କୋଷ୍ଟାଲ ହାଇୱେ ନକ୍ସା ବଦଳିଲା, ଟାଙ୍ଗୀରୁ ବାହାରି ବ୍ରହ୍ମଗିରି ହୋଇ ଯିବ

କୋଷ୍ଟାଲ ହାଇୱେ ନକ୍ସା ବଦଳିଲା, ଟାଙ୍ଗୀରୁ ବାହାରି ବ୍ରହ୍ମଗିରି ହୋଇ ଯିବ

ଚିଲିକା କୂଳେକୂଳେ ନୂଆ ରାସ୍ତା ହେବ
ଟାଙ୍ଗୀରୁ ଦୀଘା ରାସ୍ତା ନିର୍ମାଣ ହେବ
ଆଜି ଉଚ୍ଚସ୍ତରୀୟ ବୈଠକରେ ମୋହର

ଭୁବନେଶ୍ବର : ଭାରତମାଳା ପରିଯୋଜନାରେ ନିର୍ମାଣ ହେବାକୁ ଥିବା କୋଷ୍ଟାଲ ହାଇୱେ (ଉପକୂଳ ରାଜପଥ) ନେଇ ଦୀର୍ଘ ଦିନ ହେଲା ଲାଗିଥିବା ଅଡ଼ୁଆ ତୁଟିବାକୁ ଯାଉଛି। ରାଜ୍ୟ ଓ କେନ୍ଦ୍ରର ଟଣାଓଟରା ଭିତରେ ଏବେ ଉଭୟଙ୍କୁ ସୁହାଇଲା ଭଳି କୋଷ୍ଟାଲ ହାଇୱେର ନକ୍ସା ପ୍ରସ୍ତୁତ ହୋଇଛି। ଗୋପାଳପୁରରୁ କୋଷ୍ଟାଲ ହାଇୱେ ବାହାରିବନି କି ରତନପୁରରେ ସରିବନି। କୋଷ୍ଟାଲ ହାଇୱେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ (ଜାତୀୟ ରାଜପଥ-୧୬) ବାହାରି ଚିଲିକା କଡ଼କଡ଼େ ବ୍ରହ୍ମଗିରି ପର୍ଯ୍ୟନ୍ତ ଆସିବ। ଏହିଠାରୁ ପୁରୀ ହୋଇ ଦୀଘା ପର୍ଯ୍ୟନ୍ତ ଯିବ। ପ୍ରାୟ ୪୦୦କିମିର ଏହି କୋଷ୍ଟାଲ ହାଇୱେ ପାଇଁ ଡିଜାଇନ୍ ପ୍ରସ୍ତୁତ ହୋଇସାରିଛି। ମଙ୍ଗଳବାର ରାଜ୍ୟ ସରକାର ଏହା ଉପରେ ମୋହର ମାରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୪୫ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଉଚ୍ଚସ୍ତରୀୟ ବୈଠକ ହେବ। ଏଥିରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା, ରାଜସ୍ବ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସମେତ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଓଡ଼ିଶା ମୁଖ୍ୟ ଆର୍‌.ପି. ପଣ୍ଡା ପ୍ରମୁଖ ଉପସ୍ଥିତ ରହିବେ। ଏହି ବୈଠକରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ଡିଜାଇନ୍, ଖର୍ଚ୍ଚ ଆକଳନ, ଜମି ଅଧିଗ୍ରହଣ, କ’ଣ ପ୍ରଭାବିତ ହେବ, କେତେ କିଲୋମିଟରର ରାସ୍ତା ହେବ ତାହା ଉପସ୍ଥାପନ ହେବ। କେଉଁ ବିଭାଗ କ’ଣ କରିବେ, ତାହା କୁହାଯିବ।

ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ଆମେ ରାଜ୍ୟ ସରକାରଙ୍କ ସହ ସବୁ ପ୍ରକାରର ଆଲୋଚନା ଶେଷ କରିଛୁ। ଏହାପରେ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଛି। ଆମେ ଆଶା କରୁଛୁ ମଙ୍ଗଳବାର ଆମକୁ କାର୍ଯ୍ୟ ଅଗ୍ରଗତି ପାଇଁ ସବୁଜ ସଂକେତ ମିଳିବ। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଆମେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିବୁ।

ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଚିଲିକା ଉପରେ ଫ୍ଲାଏ ଓଭର ନିର୍ମାଣ ହେଲେ ଜୈବ ବିବିଧତା ପ୍ରଭାବିତ ହୋଇଥା’ନ୍ତା ବୋଲି ଆମର ବିଶେଷଜ୍ଞ କମିଟି କହିଥିଲା। ଏହାପରେ ଟାଙ୍ଗୀରୁ ପୁ‌ରୀ ଦେଇ ଏହି ଜାତୀୟ ରାଜପଥ ନିର୍ମାଣ ନେଇ ଯୋଜନା ହୋଇଥିଲା। କିନ୍ତୁ ପରେ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ଯେ, ଟାଙ୍ଗୀରୁ ଜାତୀୟ ରାଜପଥ ବାହାରି ଚିଲିକା କୂଳେକୂଳେ ଗ୍ରିନ୍‌ଫିଲ୍‌ଡ ଅଞ୍ଚଳରେ ଏହି ଜାତୀୟ ରାଜପଥ ନିର୍ମାଣ ହେବ। ଏହା ସମ୍ପୂର୍ଣ୍ଣ ନୂଆ ରାସ୍ତା ହେବ। ଏହି କୋଷ୍ଟାଲ ହାଇୱେରେ ଯେପରି କମ୍‌ ଗଛ କଟାଯିବ, ଜୈବ ବିବିଧତା ଉପରେ କମ୍‌ ପ୍ରଭାବ ପଡ଼ିବ ତାହାକୁ ଧ୍ୟାନ ଦିଆଯାଇଛି।

ରାଜ୍ୟ ସରକାରଙ୍କର ଜଣେ ଅଧିକାରୀ କହିଛନ୍ତି ଯେ କୋଷ୍ଟାଲ ହାଇୱେ ଟାଙ୍ଗୀରୁ ବାହାରି ବ୍ରହ୍ମଗିରି-ପୁରୀ-କୋଣାର୍କ-ଅସ୍ତରଙ୍ଗ-ନାଉଗାଁ- ପାରାଦୀପ ବନ୍ଦର-ରତନପୁର-ସାତଭାୟା-ଧାମରା-ବାସୁଦେବପୁର-ତାଳପଦ-ଚାନ୍ଦିପୁର-ଚନ୍ଦନେଶ୍ବର ହୋଇ ଦୀଘା ପର୍ଯ୍ୟନ୍ତ ଯିବ। ପ୍ରାୟ ୪୦୦ କିମିର ରାସ୍ତା ହେବ। ଏହି ରାସ୍ତା ମୁଖ୍ୟତଃ ଓଡ଼ିଶାର ୬ଟି ଉପକୂଳବର୍ତ୍ତୀ ଜିଲ୍ଲା ଯଥା ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର ଦେଇଯିବ। ଏଥିରେ ପ୍ରାୟ ୯ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।

ସୂଚନାଯୋଗ୍ୟ, ଦୀର୍ଘ ୬ବର୍ଷ ହେଲା ଏହି କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ଯୋଜନା ହେଉଥିଲେ ହେଁ ଏକ୍ସପର୍ଟ ଆପ୍ରାଇଜାଲ କମିଟି ଏଥିରେ ପରିବେଶ ସମ୍ବନ୍ଧୀୟ ସମସ୍ୟା ହେବ ବୋଲି ଉଠାଇବାରୁ ଏହା ବହୁଦିନ ଅଟକି ରହିଥିଲା। ପରେ କେନ୍ଦ୍ର ସରକାରଙ୍କର ଡିଜାଇନ୍‌ରେ ରାଜ୍ୟ ସରକାର ରାଜି ହୋଇ ନ ଥିଲେ। ଏହାକୁ ନେଇ ରାଜନୈତିକ ବୟାନବାଜି ବି ହୋଇଥିଲା। ତେବେ ପ୍ରାୟ ତିନି ଥର ଡିଜାଇନ୍ ବଦଳିବା ପରେ ଏବେ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ହୋଇଛି।

The post କୋଷ୍ଟାଲ ହାଇୱେ ନକ୍ସା ବଦଳିଲା, ଟାଙ୍ଗୀରୁ ବାହାରି ବ୍ରହ୍ମଗିରି ହୋଇ ଯିବ first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp