କାଲିଠୁ ଦିଲ୍ଲୀରେ ବାର, ରେଷ୍ଟୁରାଣ୍ଟ ଓ ପାର୍କ ଖୋଲିବ
ନୂଆଦିଲ୍ଲୀ: ନୂଆଦିଲ୍ଲୀରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ହ୍ରାସ ପାଇଛି। ଏଭଳି ପରିସ୍ଥିତିରେ ସରକାର କରୋନା କର୍ଫ୍ୟୁକୁ ମଧ୍ୟ ଢିଲା ଦେବା ଆରମ୍ଭ କରିଛନ୍ତି। ସୋମବାର ଠାରୁ ଦିଲ୍ଲୀର ରେଷ୍ଟୁରାଣ୍ଟ ଏବଂ ବାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଇଛି। ଗତ ସପ୍ତାହରେ ସରକାର କଟକଣା କୋହଳ କରିଥିଲେ।
ରବିବାର ଦିଲ୍ଲୀ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଡିଡିଏମଏ) ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି। ଡିଡିଏମଏ ଦିଲ୍ଲୀରେ ସୋମବାରଠାରୁ ସାର୍ବଜନିକ ପାର୍କ, ଗାର୍ଡେନ, ଗଲ୍ଫ କ୍ଲବ୍, ବାର୍ ଓ ବାହ୍ୟ ଯୋଗ ଗତିବିଧି ଖୋଲିବାକୁ ଅନୁମତି ଦେଇଛି। ତେବେ ଏହିସବୁ ସ୍ଥାନରେ କୋଭିଡ୍ ଗାଇଡଲାଇନ୍ ପାଳନ କରାଇବାର ଦାୟିତ୍ୱ ଜିଲ୍ଲା ଅଧିକାରୀଙ୍କ ପାଖରେ ରହିବ ବୋଲି ଡିଡିଏମଏ ନିର୍ଦ୍ଦେଶ ଦେଇଛନ୍ତି।
କେବଳ ଏତିକି ନୁହେଁ ଦିଲ୍ଲୀରେ ଗୋଟିଏ ଜୋନରେ ଗୋଟିଏ ଦିନରେ ଗୋଟିଏ ସପ୍ତାହାନ୍ତ ମାର୍କେଟ୍ ଲଗାଯିବ। ତେବେ ବାକି ଅଞ୍ଚଳରେ ସକାଳ ୧୦ଟାରୁ ରାତି ୮ଟ ପର୍ଯ୍ୟନ୍ତ ଦୋକାନ ଖୋଲିବ। ଏହାବ୍ୟତୀତ ବଜାର ଓ ମଲ୍ ଗୁଡ଼ିକରେ ମଧ୍ୟ ଦୋକାନ ଖୋଲିବାର ସମୟ ସକାଳ ୧୦ଟାରୁ ରାତି ୮ଟା ଯାଏ ରଖାଯାଇଛ। ଅନ୍ୟପକ୍ଷରେ ରେଷ୍ଟୁରାଣ୍ଟରେ ପୂର୍ବଭଳି ୫୦ ପ୍ରତିଶତ କ୍ଷମତା ସହ ସକାଳ ୮ଟାରୁ ରାତି ୧୦ ଯାଏ ଖୋଲିବ। ଏହାଛଡ଼ା ୫୦ ପ୍ରତିଶତ କ୍ଷମତା ସହ ବାର୍ ମଧ୍ୟ ଖୋଲାଯାଇ ପାରିବ।
ସେହିପରି ବାର୍ ଖୋଲିବାର ସମୟ ନିର୍ଦ୍ଧାରିତ କରାଯାଇଛି। ଦ୍ୱିପହର ୧୨ଟାରୁ ରାତି ୧୦ ଯାଏ ବାର୍ ଖୋଲିବ। ରେଷ୍ଟୁରାଣ୍ଟ ଓ ବାର୍ ମାଲିକମାନଙ୍କୁ କୋଭିଡ୍ ସୁରକ୍ଷା ସମ୍ବନ୍ଧିତ ଉପାୟ ଓ ସମସ୍ତ ଅଫିସିଆଲ୍ ଗାଇଡଲାଇନ୍ ଏବଂ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ।
ମେଟ୍ରୋ ୫୦ ପ୍ରତିଶତ କ୍ଷମତା ସହ ଚାଲିବ। ଏହାସହ ବସ୍, ଅଟୋ, ରିକ୍ସା, କ୍ୟାବ୍ ଆଦି ପବ୍ଲିକ ଟ୍ରାନ୍ସପୋର୍ଟରେ ମଧ୍ୟ ସାମାଜିକ ଦୂରତା ସହ କମ୍ ଯାତ୍ରୀଙ୍କୁ ବସିବାର ସୁବିଧା ରହିବ। ଦିଲ୍ଲୀରେ ପବ୍ଲିକ୍ ପ୍ୟାଲେସ, ବଙ୍କେଟ୍ ହଲ୍ କିମ୍ବା ମ୍ୟାରେଜ୍ ଗାର୍ଡରେ ବିବାହ ଉପରେ କଟକଣା ବଳବତ୍ତର ରହିବ। ହେଲେ କୋର୍ଟ ବିବାହ କିମ୍ବା ଘରେ ବିବାହ ସମାରୋହ ହୋଇପାରିବ। ତେବେ ଏଥିରେ ମାତ୍ର ୨୦ ଅତିଥିଙ୍କୁ ସାମିଲ୍ ହେବାକୁ ଅନୁମତି ମିଳିବ। ଏହାବ୍ୟତୀତ ଅନ୍ତିମ ସଂସ୍କାରରେ ମଧ୍ୟ ୨୦ ଜଣଙ୍କୁ ଅମୁନତି ମିଳିବ। ଏସବୁ ଭିତରେ କୋଭିଡ୍ ପ୍ରୋଟୋକଲ ପାଳନ ନିହାତି ଜରୁରୀ।