କ୍ରିପ୍‌ଟୋକରେନ୍ସି ଦେଖି ହେବନି କି ଛପାଇ ହେବନି, ଭାରତରେ ବେଆଇନ

କ୍ରିପ୍‌ଟୋକରେନ୍ସି ଦେଖି ହେବନି କି ଛପାଇ ହେବନି, ଭାରତରେ ବେଆଇନ

ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସଂସ୍ଥା ଓ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ନେଣଦେଣ ଲାଗି ଏକ ମୁଦ୍ରା ବ୍ୟବହାର କରିଥାନ୍ତି। ଯେଭଳି ଭାରତରେ ଟଙ୍କା, ଆମେରିକାରେ ଡଲାର, ୟୁରୋପୀୟ ଦେଶଗୁଡ଼ିକରେ ୟୁରୋ, ଜାପାନରେ ୟେନ୍, ବ୍ରିଟେନ୍‌ରେ ପାଉଣ୍ଡ୍ ଆଦି ବ୍ୟବହାର ହେଉଛି। ଏହି ମୁଦ୍ରାଗୁଡ଼ିକୁ ଦେଖି ହେଉଛି ଓ ସ୍ପର୍ଶ କରିହେଉଛି। ବିଭିନ୍ନ ଦେଶର ସରକାର ଏହାକୁ ଛପାଉଛନ୍ତି। ସେହି ମୁଦ୍ରାଗୁଡ଼ିକର ନିୟନ୍ତ୍ରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥା କାର୍ଯ୍ୟ କରୁଛନ୍ତି। ଏବେ କିନ୍ତୁ କ୍ରିପ୍‌ଟୋକରେନ୍ସିକୁ ନେଇ ସାରା ଦୁନିଆରେ ଚର୍ଚ୍ଚା ହେଉଛି। ଏହା ହେଉଛି ଏକ ଡିଜିଟାଲ୍ ମୁଦ୍ରା ଯାହାକୁ ଦେଖିହେବ ନାହିଁ କିମ୍ବା ସ୍ପର୍ଶ କରିହେବ ନାହିଁ। ଏହାର କୌଣସି ଆକାର ବା ଆକୃତି ନାହିଁ। ଏହାକୁ ଡିଜିଟାଲ୍ ମୁଦ୍ରା ମଧ୍ୟ କୁହାଯାଉଛି। କାରଣ କେବଳ ଅନ୍‌ଲାଇନ୍ ବା ଡିଜିଟାଲ୍‌ ମାଧ୍ୟମରେ ଏହାକୁ ବ୍ୟବହାର କରାଯାଉଛି। ଟଙ୍କା ଭଳି କ୍ରିପ୍‌ଟୋକରେନ୍ସିକୁ ପକେଟ୍‌ରେ ରଖିହେବ ନାହିଁ କିମ୍ବା ହାତରେ ଧରି ଅନ୍ୟକୁ ଦେଇହେବ ନାହିଁ।

ଏହାକୁ ଛପାଇ ମଧ୍ୟ ହେବ ନାହିଁ। ଦୁନିଆର କୌଣସି ସଂସ୍ଥା ଏହାକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଏହାର କେହି ନିର୍ଦିଷ୍ଟ ମାଲିକ ନାହାନ୍ତି। ଅବାଧ ଭାବେ ତାହାର କାରବାର ହେଉଛି। ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ଖରାପ କାମରେ ଏହାର ବ୍ୟବହାର ହେବାର ଆଶଙ୍କା ରହିଥିବାରୁ କ୍ରିପ୍‌ଟୋକରେନ୍ସିକୁ ଆଇନଗତ ମାନ୍ୟତା ଦିଆଯାଉନାହିଁ। ସାଧାରଣ ମୁଦ୍ରା ଭଳି କ୍ରିପ୍‌ଟୋକରେନ୍ସିକୁ ମଧ୍ୟ ଜିନିଷ କିଣାବିକା ଓ ସେବା ହାସଲ କରିବା ଲାଗି ବ୍ୟବହାର କରାଯାଉଛି। ଏବେ ବିଶ୍ବରେ ଅନେକ ପ୍ରକାର କ୍ରିପ୍‌ଟୋକରେନ୍ସି ବ୍ୟବହାର କରାଯାଉଛି। ଦୁନିଆର ସର୍ବପ୍ରଥମ କ୍ରିପ୍‌ଟୋକରେନ୍ସି ହେଉଛି ବିଟ୍‌କଏନ୍। ଏବେ କିନ୍ତୁ ଦୁନିଆରେ ୧୦୦୦ ପାଖାପାଖି କ୍ରିପ୍‌ଟୋକରେନ୍ସିକୁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ବିଟ୍‌କଏନ୍ ବ୍ୟତୀତ ଅନ୍ୟାନ୍ୟ ପ୍ରସିଦ୍ଧ କ୍ରିପ୍‌ଟୋକରେନ୍ସିଗୁଡ଼ିକ ହେଉଛି ଲାଇଟ୍‌କଏନ୍, ଡୋଜ୍‌କଏନ୍, ଫେୟାରକଏନ୍, ଡାସ୍‌, ପିୟରକଏନ୍, ରିପଲ୍ ଓ ମୋନେରୋ ଇତ୍ୟାଦି।

ଭାରତରେ ବେଆଇନ
ଭାରତରେ କ୍ରିପ୍‌ଟୋକରେନ୍ସି ବ୍ୟବହାରକୁ ଆଇନଗତ ମାନ୍ୟତା ମିଳିନାହିଁ। ଏହାକୁ ବେଆଇନ ବର୍ଗରେ ରଖାଯାଇଛି। ତେବେ ଡିଜିଟାଲ୍ ମୁଦ୍ରାକୁ ନେଇ ୨୦୧୭ ନଭେମ୍ବର ୨ରେ ସରକାର ଏକ ଆନ୍ତଃ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଥିଲେ ଯାହା ନିଜର ରିପୋର୍ଟରେ ଡିଜିଟାଲ୍ ମୁଦ୍ରାର ବିଭିନ୍ନ ଉପକାରିତା ବିଷୟରେ ପ୍ରସ୍ତାବ ଦେଇଛି। ବିଶେ‌ଷ କରି ବ୍ୟାଙ୍କ ଓ ଆର୍ଥିକ ସେବାରେ ପ୍ରଚଳନ ପାଇଁ ପ୍ରସ୍ତାବ ଦିଆଯାଇଛି। ‌ଏହା ସତ୍ତ୍ବେ ବିଟ୍‌କଏନ୍ ଭଳି ଡିଜିଟାଲ୍ ମୁଦ୍ରା କାରବାର ଉପରେ କଟକଣା ରହିଛି। ସଦ୍ୟତମ ସୂଚନା ଅନୁସାରେ କ୍ରିପ୍‌ଟୋକରେନ୍ସିକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରାଯିବ ନାହିଁ। କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍‌ଗୁଡ଼ିକ ଏହି ମୁଦ୍ରାକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କୁ ଅନୁରୋଧ କରିଛନ୍ତି।

ବିଟ୍‌କଏନ୍ କ’ଣ? କିଭଳି ତିଆରି ହୁଏ?

କ୍ରିପ୍‌ଟୋକରେନ୍ସି କହିଲେ ଲୋକମାନେ ବିଟ୍‌କଏନ୍‌କୁ ହିଁ ବୁଝିଥାନ୍ତି। ଏହା ହେଉଛି ଦୁନିଆର ସର୍ବପ୍ରଥମ ଡିଜିଟାଲ୍ ମୁଦ୍ରା। ସାତୋଷି ନାକାମୋଟୋ ଏହାକୁ ୨୦୦୯ରେ ପ୍ରସ୍ତୁତ କରିଥିଲେ। କୁହାଯାଉଛି ସାତୋଷିଙ୍କ ଛଦ୍ମ ନାମ ହେଉଛି ବିଟ୍‌କଏନ୍। ଏହାକୁ କେବଳ ଅନ୍‌ଲାଇନ୍‌ରେ ନେଣଦେଶ ଲାଗି ବ୍ୟବହାର କରିହେବ। ଏବେ ଦୁନିଆରେ ୧ କୋଟିରୁ ଅଧିକ ବିଟ୍‌କଏନ୍‌ ରହିଛି। ଭାରତରେ ଏକ ବିଟ୍‌କଏନ୍‌ର ମୂଲ୍ୟ ୨୫ ଲକ୍ଷ ଟଙ୍କା ପାଖାପାଖି ରହିଛି। ବିମାନ ଟିକଟ କିଣିବା, ହୋଟେଲ୍‌ରୁ ରୁମ୍ ବୁକ୍ କରିବା, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବା ଠାରୁ ଆରମ୍ଭ କରି କଫି’ ସପ୍ ଆଦିଗୁଡ଼ିକ ମଧ୍ୟ ବିଟ୍‌କଏନ୍‌କୁ ଗ୍ରହଣ କରୁଛନ୍ତି।

ବିଟ୍‌କଏନ୍ ସୃଷ୍ଟି କରିବା ପ୍ରକ୍ରିୟାକୁ ବିଟ୍‌କଏନ୍ ମାଇନିଂ କୁହାଯାଉଛି। ଏଥିପାଇଁ ଅତ୍ୟନ୍ତ ଶକ୍ତିଶାଳୀ କମ୍ପ୍ୟୁଟର ଓ ଅଙ୍କୀୟ ପ୍ରଣାଳୀକୁ ବ୍ୟବହାର କରାଯାଏ। ଗାଣିତିକ ସୂତ୍ରରେ ପାରଙ୍ଗମ ବ୍ୟକ୍ତିମାନେ ହିଁ ବିଟ୍‌କଏନ୍ ମାଇନିଂ କାମ କରିଥାନ୍ତି।

The post କ୍ରିପ୍‌ଟୋକରେନ୍ସି ଦେଖି ହେବନି କି ଛପାଇ ହେବନି, ଭାରତରେ ବେଆଇନ first appeared on Sambad.

Please follow and like us:

Leave a Reply

Your email address will not be published.

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp