କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କଲା ଭାରତ ବାୟୋଟେକ୍
ନୂଆଦିଲ୍ଲୀ : ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉତ୍ପାଦନ କରୁଥିବା କମ୍ପାନି ଭାରତ ବାୟୋଟେକ ଏହି ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କ ନିକଟରେ ଦାଖଲ କରିଛି । ଡିସିଜିଆଇଙ୍କ ସମୀକ୍ଷା ପରେ ଏହା ପ୍ରକାଶିତ ହେବ ।
ମିଳିଥିବା ସୂଚନା ଅନୁସାରେ କମ୍ପାନି ପକ୍ଷରୁ ଗତ ସପ୍ତାହାନ୍ତରେ ହିଁ ୩ୟ ପର୍ୟ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଥିଲା । ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିବାରେ ବିଳମ୍ବ କରିଥିବାରୁ କମ୍ପାନି ବିଗତ କିଛି ମାସ ଧରି ଚାପରେ ଥିଲା ।
ଗତ ୧୧ ତାରିଖରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ୭ରୁ ୮ ଦିନ ମଧ୍ୟରେ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ପ୍ରକାଶ ପାଇବ ।
ଗତ ଜାନୁଆରି ମାସରେ ଭାରତ ସରକାର କୋଭାକ୍ସିନକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ପରେ ଦେଶର ଟିକାକରଣରେ ଏହାର ବ୍ୟବହାର ଆରମ୍ଭ ହୋଇଥିଲା । ତେବେ ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ ପୂର୍ବରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ଦଳମାନେ ସମାଲୋଚନା କରିଥିଲେ ।
The post କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କଲା ଭାରତ ବାୟୋଟେକ୍ first appeared on Sambad.