କୋଭିଡ୍‌ ଡାକ୍ତରଖାନା ଗୁଡ଼ିକରେ ୭୦% ଶଯ୍ୟା ଖାଲି

କୋଭିଡ୍‌ ଡାକ୍ତରଖାନା ଗୁଡ଼ିକରେ ୭୦% ଶଯ୍ୟା ଖାଲି

ସମ୍ବଲପୁର : ଦେଶର ଅନ୍ୟ ସବୁ ସ୍ଥାନ ଭଳି ସମ୍ବଲପୁରରେ ବି କରୋନା ଗ୍ରାଫ୍ ନିମ୍ନଗାମୀ ରହିଛି। ଗତ ସପ୍ତାହେ ମଧ୍ୟରେ ଜିଲ୍ଲାରେ ହାରାହାରି ଦୈନିକ ଚିହ୍ନଟ ପଜିଟିଭ୍‌ ମାମଲା ସଂଖ୍ୟା ୪୦ ତଳକୁ ଖସିଛି। ଏଥିରୁ ଅଧିକାଂଶ ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଥିବାବେଳେ ସମ୍ବଲପୁର ମହାନଗରରେ ଏହି ସଂଖ୍ୟା ୧୦ରୁ ୧୫ ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି। ଆକ୍ରାନ୍ତଙ୍କ ସଂଖ୍ୟା କମିବା କାରଣରୁ ଜିଲ୍ଲାର ତିନି ସରକାରୀ ଓ ଦୁଇ ବେସରକାରୀ କୋଭିଡ୍ ହସ୍‌ପିଟାଲ୍‌ରେ ବି ରୋଗୀ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଡାକ୍ତରଖାନାରେ ବର୍ତ୍ତମାନ ଥିବା ରୋଗୀଙ୍କ ମଧ୍ୟରେ ଅଧିକାଂଶ ପୂର୍ବରୁ ଚିକିତ୍ସିତ ହୋଇ ଆସୁଥିବାବେଳେ ନୂଆ ଭର୍ତ୍ତି ସଂଖ୍ୟା ଆଖିଦୃଶିଆ ହ୍ରାସ ପାଇଛି।

ବର୍ତ୍ତମାନ ଜିଲ୍ଲାର ତିନି ସରକାରୀ ଡାକ୍ତରଖାନାରେ ଆଇସିୟୁ, ଭେଣ୍ଟିଲେଟର୍‌ ଆଦିକୁ ମିଶାଇ ୭୦% ଶଯ୍ୟା ଖାଲି ପଡ଼ିଲାଣି। ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ ଏହି ରୋଗୀମାନେ ସୁସ୍ଥ ହୋଇ ଡିସ୍‌ଚାର୍ଜ ହେବା ପରେ ଡାକ୍ତରଖାନା ଗୁଡ଼ିକ ପ୍ରାୟତଃ ଖାଲି ହୋଇଯିବ। କାରଣ ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୦% ଗୃହ ସଂଗରୋଧରେ ଚିକିତ୍ସିତ ହେଉଥିଲାବେଳେ କାଁଭାଁ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ତେଣୁ ରୋଗୀ ସଂଖ୍ୟା ଶୀଘ୍ର ଏକ ଅଙ୍କକୁ ଖସି ଆସିବ ବୋଲି କହାଯାଉଛି। ଏଭଳି ସ୍ଥିତିରେ ସମ୍ବଲପୁରରେ ସରକାରୀ ଅର୍ଥରେ ଆଉ ଏକ କୋଭିଡ୍ ହସ୍‌ପିଟାଲ୍ କରିବା କାହା ସ୍ବାର୍ଥରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ସମ୍ବଲପୁରରେ ଏମ୍‌ସିଏଲ୍‌ ଅନୁଦାନରେ ଆଉ ଏକ କୋଭିଡ୍ ହସ୍‌ପିଟାଲ୍ ଖୋଲାଯିବ ବୋଲି ଗତ ମାସ ୨୮ ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରେସ୍‌ ବିବୃତି ଜରିଆରେ ଘୋଷଣା କରିଥିଲେ। ଏହାର ୩ ଦିନ ପରେ ଅର୍ଥାତ୍ ମେ’ ୩୧ ତାରିଖରେ ଶ୍ରୀ ଦାସ ସମ୍ବଲପୁର ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀରେ ଗୋଲବଜାରର ସ୍ପର୍ଶ ସିଟି ହସ୍‌ପିଟାଲ୍‌ଠାରେ ଖୁବ୍‌ ଶୀଘ୍ର ଏହି ଡାକ୍ତରଖାନା କାର୍ଯ୍ୟକାରୀ ହେବ ବୋଲି ପୁନଃଘୋଷଣା କରିଥିଲେ। ଜୁନ୍‌ ୧୫ରୁ ୨୦ ତାରିଖ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ଦାସ କହିଥିଲେ। କିନ୍ତୁ ଜୁନ୍ ୨୦ ତାରିଖ ହୋଇ ସାରିଥିଲାବେଳେ ବର୍ତ୍ତମାନ ସୁଦ୍ଧା ଉକ୍ତ ଡାକ୍ତରଖାନା କାମରେ ବିଶେଷ କିଛି ଅଗ୍ରଗତି ହୋଇ ନଥିବା ଜଣା ପଡ଼ିଛି।

ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମେତ ଜିଲ୍ଲା ଓକିଲ ସଂଘର ବିରୋଧ ସତ୍ତ୍ବେ ବି କିନ୍ତୁ ଗୋଲବଜାର୍‌ରେ କୋଭିଡ୍ ହସ୍‌ପିଟାଲ୍ ପ୍ରକଳ୍ପକୁ ଏପର୍ଯ୍ୟନ୍ତ ବାତିଲ କରାଯାଇ ନାହିଁ। ସରକାରୀ ଅର୍ଥ ଶ୍ରାଦ୍ଧ କରି ଏବେ ସେଠାରେ କୋଭିଡ୍ ହସ୍‌ପିଟାଲ୍‌ କଲେ ଚିକିତ୍ସା ପାଇଁ ରୋଗୀ କେଉଁଠୁ ଆସିବେ ବୋଲି ଆଲୋଚନା ହେଉଛି। ଗତ ବର୍ଷ ରୋଗୀ ସଂଖ୍ୟା କମିଯିବା ପରେ ରାଜ୍ୟ ସରକାର ସମ୍ବଲପୁର କୋଭିଡ୍ ହସ୍‌ପିଟାଲ୍ ସମେତ ରାଜ୍ୟର ଅଧିକାଂଶ କୋଭିଡ୍ ହସ୍‌ପିଟାଲ୍‌କୁ ସଂପୂର୍ଣ୍ଣ ବନ୍ଦ କରି ଦେଇଥିଲେ। ଏଭଳି ସ୍ଥଳେ ବିନା ରୋଗୀରେ ଏବେ ନୂଆ ଡାକ୍ତରଖାନା ଖୋଲିବା ଦ୍ବାରା କାହା ସ୍ବାର୍ଥ ସାଧିତ ହେବ ବୋଲି ପ୍ରଶ୍ନ ଉଠୁଛି। ଏ ସଂପର୍କରେ ଜିଲ୍ଲା ଓକିଲ ସଂଘ ସଭାପତି ଡ.ପ୍ରମୋଦ ରଥଙ୍କ କହିବା ହେଲା ତୃତୀୟ ଲହରର ପୂର୍ବପ୍ରସ୍ତୁତି ପାଇଁ ନୂଆ କୋଭିଡ୍ ହସ୍‌ପିଟାଲ୍ ହେବାରେ କ୍ଷତି ନାହିଁ। ତାହା ସ୍ବାଗତଯୋଗ୍ୟ। କିନ୍ତୁ ସହର ବାହାରେ କୌଣସି ଉପଯୁକ୍ତ ସ୍ଥାନରେ କୋଭିଡ୍ ହସ୍‌ପିଟାଲ୍‌ କରାଯାଉ। ସହର ମଧ୍ୟରେ ଏହାହେଲେ ତାକୁ ବିରୋଧ କରାଯିବ ବୋଲି ଡା. ରଥ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଭିମ୍‌ସାର୍‌ କୋଭିଡ୍ ହସ୍‌ପିଟାଲ୍-୧ରେ ଏବେ ୧୫୦ ଶଯ୍ୟା ଖାଲି ରହିଛି। ଭିମ୍‌ସାର୍‌ କୋଭିଡ୍ ହସ୍‌ପିଟାଲ୍-୨ରେ ୧୨୦ ଶଯ୍ୟା ଖାଲି ପଡ଼ିଛି। ସମ୍ବଲପୁରର ଡିଏଚ୍‌ଏଚ୍‌ ‌ଅଶ୍ବିନୀ କୋଭିଡ୍ ହସ୍‌ପିଟାଲ୍‌ରେ ୧୧୦ ଶଯ୍ୟା ଖାଲି ରହିଛି। ସ୍ବଳ୍ପ ସଂଖ୍ୟକ ଶଯ୍ୟା ଥିବା ଦୁଇ ଘରୋଇ କୋଭିଡ୍‌ ହସ୍‌ପିଟାଲ୍‌ରେ ମଧ୍ୟ ସମାନ ଅବସ୍ଥା। ସବୁ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟର୍‌ ଓ ଆଇସିୟୁ ଶଯ୍ୟା ମଧ୍ୟ ଯଥେଷ୍ଟ ସଂଖ୍ୟାରେ ଖାଲି ରହିଛି। ଗତ ୧୪ ତାରିଖ ସୋମବାରରୁ ୨୦ ତାରିଖ ରବିବାର ଏକ ସପ୍ତାହ ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ସୋମବାର ସର୍ବାଧିକ ୫୪ ଜଣ ‌ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରଠାରୁ ଗୋଟିଏ ଦିନ ୪୫ ଥିଲାବେଳେ ଅନ୍ୟ ଦିନ ଗୁଡ଼ିକରେ ୪୦ ତଳକୁ ରହିଛି। ଲକ୍‌ଡାଉନ୍‌ କୋହଳ ହେବ ସହ ରାସ୍ତାଘାଟରେ ଯାତାୟତ ବୃଦ୍ଧି ପାଇଛି। ତେବେ ଅନେକ ଲୋକ ମାସ୍କ ପିନ୍ଧୁ ନଥିବା, ମାସ୍କ ଥିଲେ ବି ମୁହଁ ତଳକୁ ଖସାଇ ରଖିବା ଦେଖିବାକୁ ମିଳୁଛି। ତେଣୁ ସଂକ୍ରମଣ ହ୍ରାସ ପାଇଥିଲେ ବି ଆଦୌ ବେପରୁଆ ନହେବାକୁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି।

ଗତ ସପ୍ତାହରେ ଜିଲ୍ଲାରେ ନୂଆ ସଂକ୍ରମଣ
ତାରିଖ ଜିଲ୍ଲା ମହାନଗର
୧୪/୬ ୫୪ ୮
୧୫/୬ ୩୮ ୩୨
୧୬/୬ ୩୯ ୭
୧୭/୬ ୩୭ ୧୧
୧୮/୬ ୪୫ ୨୦
୧୯/୬ ୩୨ ୧୪
୨୦/୬ ୩୧ ୧୨

The post କୋଭିଡ୍‌ ଡାକ୍ତରଖାନା ଗୁଡ଼ିକରେ ୭୦% ଶଯ୍ୟା ଖାଲି first appeared on Sambad.

Please follow and like us:

Leave a Reply

Your email address will not be published. Required fields are marked *

Generated by Feedzy
error

Enjoy this news? Please spread the word :)

YouTube
YouTube
WhatsApp