍ଲା କୃଷି ବିଭାଗର ସୂଚନାରୁ ପ୍ରକାଶ ଯେ, ଜିଲ୍ଲାରେ ବେସରକାରୀ ବିହନ ଯୋଗାଣକାରୀ ସଂସ୍ଥା ବ୍ୟତୀତ ସରକାରୀ ଭାବେ ରିହାତି ମୂଲ୍ୟରେ ଚାଷୀଙ୍କୁ ବିହନ ଯୋଗାଣ କରାଯିବ। ଏଥିପାଇଁ ଭଦ୍ରକ ଜିଲ୍ଲାରେ ୯ ହଜାର ୨୫୦ କ୍ବିଣ୍ଟାଲ ବିହନ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି। ଏଥିପାଇଁ ଜିଲ୍ଲାରେ ୩୭ ଟି ସେବା ସମବାୟ ସମିତି ଓ ୪୮ ଜଣ ଘରୋଇ ଡିଲରଙ୍କୁ ଧାନ ବିହନ ଯୋଗାଣ କରିବାକୁ ମନୋନିତ କରାଯାଇଛି। ଭଦ୍ରକ ଜିଲ୍ଲା ଏକ ବନ୍ୟା ପ୍ରବଣ ଜିଲ୍ଲା ହୋଇଥିବାରୁ ଚାଷୀଙ୍କୁ ରିହାତି ମୂଲ୍ୟରେ ବିହନ ଯୋଗାଣ କରିବା ପାଇଁ ସରକାରୀ ନିର୍ଦ୍ଦେଶ ରହିଛି। ପ୍ରତିବର୍ଷ ବିହନ ଉପରେ ରାଜ୍ୟ ସରକାର ଯେଉଁ ରିହାତି ଦେଉଥିଲେ।

ଚଳିତ ବର୍ଷ ଭଦ୍ରକ ପାଇଁ ଅତିରିତି ୨୫ ପ୍ରତିଶତ ରିହାତି ଦିଆଯିବାକୁ ଯୋଜନା ପ୍ରସ୍ତୁତ କରାଯାଇ ଘୋଷଣା କରାଯାଇଛି। ଚାଷୀ ବିହନ କ୍ରୟ କରିବା ସମୟରେ ବିଡିଟି ମାଧ୍ୟମରେ ଚାଷୀଙ୍କ ଜମା ଖାତାକୁ ସିଧା ସଳଖ ଭାବେ ବିହନର ରିହାତି ଟଙ୍କା ପଠାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ପ୍ରତିକୂଳ ପରିସ୍ଥିତି ଯୋଗୁଁ ସରକାରଙ୍କର ଏହି ସୁବିଧା ଚାଷୀଙ୍କୁ ସରକାରୀ ବିହନ କିଣିବାକୁ ଆଗ୍ରହୀ କରିପାରି ନାହିଁ। ସରକାରଙ୍କ ପକ୍ଷରୁ ମାତ୍ର ୪ ହଜାର କ୍ବିଣ୍ଟାଲ ବିହନ ଯୋଗାଇ ଦିଆଯାଇଥିଲା। ସେଥିରୁ ଏବେସୁଦ୍ଧା ୧୨୦୦ କ୍ବିଣ୍ଟାଲ ବିକ୍ରୟ କରାଯାଇଛି। ଚାଷୀ ଏଇ ସରକାରୀ ବିହନ ନେଇ ଘରେ ରଖିଛି। ପାଗ ଭଲ ନଥିବାରୁ ଚାଷୀ ଏଇ ଧାନକୁ ନେଇ ବୁଣାବୁଣି କରି ନଥିବା ବେଳେ ତଳି ପକା କାମ ମଧ୍ୟ କରି ପାରି ନାହିଁ।

ଚାଷ ଜମିରେ ଏବେ ମଧ୍ୟ ଆଣ୍ଠୁଏ ଲେଖାଁଏ ବର୍ଷା ଜଳ ଭର୍ତ୍ତି ହୋଇ ରହିଛି। ବିଲରେ ଏଥର ଧାନ ବୁଣିବା ଆଉ ସମ୍ଭବ ହେବ ନାହିଁ। ଚାଷ ଜମିରୁ ପାଣି ନକମିବା ପର୍ଯ୍ୟନ୍ତ ତଳି ପକା କାମ ମଧ୍ୟ ହୋଇପାରୁ ନାହିଁ। ବାତ୍ୟା ପରେ ଚାଷୀ ତଳି ପକାଇବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଣି ଆସିଲା ଲଘୁଚାପ ବର୍ଷା। ଆଗକୁ ପାଣିପାଗ ପରିସ୍ଥିତିର ସୁଧାର ଆସିଲେ ଚାଷୀ ତିଳିପକା କାମ କରିବ ବୋଲି ଜିଲ୍ଲାର ବହୁ ଚାଷୀ ନିଜର ମତ ରଖିଛନ୍ତି। ଭଦ୍ରକ ଜିଲ୍ଲାର ବରିଷ୍ଠ ଚାଷୀ ହୃଦାନନ୍ଦ ରାଉତ କହନ୍ତି ଏଥରର ପାଣିପାଗ ଅବସ୍ଥା ଚାଷୀଙ୍କୁ ଘାଟାରେ ପକାଇ ଦେଇଛି। ଚାଷ କରିବାକୁ କିଛି ବାଟ ବାହାରୁ ନାହିଁ। ବିଲରୁ ପାଣି ନଶୁଖିଲେ ତଳି ପକା ହୋଇ ପାରୁ ନାହିଁ। ପାଗ ଶୁଖିଲା ହେଲେ ଚାଷୀ ତଳି ପକା ଆରମ୍ଭ କରି ମାସକ ମଧ୍ୟରେ ତଳି ଧାନ ଉଠାଇ ବିଲ ରୁଆପୋତା କରିପାରିବେ ବୋଲି ଜିଲ୍ଲା ସହକାରୀ କୃଷି ଉପନିର୍ଦ୍ଦେଶକ ଜଗନ୍ନାଥ ନନ୍ଦ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲାରେ ୧ ଲକ୍ଷ ୬୧ ହଜାର ଚାଷ ଜମିରେ କିଭଳି ଖରିଫ୍ ଧାନ ଚାଷ ହେବ । ସେ ଲକ୍ଷ୍ୟ କିଭଳି ପୂରଣ ହେବ ସେଇ ଚିନ୍ତାରେ ଅଛି କୃଷି ବିଭାଗ ।

The post ଖରିଫ୍ ଧାନ ଚାଷକୁ ନେଇ ଚିନ୍ତାରେ ଚାଷୀ, ୩ ପ୍ରତିଶତ ଜମିରେ ଚାଷ କାମ ହୋଇନି first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp