ଏସଆଇଙ୍କ ଆକାଉଣ୍ଟରୁୁ ୮ ଲକ୍ଷ ଟଙ୍କା ହଡ଼ପ କରି ସିଆରପିଏଫ୍ କନଷ୍ଟେବଳ ଗିରଫ
ଭୁବନେଶ୍ୱର: ଉଚ୍ଚପଦସ୍ଥ ଏସଆଇଙ୍କ ଆକାଉଣ୍ଟରୁୁ ୮ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଜଣେ ସିଆରପିଏଫ୍ କନଷ୍ଟେବଳଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ପ୍ରିୟବ୍ରତ ପ୍ରିୟଦର୍ଶନ ପତି । ସେ ଭୁବନେଶ୍ୱରର ସିଆରପିଏଫ୍ ଗ୍ରୁପ୍ ସେଣ୍ଟରରେ ନିୟୋଜିତ ଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ରାଜପାଲଙ୍କର ଦେହ ଅସୁସ୍ଥ ଥିବାରୁ ସେ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କନେଷ୍ଟବଳ ପ୍ରିୟବ୍ରତ ପ୍ରିୟଦର୍ଶନ ପତି ଡାକ୍ତରଖାନାରେ ତାଙ୍କର ଆଟେଣ୍ଡାଣ୍ଟ ଭାବେ ରହୁଥିଲେ । ରାଜପାଲଙ୍କର ଟଙ୍କା ଆବଶ୍ୟକ ପଡ଼ିବାରୁ ସେ ପ୍ରିୟବ୍ରତଙ୍କୁ ତାଙ୍କର ଏଟିଏମ୍ କାର୍ଡ ଦିଅନ୍ତି ଟଙ୍କା ଉଠାଇବା ପାଇଁ । ତେଣୁ ପାସ୍ଓ୍ଵାର୍ଡ଼ ଜାଣିଥିବାରୁ ଏହାର ପୂରା ସୁଯୋଗ ନେଲେ ପ୍ରିୟବ୍ରତ । ରାଜପାଲଙ୍କ ଅଜାଣତରେ ସେ କାର୍ଡରୁ କିସ୍ତି କିସ୍ତି କରି ୮ ଲକ୍ଷ ୩୯ ହଜାର ଟଙ୍କା ଉଠାଇ ନେଇଥିଲେ ।
ଏତେ ଟଙ୍କା ଏଟିଏମ୍ କାର୍ଡରୁ ଗାଏବ ହେବା କଥା ପରେ ରାଜପାଲ ଜାଣିବାରୁ ପ୍ରିୟବ୍ରତଙ୍କ ପଚାରିଥିଲେ । ହେଲେ ନମାନିବାରୁ ରାଜପାଲ ଥାନାରେ ଅଭିଯୋଗ କରିଥିଲେ । ପରେ ପୋଲିସ ତଦନ୍ତ କରି ପ୍ରିୟବ୍ରତଙ୍କ ଠାରୁ ୮ ଲକ୍ଷ ୩୯ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ନିକଟରୁ ପୋଲିସ ଏକ ସ୍କୁଟର ଏବଂ ଏଟିଏମ୍ କାର୍ଡ ମଧ୍ୟ ଜବତ କରିଛି।