କୋଭିଡ୍-୧୯ଜନିତ ମୃତ୍ୟୁ ବାବଦକୁ କ୍ଷତିପୂରଣ ଦେଇ ହେବନି : କେନ୍ଦ୍ର ସରକାର
ମହାମାରୀ କରୋନା ସାରା ଦେଶରେ ତାଣ୍ଡବ ଖେଳାଇଛି | ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି | କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ସମସ୍ତଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେଇ ହେବ ନାହିଁ ବୋଲି କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କୁ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ତଥ୍ୟାବଳି ଅନୁସାରେ, ଦେଶରେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ପ୍ରାୟ ୪ ଲକ୍ଷ ହେବ।କେନ୍ଦ୍ର ସରକାର କହିଛନ୍ତି, କୋଭିଡ୍-୧୯ଦ୍ବାରା ଆକ୍ରାନ୍ତ ହୋଇ ଜୀବନ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଗଲେ, କେବଳ ଏହି ଗୋଟିଏ ବିପର୍ଯ୍ୟୟ ବାବଦରେ ସମ୍ଭବତଃ ସବୁତକ ‘ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି’ ଖର୍ଚ୍ଚ ହୋଇଯିବ।
କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଯେ, କୋଭିଡ୍-୧୯ ମୃତ୍ୟୁଜନିତ କ୍ଷତିପୂରଣ ବାବଦକୁ ‘ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି’ ଖର୍ଚ୍ଚ ହୋଇଗଲେ, ରାଜ୍ୟମାନଙ୍କ ପାଖରେ କୋଭିଡ୍-୧୯ ମୁକାବିଲା, କେତକ ଅତ୍ୟାବଶ୍ୟକ ଡାକ୍ତରୀ ଓ ଅନ୍ୟାନ୍ୟ ସାମଗ୍ରୀ ଖର୍ଚ୍ଚ, ବନ୍ୟା ଓ ବାତ୍ୟା ଭଳି ଅନ୍ୟାନ୍ୟ ବିପର୍ଯ୍ୟୟ ଭରଣା ଖର୍ଚ୍ଚ ପାଇଁ ଯଥେଷ୍ଟ ପାଣ୍ଠି ନ ରହିପାରେ। ‘କୋଭିଡ୍-୧୯ଜନିତ ମୃତ୍ୟୁ ବାବଦ କ୍ଷତିପୂରଣ’ ଦାବି କରି ଦାଏର ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଉତ୍ତର ଦେଇ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟରେ ଗତ ବିଳମ୍ବିତ ରାତ୍ରୀରେ ଦାଖଲ କରିଥିବା ୧୮୩ ପୃଷ୍ଠାର ସତ୍ୟପାଠରେ ଉପରୋକ୍ତ କଥା ଉଲ୍ଲେଖ ଅଛି। ସୋମବାର ଦିନ ସୁପ୍ରିମ୍ କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ସୂଚନା ରହିଛି |
The post କୋଭିଡ୍-୧୯ଜନିତ ମୃତ୍ୟୁ ବାବଦକୁ କ୍ଷତିପୂରଣ ଦେଇ ହେବନି : କେନ୍ଦ୍ର ସରକାର appeared first on .