କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷକୃତ୍ୟ ସମ୍ପନ୍ନ
ଭୁବନେଶ୍ୱର: କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଶେଷକୃତ୍ୟ ସତ୍ୟ ନଗର ଶ୍ମଶାନରେ ସମ୍ପନ୍ନ ହୋଇଛି । ତପୁଙ୍କ ସ୍ୱାମୀ ଦୀପକ ପୂଜାରୀ ମୁଖାଗ୍ନି ଦେଇଛନ୍ତି । ଅଭିନେତ୍ରୀ ତଥା ବିଜେଡି ନେତ୍ରୀ ଏଲିନା ଦାସ, ଉଷସୀ ମିଶ୍ର, ସୋଫିଆ ଆଲାମ, ରାଖି, ଅଭିନେତା ବୁଲୁ ପ୍ରମୁଖ ତପୁଙ୍କ ଶେଷଦର୍ଶନ କରିଥିଲେ।
ଗତକାଲି ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପରଲୋକ ଘଟିଛି । କରୋନାରୁ ସୁସ୍ଥ ହେବା ପରେ ଫୁସଫୁସ ସଂକ୍ରମଣରେ ପୀଡ଼ିତ ଥିଲେ ତପୁ । ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି ତପୁଙ୍କ ବାସଭବନରେ ତାଙ୍କ ବନ୍ଧୁ ପରିଜନ ଶେଷ ଦର୍ଶନ କରିଥିଲେ । ଏହାପରେ ବାସଭବନରୁ ସତ୍ୟନଗର ଶ୍ମଶାନ ନିଆଯାଇଥିଲା ତାଙ୍କ ପାର୍ଥିବ ଶରୀର । ସେଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।
ଗତ ମାସ ମେ ୨୦ ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ମାସେ କାଳ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ତପୁ ମିଶ୍ର ।