କରୋନା କାଳରେ ଦରଦାମ ଦାଉ, ହଜାରେ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନି
ବାଲେଶ୍ବର: ପନିପରିବା ଦରରେ ଏବେ ନିଆଁ ଲାଗିଛି। ବଜାରରେ ପରିବା ଦେଖିଲେ ହାତ ଲଗାଇବାକୁ ବି ଡର ଲାଗୁଛି। କଲରା, କାଙ୍କଡ଼ ଭଳି ପରିବା କିଲୋ ୭୦ରୁ ୮୦ ଟଙ୍କା ଛୁଇଁଥିବା ବେଳେ ଭେଣ୍ଡି, ଜହ୍ନି, ବାଇଗଣ ଓ ପୋଟଳ ଦର ୫୦ ଟଙ୍କା ଉପରେ ରହିଛି। ସେହିପରି ସଜନା ଛୁଇଁ କିଲୋ ୧୨୦ରୁ ୧୩୦, ଲେଉଟିଆ ଶାଗ କିଲୋ ୭୦ରୁ ୮୦ ଟଙ୍କା ହୋଇଛି। କାକୁଡ଼ି, କୁନ୍ଦୁରି ଓ ଗାଜର କିଲୋ ପ୍ରତି ୪୦ ଟଙ୍କା, ଅମୃତଭଣ୍ଡା ଓ ବିଲାତି କିଲୋକୁ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି।
ପନିପରିବା ଏବଂ ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀ ଗୁଡ଼ିକର ଦରଦାମ ଯେପରି ହୁ ହୁ ହୋଇ ବଢ଼ିଚାଲିଛି ହଜାରେ ଟଙ୍କା ଧରି ବଜାରକୁ ବାହାରିଲେ ବି ବ୍ୟାଗ୍ ଭର୍ତ୍ତି ହେଉନାହିଁ। ବାତ୍ୟା ‘ୟାସ’ ଯିବା ପରେ ପରେ ବର୍ତ୍ତମାନ ଇଏ ହେଉଛି ବାଲେଶ୍ବର ବଜାରର ସ୍ଥିତି। କରୋନା କାଳରେ ଲକଡାଉନ-ସଟଡାଉନ୍ ଯୋଗୁଁ ଲୋକ ଆର୍ଥିକ ସଙ୍କଟରେ ରହିଥିବା ବେଳେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ସାଙ୍ଗକୁ ଖାଦ୍ୟସାମଗ୍ରୀ ଓ ପନିପରିବା ଆଦିର ଅହେତୁକ ଦରବୃଦ୍ଧିରେ ଖାଉଟି ହନ୍ତସନ୍ତ ହେଲେଣି।
ସୂଚନାଯୋଗ୍ୟ, ଗତମାସ ହୋଇଥିବା ବାତ୍ୟା ‘ୟାସ’ରେ ବାଲେଶ୍ବର ଜିଲ୍ଲା ସମେତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଚାଷ ବହୁଳ ଭାବରେ ପ୍ରଭାବିତ ହୋଇଛି। ସମଗ୍ର ବାଲେଶ୍ବର ଜିଲ୍ଲାକୁ ପନିପରିବା ଯୋଗାଉଥିବା ଜଳେଶ୍ବର, ବାଲିଆପାଳ, ବସ୍ତା, ରେମୁଣା, ସଦର ଆଦି ସମୁଦ୍ର ତଥା ନଦୀ ତଟବର୍ତ୍ତୀ ଅଞ୍ଚଳରେ ଚାଷ ପବନ ଏବଂ ଲୁଣି ଜୁଆର ପ୍ରଭାବରେ ସମ୍ପୂର୍ଣ୍ଣ ରୂପେ ଉଜୁଡ଼ି ଯାଇଛି। ଏହିସବୁ ସ୍ଥାନରୁ ପ୍ରତିଦିନ ପ୍ରଚୁର ପରିମାଣରେ ପନିପରିବା ବାଲେଶ୍ବର ସହରକୁ ଆସିଥାଏ। ମାତ୍ର ଏବେ ପରିବା ବ୍ୟବସାୟୀମାନେ ଆନ୍ଧ୍ର, ବେଙ୍ଗଲ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ପରିବା ଆଣୁଛନ୍ତି। ସେପଟେ ପେଟ୍ରୋଲ-ଡିଜେଲର ଦରବୃଦ୍ଧି ସାଙ୍ଗକୁ ଆବଶ୍ୟକ ପରିମାଣରେ ପନିପରିବା ଆସୁନଥିବାରୁ ସେଗୁଡ଼ିକ ଚଢ଼ା ଦରରେ ବଜାରରେ ବିକ୍ରି ହେଉଥିବା ଜଣାଯାଇଛି।
The post କରୋନା କାଳରେ ଦରଦାମ ଦାଉ, ହଜାରେ ଟଙ୍କାରେ ବି ବ୍ୟାଗ ଭର୍ତ୍ତି ହେଉନି first appeared on Sambad.